Bhagavad Gita: Chapter 4, Verse 37

ଯଥୈଧାଂସି ସମିଦ୍ଧୋଽଗ୍ନିର୍ଭସ୍ମସାତ୍‌କୁରୁତେଽର୍ଜୁନ ।
ଜ୍ଞାନାଗ୍ନିଃ ସର୍ବକର୍ମାଣି ଭସ୍ମସାତ୍‌କୁରୁତେ ତଥା ।। ୩୭ ।।

ଯଥା - ଯେପରି; ଏଧାଂସି- ଇନ୍ଧନ; ସମିଦ୍ଧ -ପ୍ରଜ୍ୱଳିତ; ଅଗ୍ନିଃ -ଅଗ୍ନି; ଭସ୍ମସାତ୍‌- ଭସ୍ମୀଭୂତ; କୁରୁତେ -କରେ; ଅର୍ଜୁନ -ହେ ଅର୍ଜୁନ; ଜ୍ଞାନ-ଅଗ୍ନିଃ -ଜ୍ଞାନାଗ୍ନି; ସର୍ବକର୍ମାଣି -ସମସ୍ତ ଭୌତିକ କର୍ମର ପ୍ରତିକ୍ରିୟାକୁ; ଭସ୍ମସାତ୍ -ଭସ୍ମୀଭୂତ; କୁରୁତେ -କରେ; ତଥା - ସେହିପରି ।

Translation

BG 4.37: ହେ ଅର୍ଜୁନ! ଅଗ୍ନିଶିଖା ଯେପରି ଇନ୍ଧନକୁ ପାଉଁଶରେ ପରିଣତ କରିଦିଏ, ସେହିପରି ଜ୍ଞାନର ଅଗ୍ନି ସାଂସାରିକ କର୍ମର ଫଳକୁ ଜଳାଇ ଭସ୍ମ କରିଦିଏ ।

Commentary

ଗୋଟିଏ ଛୋଟ ସ୍ଫୁଲିଙ୍ଗର ମଧ୍ୟ ଏକ ବିରାଟ ଅଗ୍ନିକାଣ୍ଡ ଘଟାଇବାର ଶକ୍ତି ଅଛି ଏବଂ ଦହନଶୀଳ ପଦାର୍ଥର ବିଶାଳ ସ୍ତୂପକୁ ମଧ୍ୟ ତାହା ଜାଳି ଦେଇପାରେ । ୧୬୬୬ ମସିହାରେ ଲଣ୍ଡନରେ ଏକ ରୋଟି କାରଖାନାରେ ଘଟିଥିବା ବିଶାଳ ଅଗ୍ନିକାଣ୍ଡ ଏକ ଛୋଟ ସ୍ଫୁଲିଙ୍ଗରୁ ଆରମ୍ଭ ହୋଇଥିଲା । କିନ୍ତୁ ଏହା ବୃଦ୍ଧିପାଇ ୧୩୨୦୦ଟି ଗୃହ, ୮୭ଟି ଚର୍ଚ୍ଚ ଏହଂ ସହରର ଅନେକ ଅଫିସ୍‌କୁ ଭସ୍ମ କରି ଦେଇଥିଲା ।

ଆମ ସମସ୍ତଙ୍କର ମଧ୍ୟ ଅନନ୍ତ ପୂର୍ବ ଜନ୍ମର ପାପ ଓ ପୁଣ୍ୟ କର୍ମର ପ୍ରତିକ୍ରିୟା ଭାବରେ କୁଢ଼ କୁଢ଼ କର୍ମ ରହିଛି । ଆମେ ଯଦି ଏହି କର୍ମଗୁଡିକୁ ଭୋଗ କରି ସମାପ୍ତ କରିବାକୁ ଉଦ୍ୟମ କରିବା, ସେଥିପାଇଁ ଅନେକ ଜନ୍ମ ଲାଗିଯିବ ଏବଂ ସେଥିରେ ଅନ୍ତହୀନ ଭାବରେ ଅନେକ ନୂତନ କର୍ମ ମଧ୍ୟ ଯୋଗ ହେବାରେ ଲାଗିବ । କିନ୍ତୁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁୁ ଦୃଢ ପ୍ରତିଶୃତି ଦେଉଛନ୍ତି ଯେ ଏହି ଜନ୍ମରେ ହିଁ ସେହି କର୍ମର ଭଣ୍ଡାରକୁ ଭସ୍ମ କରିବାର ଶକ୍ତି ଜ୍ଞାନରେ ଅଛି । କାରଣ ଆତ୍ମା ବିଷୟରେ ଜ୍ଞାନ ଏବଂ ଭଗବାନଙ୍କ ସହିତ ତା’ର ସମ୍ବନ୍ଧ ବିଷୟରେ ଜ୍ଞାନ, ଆମକୁ ଭଗବାନଙ୍କର ଶରଣାଗତ କରାଇ ଥାଏ । ଆମେ ଯେତେବେଳେ ଭଗବାନଙ୍କର ଶରଣାଗତ ହେଉ, ସେ ଆମର ଅନନ୍ତ ଜନ୍ମର ସଞ୍ôଚତ କର୍ମକୁ ଭସ୍ମ କରି ଆମକୁ ଭୌତିକ ବନ୍ଧନକୁ ମୁକ୍ତ କରିଦିଅନ୍ତି ।

Watch Swamiji Explain This Verse