Bhagavad Gita: Chapter 9, Verse 1

ଶ୍ରୀ ଭଗବାନୁବାଚ
ଇଦଂ ତୁ ତେ ଗୁହ୍ୟତମଂ ପ୍ରବକ୍ଷ୍ୟାମ୍ୟନସୂୟବେ ।
ଜ୍ଞାନଂ ବିଜ୍ଞାନସହିତଂ ଯଜ୍‌ଜ୍ଞାତ୍ୱା ମୋକ୍ଷ୍ୟସେଽଶୁଭାତ ।।୧।।

ଶ୍ରୀ ଭଗବାନ୍ ଉବାଚ - ପରମପୁରୁଷ ଭଗବାନ କହିଲେ; ଇଦଂ - ଏହା; ତୁ - କିନ୍ତୁ; ତେ - ତୁମକୁ ; ଗୁହ୍ୟତମଂ- ଅତ୍ୟନ୍ତ ଗୁପ୍ତ; ପ୍ରବକ୍ଷ୍ୟାମି - ମୁଁ କହୁଛି ; ଅନୁସୂୟବେ - ଯେଉଁମାନେ ଈର୍ଷାଳୁ ନୁହନ୍ତି; ଜ୍ଞାନଂ - ଜ୍ଞାନ ; ବିଜ୍ଞାନ - ଅନୁଭୂତ ଜ୍ଞାନ ; ସହିତଂ - ସହିତ ର୍ ଯତ୍ - ଯାହା ; ଜ୍ଞାତ୍ୱା - ଜାଣି ; ମୋକ୍ଷ୍ୟସେ - ମୁକ୍ତ ହେବ ; ଅଶୁଭାତ୍ - ଏହି ଦୁଃଖଦାୟକ ଭୌତିକ ସ୍ଥିତିରୁ (ଅର୍ଥାତ୍ ସଂସାରରୁ)

Translation

BG 9.1: ଭଗବାନ କହିଲେ: ହେ ଅର୍ଜୁନ, ଯେହେତୁ ତୁମେ ମୋ ପ୍ରତି ଈର୍ଷା ପରାୟଣ ନୁହଁ, ବର୍ତ୍ତମାନ ମୁଁ ତୁମକୁ ଏହି ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି, ଯାହା ଜାଣିବା ପରେ ତୁମେ ମାୟିକ ସଂସାରର ଦୁଃଖରୁ ମୁକ୍ତ ହୋଇଯିବ ।

Commentary

ବିଷୟ ପ୍ରାରମ୍ଭରୁ ହିଁ ଶ୍ରୀକୃଷ୍ଣ ଏହି ଉପଦେଶ ଶୁଣିବାର ଯୋଗ୍ୟତା ଘୋଷଣା କରୁଛନ୍ତି । ‘ଅନସୂୟବେ’ ଅର୍ଥ ‘ଈର୍ଷାପରାୟଣ ନହେବା,’ ସେ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେହେତୁ ଅର୍ଜୁନ ତାଙ୍କ ପ୍ରତି ଈର୍ଷାନ୍ୱିତ ନୁହଁନ୍ତି; ତେଣୁ ସେ ଏହି ବିଷୟ ତାଙ୍କ ସମ୍ମୁଖରେ ପ୍ରକାଶ କରୁଛନ୍ତି । ଶ୍ରୀକୃଷ୍ଣ ଏହା ସ୍ପଷ୍ଟ କରିବାର ଉଦ୍ଦେଶ୍ୟ ହେଲା, ବର୍ତ୍ତମାନ ସେ ନିଜକୁ ବିପୁଳ ଭାବରେ ମହିମାନ୍ୱିତ କରିବାକୁ ଯାଉଛନ୍ତି । “ଅନସୂୟବେ”ର ଅନ୍ୟ ଏକ ଅର୍ଥ ହେଲା “ଯିଏ ଉପହାସ କରେ ନାହିଁ” । ଯେଉଁ ଶ୍ରୋତାମାନେ ଏପରି ଭାବିବେ ଯେ ଶ୍ରୀକୃଷ୍ଣ ବାହାସ୍ପୋଟ ମାରୁଛନ୍ତି ସେମାନେ ଏହି ଉପଦେଶ ଶୁଣି ଉପକୃତ ହେବେ ନାହିଁ । ବରଂ ସେମାନେ ନିଜର କ୍ଷତି କରିବେ, କାରଣ ସେମାନେ ଭାବିବେ, “ଦେଖ ଏହି ଦମ୍ଭୀ ବ୍ୟକ୍ତିକୁ, ସେ କିପରି ନିଜର ପ୍ରଶଂସା କରୁଛି” ।

