Bhagavad Gita: Chapter 9, Verse 6

ଯଥାକାଶସ୍ଥିତୋ ନିତ୍ୟଂ ବାୟୁଃ ସର୍ବତ୍ରଗୋ ମହାନ୍ ।
ତଥା ସର୍ବାଣି ଭୂତାନି ମତ୍‌ସ୍ଥାନୀତ୍ୟୁପଧାରୟ ।।୬।।

ଯଥା - ଯେପରି ଭାବରେ; ଆକାଶ-ସ୍ଥିତଃ - ଆକାଶରେ ସ୍ଥିତ; ନିତ୍ୟଂ - ସର୍ବଦା ବାୟୁଃ - ବାୟୁ; ସର୍ବତ୍ର ଗଃ - ସର୍ବତ୍ର ପ୍ରବାହମାନ; ମହାନ୍ - ମହାନ; ତଥା - ସେହିପରି; ସର୍ବାଣି ଭୂତାନି- ସମସ୍ତ ଜୀବ; ମତ୍‌-ସ୍ଥାନି - ମୋ’ଠାରେ ଅବସ୍ଥିତ; ଇତି - ଏହିପରି; ଉପଧାରୟ - ବୁଝିବାକୁ ଚେଷ୍ଟାକର ।

Translation

BG 9.6: ପ୍ରବଳ ପରାକ୍ରମୀ ବାୟୁ ସର୍ବତ୍ର ପ୍ରବାହିତ ହୋଇ ମଧ୍ୟ ଯେପରି ଆକାଶରେ ସ୍ଥିତ ରହିଥାଏ, ସେହିପରି ଜୀବସମୁଦାୟ ମୋ ଠାରେ ସ୍ଥିତ ଅଟନ୍ତି ।

Commentary

ଚତୁର୍ଥ ଠାରୁ ଷଷ୍ଠ ଶ୍ଲୋକ ମଧ୍ୟରେ ଶ୍ରୀକୃଷ୍ଣ ‘ମତ୍‌ସ୍ଥାନି’ ଶବ୍ଦଟି ତିନିଥର ବ୍ୟବହାର କରିଛନ୍ତି । ତା’ର ଅର୍ଥ ସମସ୍ତ ପ୍ରାଣୀ ତାଙ୍କଠାରେ ଅବସ୍ଥାନ କରନ୍ତି । ଦେହାନ୍ତରଣ ପ୍ରକ୍ରିୟାରେ ଯଦିଓ ସେମାନେ ଭିନ୍ନ ଭିନ୍ନ ଶରୀର ଧାରଣ କରିଥାଆନ୍ତି ଏବଂ ମାୟା ସହିତ ସମ୍ବନ୍ଧିତ ରହିଥାଆନ୍ତି, ତଥାପି ସେମାନଙ୍କୁୁ ଭଗବାନଙ୍କଠାରୁ ପୃଥକ୍ କରାଯାଇ ପାରିବ ନାହିଁ ।

ସଂସାର କିପରି ଭାବରେ ଭଗବାନଙ୍କଠାରେ ଅବସ୍ଥାନ କରିଥାଏ, ତାହା ବୁଝିବାକୁ କଷ୍ଟକର ହୋଇପାରେ । ଗ୍ରୀକ୍ ପୁରାଣରେ, ଆଟ୍‌ଲାସ୍ ପୃଥିବୀକୁ ଧାରଣ କରିଥିବାର ଚିତ୍ର ରହିଛି । ଗ୍ରୀକ୍ ଲୋକକଥାରେ, ଅଲମ୍ପସ୍ ପର୍ବତର ଦେବତା ମାନଙ୍କ ବିରୁଦ୍ଧରେ ସଂଗ୍ରାମରେ ଆଟ୍‌ଲାସ୍  ଟାଇଟାନ୍‌ଙ୍କ ସହିତ ଯୁଦ୍ଧ କରିଥିଲେ । ଦଣ୍ଡସ୍ୱରୂପ ତାଙ୍କୁ ଚିରକାଳ ପାଇଁ ପୃଥିବୀ ଓ ସ୍ୱର୍ଗକୁ ପିଠିରେ ଏବଂ ସେମାନଙ୍କୁ ଅଲଗା କରୁଥିବା ବୃହତ୍ ପ୍ରାଚୀରକୁ କାନ୍ଧରେ ବହନ କରିବାକୁ ପଡିଥିଲା । କିନ୍ତୁ ଶ୍ରୀକୃଷ୍ଣ ଯେଉଁ “ସମସ୍ତ ଜୀବଙ୍କୁ ଧାରଣ କରିବା” କଥା କହୁଛନ୍ତି, ତାହାର ତାତ୍ପର୍ଯ୍ୟ ଏହା ନୁହେଁ । ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ମହାକାଶରେ ସ୍ଥିତ ରହିଛି ଏବଂ ମହାକାଶ ଭଗବାନଙ୍କ ଶକ୍ତିରୁ ସୃଷ୍ଟ । ସୁତରାଂ ସମସ୍ତ ସୃଷ୍ଟି ତାଙ୍କଠାରେ ସ୍ଥିତ ବୋଲି କୁହାଯାଏ ।

ବର୍ତ୍ତମାନ ଭଗବାନ ଏକ ଉପମା ଦ୍ୱାରା ଅର୍ଜୁନଙ୍କୁ ତାହା ହୃଦୟଙ୍ଗମ କରାଉଛନ୍ତି । ଆକାଶ ବିନା ବାୟୁର କୌଣସି ସ୍ୱତନ୍ତ୍ର ସ୍ଥିିିତି ନାହିଁ । ଏହା ପ୍ରଚଣ୍ଡ ରୂପରେ ନିରନ୍ତର ପ୍ରବାହିତ ହେଉଥିଲେ ମଧ୍ୟ ଆକାଶରେ ଅବସ୍ଥାନ କରିଥାଏ । ସେହିପରି ଜୀବର ଭଗବାନଙ୍କ ବିନା ସ୍ୱତନ୍ତ୍ର ସ୍ଥିତି ନାହିଁ । ନଶ୍ୱର ଶରୀର ମାଧ୍ୟମରେ ସେମାନେ କାଳ, ସ୍ଥାନ ଏବଂ ଚେତନା ଭେଦରେ କେତେବେଳେ ଦ୍ରୁତ ବେଗରେ ତ ଆଉ କେତେବେଳେ ମନ୍ଥର ଗତିରେ ଘୂରି ବୁଲୁଥାଆନ୍ତି, ତଥାପି ସେମାନେ ସର୍ବଦା ଭଗବାନଙ୍କଠାରେ ସ୍ଥିତ ରହିଥାଆନ୍ତି ।

ଅନ୍ୟ ପରିପ୍ରେକ୍ଷୀରେ, ସୃଷ୍ଟିର ସବୁକିଛି ଭଗବାନଙ୍କର ଇଚ୍ଛାଧୀନ ଅଟେ । ଏହାର ସୃଷ୍ଟି, ପାଳନ ଏବଂ ବିଲୟ ଭଗବାନଙ୍କ ଇଚ୍ଛା ଅନୁସାରେ ହୋଇଥାଏ । ଏହି ଦୃଷ୍ଟିକୋଣରୁ ମଧ୍ୟ ସବୁକିଛି ତାଙ୍କଠାରେ ଅବସ୍ଥିତ ବୋଲି କୁହାଯାଇପାରିବ ।