Bhagavad Gita: Chapter 9, Verse 9

ନ ଚ ମାଂ ତାନି କର୍ମାଣି ନିବଧ୍ନନ୍ତି ଧନଞ୍ଜୟ ।
ଉଦାସୀନବଦାସୀନମସକ୍ତଂ ତେଷୁ କର୍ମସୁ ।।୯।।

ନ - କେବେ ନୁହେଁ; ଚ - ମଧ୍ୟ; ମାଂ- ମୋତେ; ତାନି - ସେହି ସମସ୍ତ; କର୍ମାଣି - କର୍ମସମୂହ; ନିବଧ୍ନନ୍ତି - ବାନ୍ଧି ପାରନ୍ତି; ଧନଞ୍ଜୟ - ହେ ଧନଞ୍ଜୟ; ଉଦାସୀନ -ବତ୍ - ଉଦାସନୀ ପରି; ଆସୀନମ୍ - ଅବସ୍ଥିତ; ଅସକ୍ତଂ - ଆସକ୍ତିି ରହିତ; ତେଷୁ - ସେହି ସମସ୍ତ; କର୍ମସୁ- କର୍ମମାନଙ୍କରେ ।

Translation

BG 9.9: ହେ ଧନଞ୍ଜୟ! ଏହି କର୍ମ ଗୁଡ଼ିକ ମୋତେ ବାନ୍ଧି ପାରନ୍ତି ନାହିଁ । ମୁଁ ଏକ ନିରପେକ୍ଷ ଦ୍ରଷ୍ଟା ଭାବରେ ସେହି ସମସ୍ତ କର୍ମରୁ ସର୍ବଦା ମୁକ୍ତ ରହିଥାଏ ।

Commentary

ମାୟାଶକ୍ତି ବାସ୍ତବରେ ନିଷ୍କ୍ରିୟ ଏବଂ ଜଡ ଅଟେ଼ । ଏହା ଚେତନା ଯୁକ୍ତ ନୁହେଁ, ଯାହାକି ଜୀବନର କାରଣ ଅଟେ । ଆମେ ଏପରି ଭାବି ଆଶ୍ଚର୍ଯ୍ୟ ହୋଇପାରେ ଯେ ଜଡ ହୋଇ ମଧ୍ୟ ଏହା ସଂସାର ସୃଷ୍ଟି କରିବା ଭଳି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କିପରି କରେ । ରାମାୟଣ ଏହାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିବାକୁ ଯାଇ କହେ:

“ଜାସୁ ସତ୍ୟତା ତେଁ ଜଡ ମାୟା, ଭାସ ସତ୍ୟ ଇବ ମୋହ ସହାୟା ।”

“ମାୟା ଶକ୍ତି ନିଜେ ଜଡ଼ ଅଟେ । କିନ୍ତୁ ଭଗବାନଙ୍କଠାରୁ ଶକ୍ତି ପ୍ରାପ୍ତ କରି ଏହା ଚେତନ ସ୍ୱରୂପ କାର୍ଯ୍ୟ କରିଥାଏ” । ଏହା ରୋଷେଇଘରେ ଥିବା ଏକ ଚିମୁଟା ସଦୃଶ ଅଟେ । ତାହା ନିଜେ ଜଡ଼ ଅଟେ । କିନ୍ତୁ ତାହା ଯେତେବେଳେ ରୋଷେଇଆର ହାତରେ ଥାଏ, ତାହା ଗରମ କଡ଼ାଇକୁ ଉଠାଇବା ପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥାଏ । ସେହିପରି ମାୟାଶକ୍ତିର କାର୍ଯ୍ୟ କରିବା ପାଇଁ ନିଜସ୍ୱ ଶକ୍ତି ନାହିଁ । ଭଗବାନ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା କରନ୍ତି, ସେ ମାୟା ଆଡ଼କୁ ଦୃଷ୍ଟିନିକ୍ଷେପ କରି ତାକୁ ସଜୀବ କରିଦିଅନ୍ତି । କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦିଆଯାଇ ପାରେ ଯେ ଯଦିଓ ସୃଷ୍ଟି ପ୍ରକ୍ରିୟା ଭଗବାନଙ୍କର ଇଚ୍ଛା ଓ ପ୍ରେରଣାରେ ସମ୍ପନ୍ନ ହୁଏ, ତଥାପି ମାୟାର କାର୍ଯ୍ୟ ଦ୍ୱାରା ସେ ପ୍ରଭାବିତ ହୁଅନ୍ତି ନାହିଁ ।  ନିଜ ହ୍ଲାଦିନୀ ଶକ୍ତି ଦ୍ୱାରା ସର୍ବଦା ସେ ନିଜ ସ୍ୱରୂପରେ ଆନନ୍ଦମୟ ରହନ୍ତି । ସେଥିପାଇଁ ବେଦ ତାଙ୍କୁ ଆତ୍ମାରାମ କହିଥାଏ, ଅର୍ଥାତ୍ କୌଣସି ବାହ୍ୟ ଆନନ୍ଦ ବିନା ଯିଏ ନିଜେ ନିଜକୁ ଆନନ୍ଦିତ ରଖନ୍ତି” । ସେ କାହା ଦ୍ୱାରା ପ୍ରଭାବିତ ନହେବା କଥା କହିସାରି, ବର୍ତ୍ତମାନ ଭଗବାନ ବୁଝାଇବାକୁ ଯାଉଛନ୍ତି ଯେ, ସେ ଅକର୍ତ୍ତା ଏବଂ ସାକ୍ଷୀ ଅଟନ୍ତି ।