ଅହଂକାର ଏବଂ ଗର୍ବରୁ ଉତ୍ପନ୍ନ ଏହି ମନୋଭାବ, ବ୍ୟକ୍ତିର ଭଗବଦୀୟ ଶ୍ରଦ୍ଧାକୁ ହ୍ରାସ କରାଏ । ଈର୍ଷାନ୍ୱିତ ବ୍ୟକ୍ତି ଏହି ସାଧାରଣ ବିଷୟ ବୁଝିପାରନ୍ତି ନାହିଁ ଯେ ଭଗବାନଙ୍କର ନିଜସ୍ୱ କୌଣସି ଆବଶ୍ୟକତା ନ ଥାଏ, ସେ ଯାହାବି କରନ୍ତି ଜୀବର କଲ୍ୟାଣ ଉଦ୍ଦେଶ୍ୟରେ କରନ୍ତି । ନିଜକୁ ମହିମାନ୍ୱିତ କରିବାର ପୃଷ୍ଠଦେଶରେ ତାଙ୍କର ବାସ୍ତବ ଉଦ୍ଦେଶ୍ୟ ହେଲା ଜୀବର ତାଙ୍କ ପ୍ରତି ଭକ୍ତିଭାବ ବୃଦ୍ଧି କରିବା, ଅନ୍ୟଥା ଆମ୍ଭମାନଙ୍କ ପରି ତାଙ୍କଠାର କୌଣସି ଅହମିକା ଜନିତ ଦୋଷ ନାହିଁ । ଯୀଶୁ ଯେତେବେଳେ କହିଥିଲେ, “ମୁଁ ହିଁ ପଥ ଓ ମୁଁ ହିଁ ମାର୍ଗ”, ସେ ଶ୍ରୋତାମାନଙ୍କ ପ୍ରତି ଦୟା ପରବଶ ହୋଇ ତାହା କହିଥିଲେ, ତାହା ତାଙ୍କ ଗର୍ବର ପରିପ୍ରକାଶ ନୁହେଁ । ଜଣେ ସଦ୍‌ଗୁରୁ ଭାବରେ ସେ ନିଜର ଶିଷ୍ୟମାନଙ୍କୁ କହୁଛନ୍ତି, ଈଶ୍ୱରଙ୍କ ପ୍ରତି ମାର୍ଗ ଗୁରୁଙ୍କ ମାଧ୍ୟମରେ ହିଁ ଅଟେ । କିନ୍ତୁ ଈର୍ଷାଭାବାପନ୍ନ ବ୍ୟକ୍ତି ଏହି ବକ୍ତବ୍ୟ ପଛରେ ନିହିତ ଥିବା କୃପା ଅନୁଭବ ନ କରି, ତାହାକୁ ଆତ୍ମଗର୍ବ ଭାବେ ଚିତ୍ରଣ କରନ୍ତି । ଅର୍ଜୁନ ଉଦାର ଏବଂ ଈର୍ଷା ରହିତ ହୋଇଥିବା ଦୃଷ୍ଟିରୁ, ଏହି ଅଧ୍ୟାୟରେ ଶ୍ରୀକୃଷ୍ଣ ପ୍ରକାଶ କରିବାକୁ ଯାଉଥିବା ଗୁଢ଼ଜ୍ଞାନ ଶ୍ରବଣ କରିବାର ସେ ଯୋଗ୍ୟ ଅଧିକାରୀ ଅଟନ୍ତି ।

ଦ୍ୱିତୀୟ ଅଧ୍ୟାୟରେ ଶ୍ରୀକୃଷ୍ଣ ଏହି ଜ୍ଞାନ ପ୍ରଦାନ କରିଥିଲେ ଯେ, ଆତ୍ମା ଶରୀରଠାରୁ ପୃଥକ ଏକ ନିର୍ଦ୍ଦିଷ୍ଟ ସତ୍ତା ଅଟେ । ତାହା ଗୁହ୍ୟ ବା ଗୁପ୍ତ ଜ୍ଞାନ ଅଟେ । ସପ୍ତମ ଓ ଅଷ୍ଟମ ଅଧ୍ୟାୟରେ ସେ ତାଙ୍କର ଶକ୍ତି ବିଷୟରେ ଧାରଣା ଦେଲେ, ଯାହା ଗୁହ୍ୟତର ଅଟେ । ନବମ ଓ ତତ୍ ପରବର୍ତ୍ତୀ ଅଧ୍ୟାୟ ମାନଙ୍କରେ ଯେ ତାଙ୍କର ବିଶୁଦ୍ଧ ଭକ୍ତି ବିଷୟକ ଜ୍ଞାନ ପ୍ରକାଶ କରିବେ ଯାହା ଗୁହ୍ୟତମ ବା ସର୍ବାଧିକ ଗୁପ୍ତ ଅଟେ ।