Bhagavad Gita: Chapter 9, Verse 28

ଶୁଭାଶୁଭଫଳୈରେବଂ ମୋକ୍ଷସେ କର୍ମବନ୍ଧନୈଃ ।
ସନ୍ୟାସଯୋଗଯୁକ୍ତାତ୍ମା ବିମୁକ୍ତୋ ମାମୁପୈଷ୍ୟସି ।।୨୮।।

ଶୁଭ - ମଙ୍ଗଳମୟ; ଅଶୁଭ - ଅମଙ୍ଗଳକର; ଫଳୈଃ - ଫଳ; ଏବଂ - ଏହି ପ୍ରକାରେ; ମୋକ୍ଷ୍ୟସେ - ମୁକ୍ତ କରେ; କର୍ମ - କର୍ମ; ବନ୍ଧନୈଃ - ବନ୍ଧନରୁ; ସନ୍ୟାସ - ତ୍ୟାଗ; ଯୋଗ - ଯୋଗ; ଯୁକ୍ତତ୍ମା - ଦୃଢ଼ଭାବରେ ଲଗାଇ ରଖି; ବିମୁକ୍ତଃ - ମୁକ୍ତ; ମାଂ - ମୋତେ; ଉପୈଷ୍ୟସି - ପ୍ରାପ୍ତ କରିବ ।

Translation

BG 9.28: ତୁମର ସମସ୍ତ କର୍ମକୁ ମୋତେ ସମର୍ପଣ କରି, ତୁମେ ଉଭୟ ଶୁଭାଶୁଭ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । ତ୍ୟାଗଯୁକ୍ତ ମନକୁ ମୋ ଠାରେ ଆସକ୍ତ କରି, ତୁମେ ମୁକ୍ତ ହୋଇଯିବ ଏବଂ ମୋତେ ପ୍ରାପ୍ତ କରିବ ।

Commentary

ଅଗ୍ନିଶିଖା ଉପରିସ୍ଥ ଧୂମ ଆବରଣ ପରି ପ୍ରତ୍ୟେକ କର୍ମର କିଛି ତ୍ରୁଟି ରହିଛି । ଆମେ ପୃଥିବୀ ଉପରେ ଚାଲିବା ବେଳେ, ଅଜାଣତରେ ଆମ ପାଦ ତଳେ ଚାପି ହୋଇ ଲକ୍ଷ ଲକ୍ଷ କ୍ଷୁଦ୍ର ଜୀବ ମରିଯାଇ ଥାଆନ୍ତି । କର୍ମକ୍ଷେତ୍ରରେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଯାଇ, ଆମେ ଯେତେ ସାବଧାନ ରହିଲେ ମଧ୍ୟ, ପରିବେଶର କ୍ଷତି କରିଥାଏ ଏବଂ ଅନ୍ୟକୁ ଆଘାତ ଦେଇଥାଏ । ଗୋଟିଏ କପ୍ ଦହି ଖାଇଲେ, ସେଥିରେ ଥିବା ଅସଂଖ୍ୟ କ୍ଷୁଦ୍ରଜୀବମାନଙ୍କୁ ହତ୍ୟା କରିବାର ପାପ କରିଥାଏ । କେତେକ ଧର୍ମରେ, ଏପରି ଅନିଚ୍ଛାକୃତ ହତ୍ୟା କମ୍ କରିବା ପାଇଁ ମୁହଁକୁ କପଡ଼ାରେ ଆବୃତ କରିବାର ନିୟମ ରହିଛି । କିନ୍ତୁ ଏହାଦ୍ୱାରା ମଧ୍ୟ ଶ୍ୱାସକ୍ରିୟା ମାଧ୍ୟମରେ ଜୀବହତ୍ୟାର ଦୋଷକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇ ଦିଆଯାଇ ପାରେ ନାହିଁ ।

ଜ୍ଞାତସାରରେ ହେଉ ଅଥବା ଅଜ୍ଞାତସାରରେ ହେଉ, ନିଜ ସ୍ୱାର୍ଥ ପୂର୍ତ୍ତି ଉଦ୍ଦେଶ୍ୟରେ କର୍ମ କରିବାକୁ ଯାଇ ଆମେ ଯେଉଁ ପାପ କରିଥାଏ, ସେଥିପାଇଁ ଆମେ ଦାୟୀ । କର୍ମର ବିଧାନ ଅନୁସାରେ, ଆମକୁ କର୍ମଫଳ ଭୋଗ କରିବାକୁ ପଡ଼ିବ । ଶୁଭକାର୍ଯ୍ୟ ମଧ୍ୟ ବନ୍ଧନ କାରକ ଅଟେ କାରଣ ଏହାର ଫଳ ଭୋଗ କରିବାକୁ ଆତ୍ମାକୁ ସ୍ୱର୍ଗକୁ ଯିବାକୁ ପଡ଼ିଥାଏ । ଅତଏବ, ଶୁଭ ଏବଂ ଅଶୁଭ ଉଭୟ କର୍ମର ଫଳ ଜନ୍ମ-ମୃତ୍ୟୁର ବନ୍ଧନ ଅଟେ । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କର୍ମଫଳରୁ ମୁକ୍ତ ହେବା ପାଇଁ ଏକ ସହଜ ସମାଧାନ ନିର୍ଦ୍ଦେଶ କରିଛନ୍ତି । ସେ ସନ୍ୟାସଯୋଗ କଥା କହୁଛନ୍ତି, ଅର୍ଥାତ୍ ସ୍ୱାର୍ଥର ପରିତ୍ୟାଗ । ସେ କହୁଛନ୍ତି ଯେ କର୍ମକୁ ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଦ୍ୱାରା ଆମେ ଉଭୟ ଭଲ ଓ ମନ୍ଦ କର୍ମର ଶୃଙ୍ଖଳରୁ ମୁକ୍ତ ହୋଇଯାଏ ।

ଏହିପରି ଚେତନାରେ ସ୍ଥିତ ବ୍ୟକ୍ତିଙ୍କୁ ଯୋଗ ଯୁକ୍ତାତ୍ମା (ଭଗବାନଙ୍କ ସହିତ ଯୋଗ ପ୍ରାପ୍ତ) କୁହାଯାଏ । ଏହିପରି ଯୋଗୀମାନେ ଏହି ଶରୀରରେ ହିଁ ଜୀବନ୍ମୁକ୍ତ ହୋଇଯାଆନ୍ତି ଏବଂ ମର ଶରୀର ତ୍ୟାଗ କରିବା ପରେ, ଦିବ୍ୟ ଶରୀର ଯୁକ୍ତ ହୋଇ ସେମାନେ ଭଗବାନଙ୍କ ଲୋକରେ ତାଙ୍କର ଚିରନ୍ତନ ସେବା ପ୍ରାପ୍ତ କରିଥାନ୍ତି ।