Bhagavad Gita: Chapter 4, Verse 18

କର୍ମଣ୍ୟକର୍ମ ଯଃ ପଶ୍ୟେଦକର୍ମଣି ଚ କର୍ମ ଯଃ ।
ସ ବୁଦ୍ଧିମାନ୍‌ମନୁଷ୍ୟେଷୁ ସ ଯୁକ୍ତଃ କୃତ୍ସ୍ନକର୍ମକୃତ୍ ।।୧୮।।

କର୍ମଣି- କର୍ମରେ; ଅକର୍ମ- ଅକର୍ମ; ଯଃ-ଯିଏ; ପଶ୍ୟେତ୍‌- ଦେଖେ; ଅକର୍ମଣି-ଅକର୍ମରେ; ଚ-ମଧ୍ୟ; କର୍ମ-କର୍ମ; ଯଃ-ଯିଏ; ସଃ-ସେ; ବୁଦ୍ଧିମାନ୍‌- ବୁଦ୍ଧିମାନ ଅଟେ; ମନୁଷ୍ୟେଷୁ- ମନୁଷ୍ୟ ମଧ୍ୟରେ; ସଃ-ସେମାନେ; ଯୁକ୍ତଃ- ଯୋଗୀ; କୃତ୍ସ୍ନ-କର୍ମ-କୃତ୍‌- ସମସ୍ତ ପ୍ରକାର କର୍ମରେ ନିଯୁକ୍ତ ଥାଆନ୍ତି ।

Translation

BG 4.18: ଯେଉଁମାନେ କର୍ମ ମଧ୍ୟରେ ଅକର୍ମ ଏବଂ ଅକର୍ମ ମଧ୍ୟରେ କର୍ମ ଦେଖି ପାରନ୍ତି, ସେମାନେ ମନୁଷ୍ୟମାନଙ୍କ ମଧ୍ୟରେ ବିଜ୍ଞ ଅଟନ୍ତି । ସମସ୍ତ ପ୍ରକାର କାର୍ଯ୍ୟ କରୁଥିଲେ ମଧ୍ୟ, ସେମାନେ ଯୋଗୀ ତଥା ତାଙ୍କ କର୍ମର ନିୟନ୍ତ୍ରକ ଅଟନ୍ତି ।

Commentary

କର୍ମରେ ଅକର୍ମ - ଏହି ପ୍ରକାର ଅକର୍ମରେ, ବ୍ୟକ୍ତି ନିଜ ସାମାଜିକ କର୍ତ୍ତବ୍ୟକୁ ଏକ ବୋଝ ସଦୃଶ ଚିନ୍ତା କରିଥାଏ ଏବଂ ଆଳସ୍ୟଯୁକ୍ତ ହୋଇ ତାହା ତ୍ୟାଗ କରିଥାଏ । କିନ୍ତୁ ବାହ୍ୟତଃ କର୍ମ ତ୍ୟାଗ କରିଥିଲେ ମଧ୍ୟ ତାଙ୍କର ମନ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁର ଚିନ୍ତନ କରିଚାଲିଥାଏ । ଏପରି ବ୍ୟକ୍ତିମାନେ ବାହାରକୁ ନିଷ୍କ୍ରିୟ ଦେଖାଯାଆନ୍ତି, କିନ୍ତୁ ତାଙ୍କର ଆଳସ୍ୟଯୁକ୍ତ ନିଷ୍କ୍ରିୟତା ବାସ୍ତବରେ ପାପପୂର୍ଣ୍ଣ କର୍ମ ଅଟେ । ଯେତେବେଳେ ଅର୍ଜୁନ ନିଜର ଯୁଦ୍ଧ-ରୂପୀ କର୍ତ୍ତବ୍ୟ ତ୍ୟାଗ କରିବାକୁ ଇଚ୍ଛା କରିଥିଲେ, ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ବୁଝାଇଥିଲେ ଯେ ତାହା ପାପ ଅଟେ ଏବଂ ସେପରି ଅକର୍ମ ପାଇଁ ତାଙ୍କୁ ନର୍କଗାମୀ ହେବାକୁ ପଡିପାରେ ।

ଅକର୍ମରେ କର୍ମ - ଅନ୍ୟ ଏକ ପ୍ରକାର ଅକର୍ମ ଅଛି ଯାହା କର୍ମଯୋଗୀମାନେ କରିଥାନ୍ତି । ସେମାନେ ଫଳର କୌଣସି ଆଶା ନ ରଖି, କର୍ମ ଫଳକୁ ଭଗବାନଙ୍କଠାରେ ଅର୍ପଣ କରି ତାଙ୍କର ସାମାଜିକ ଦାୟିତ୍ୱ ତୁଲାଇଥାନ୍ତି । ସେଥିପାଇଁ ସମସ୍ତ ପ୍ରକାର କର୍ମ କରି ମଧ୍ୟ ସେମାନେ କର୍ମର ପ୍ରତିକ୍ରିୟାରେ ଛନ୍ଦି ହୁଅନ୍ତି ନାହିଁ; ଯେହେତୁ ଏହା ନିଜ ସୁଖ ପାଇଁ କରାଯାଇ ନ ଥାଏ । ଭାରତ ଇତିହାସରେ ଧ୍ରୁବ, ପ୍ରହ୍ଲାଦ, ଯୁଧିଷ୍ଠିର, ପୃଥୁ ଓ ଅମ୍ବରିଶ ଆଦି ଅନେକ ଯଶସ୍ୱୀ ରାଜା ଥିଲେ, ଯେଉଁମାନେ ପୂର୍ଣ୍ଣ ନିଷ୍ଠାର ସହିତ ତାଙ୍କର ରାଜକୀୟ କର୍ତ୍ତବ୍ୟ ପାଳନ କରିଥିଲେ । କିନ୍ତୁ ଯେହେତୁ ସେମାନଙ୍କର ମନ ଭୌତିକ କାମନାଯୁକ୍ତ ନ ଥିଲା, ତାଙ୍କର କର୍ମକୁ ଅକର୍ମ କୁହାଯାଉଥିଲା । ଅକର୍ମର ଅନ୍ୟ ଏକ ନାମ କର୍ମଯୋଗ, ଯାହା ପୂର୍ବବର୍ତ୍ତୀ ଦୁଇଟି ଅଧ୍ୟାୟରେ ବିସ୍ତାର ପୂର୍ବକ ବର୍ଣ୍ଣନା କରାଯାଇଛି ।

Watch Swamiji Explain This Verse