Bhagavad Gita: Chapter 9, Verse 5

ନ ଚ ମତ୍‌ସ୍ଥାନି ଭୂତାନି ପଶ୍ୟ ମେ ଯୋଗମୈଶ୍ୱରମ୍ ।
ଭୂତଭୃନ୍ନ ଚ ଭୂତସ୍ଥୋ ମମାତ୍ମା ଭୂତଭାବନଃ ।।୫।।

ନ- ନୁହେଁ; ଚ- ମଧ୍ୟ; ମତ୍‌-ସ୍ଥାନି- ମୋ’ଠାରେ ଅବସ୍ଥିତ; ଭୂତାନି - ସମସ୍ତ ସୃଷ୍ଟି; ପଶ୍ୟ-ଦେଖ; ମେ-ମୋର; ଯୋଗମ୍ ଐଶ୍ୱରମ୍ - ଅଚିନ୍ତ୍ୟ ଯୋଗଶକ୍ତି; ଭୂତ-ଭୃତ୍‌- ସମସ୍ତ ଜୀବର ଧାରଣ ଓ ପୋଷଣ କର୍ତ୍ତା; ନ- ନୁହେଁ; ଚ- ମଧ୍ୟ; ଭୂତସ୍ଥଃ- ଦୃଶ୍ୟମାନ ଜଗତରେ; ମମ-ମୋର; ଆତ୍ମା- ଆତ୍ମା; ଭୂତ-ଭାବନଃ - ସୃଷ୍ଟିକର୍ତ୍ତା ।

Translation

BG 9.5: ତଥାପି ସମସ୍ତ ଜୀବ ମୋ ଭିତରେ ନ ଥା’ନ୍ତି । ମୋର ଦିବ୍ୟ ଶକ୍ତିର ରହସ୍ୟକୁ ଦେଖ! ସମସ୍ତ ଜୀବଙ୍କର ସୃଷ୍ଟିକର୍ତ୍ତା ଓ ପାଳନ କର୍ତ୍ତା ହୋଇ ମଧ୍ୟ ମୁଁ ସେମାନଙ୍କ ଦ୍ୱାରା ଅଥବା ମାୟିକ ସୃଷ୍ଟି ଦ୍ୱାରା ପ୍ରଭାବିତ ହୁଏ ନାହିଁ ।

Commentary

ପୂର୍ବ ଶ୍ଲୋକରେ ବର୍ଣ୍ଣିତ ଦୁଇ ଶକ୍ତି - ମାୟା ଶକ୍ତି ଏବଂ ଜୀବ ଶକ୍ତି ବ୍ୟତିତ ଭଗବାନଙ୍କର ଏକ ତୃତୀୟ ଦିବ୍ୟ ଶକ୍ତି ରହିଛି, ଯାହାକୁ ଯୋଗମାୟା ଶକ୍ତି କୁହାଯାଏ । ଯୋଗମାୟା ଭଗବାନଙ୍କର ସର୍ବଶକ୍ତିସମ୍ପନ୍ନ କ୍ଷମତା ଅଟେ । ଏହା ‘କତୁଂ-ଅର୍କତୁଂ ସମର୍ଥଃ’ ବା ‘ଯାହା ଅସମ୍ଭବକୁ ସମ୍ଭବ କରିପାରେ’ । ଭଗବାନଙ୍କ ସ୍ୱରୂପର ଅନେକ ବିସ୍ମୟକର ବୈଶିଷ୍ଟ୍ୟକୁ ଏହା ପ୍ରତିପାଦିତ କରିଥାଏ । ଉଦାହରଣ ସ୍ୱରୂପ,ଭଗବାନ ଆମ ହୃଦୟରେ ଅଛନ୍ତି କିନ୍ତୁ ଆମେ ତାଙ୍କୁ ଅନୁଭବ କରିପାରୁନାହୁଁ । ଏହାର କାରଣ ତାଙ୍କର ଦିିବ୍ୟ ଯୋଗମାୟା ଶକ୍ତି ଆମକୁ ତାଙ୍କଠାରୁ ଦୂରେଇ ରଖିଥାଏ ।

ସେହିପରି, ଭଗବାନ ମଧ୍ୟ ତଦ୍ୱାରା ନିଜକୁ ମାୟାର ପ୍ରଭାବରୁ ଦୂରେଇ ରଖନ୍ତି । ଭାଗବତ ମହାପୁରାଣରେ ଦେବଗଣ ଭଗବାନଙ୍କର ଯଶୋଗାନ କରୁଛନ୍ତି:

“ବିଲଜ୍ଜମାନୟା ଯସ୍ୟ ସ୍ଥାତୁମୀକ୍ଷା-ପଥେଽମୁୟା”(୨.୫.୧୩)

“ମାୟା ଭଗବାନଙ୍କ ସମ୍ମୁଖରେ ଛିଡ଼ା ହେବା ପାଇଁ କୁଣ୍ଠବୋଧ କରେ” । ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଭଗବାନ ଜଡ ଶକ୍ତି ମାୟାରେ ବ୍ୟାପ୍ତ ରହି ମଧ୍ୟ ତା’ଠାରୁ ପୃଥକ୍ ରହନ୍ତି । ଏହା ମଧ୍ୟ ଯୋଗମାୟା ର ଚମତ୍କାର ଅଟେ ।

ସଂସାର ଯଦି ଭଗବାନଙ୍କୁ ପ୍ରଭାବିତ କରୁଥାନ୍ତା ତେବେ ସଂସାରର କ୍ଷୟ ବା ନାଶରେ, ଭଗବାନଙ୍କର ଗୁଣ ଓ ବ୍ୟକ୍ତିତ୍ୱରେ  ଅବକ୍ଷୟ ପରିଲକ୍ଷିତ ହୁଅନ୍ତା । ସଂସାରର ବିଭିନ୍ନ ରୂପାନ୍ତର ହେଉଥିବା ସତ୍ତ୍ୱେ, ଭଗବାନ ତାଙ୍କ ସ୍ୱରୂପରେ ସ୍ଥିତ ରହନ୍ତି । ସେଥିପାଇଁ ବେଦ ଭଗବାନଙ୍କୁ ‘ଦଶାଙ୍ଗୁଳି’ ବା ଦଶ ଆଙ୍ଗୁଠି କହିଥାଏ । ସେ ସଂସାରରେ ଥାଆନ୍ତି କିନ୍ତୁ ତା’ଠାରୁ ଦଶ ଆଙ୍ଗୁଠି ଦୂରରେ ଥାଆନ୍ତି - ଅସ୍ପୃଷ୍ଟ ଥାଆନ୍ତି ।