Bhagavad Gita: Chapter 4, Verse 15

ଏବଂ ଜ୍ଞାତ୍ୱା କୃତଂ କର୍ମ ପୂର୍ବୈରପି ମୁମୁକ୍ଷୁଭିଃ ।
କୁରୁ କର୍ମେ÷ବ ତସ୍ମାତ୍ତ୍ୱଂ ପୂର୍ବୈଃ ପୂର୍ବତରଂ କୃତମ୍ ।।୧୫।।

ଏବଂ- ଏହିପରି; ଜ୍ଞାତ୍ୱା-ଜାଣି; କୃତଂ-କୃତ; କର୍ମ-କର୍ମ; ପୂର୍ବେ÷ଃ-ପୂର୍ବ ଯୁଗର; ଅପି -ଯଦିଓ; ମୁମୁକ୍ଷୁଭିଃ -ମୋକ୍ଷକାମୀମାନେ; କୁରୁ-କରିବା ଉଚିତ୍‌; କର୍ମ-କର୍ତ୍ତବ୍ୟ; ଏବ-ନିଶ୍ଚିତଭାବେ; ତସ୍ମାତ୍‌-ତେଣୁ; ତ୍ୱଂ-ତୁମେ; ପୂର୍ବୈଃ- ପୂର୍ବ ମହାଜନମାନଙ୍କ ଦ୍ୱାରା; ପୂର୍ବତରଂ-ପ୍ରାଚୀନ ଯୁଗରେ; କୃତଂ-ଯେପରି କରିଯାଇଛନ୍ତି ।

Translation

BG 4.15: ପ୍ରାଚୀନ କାଳରେ ମୁକ୍ତିକାମୀ ମହାପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁସାରେ କର୍ମ କରୁଥିଲେ । ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ ତୁମର କର୍ତ୍ତବ୍ୟ କରିବା ଉଚିତ ।

Commentary

ଯେଉଁ ମହାପୁରୁଷମାନେ ଭଗବାନଙ୍କୁ ପ୍ରାପ୍ତ କରିବାକୁ ଇଚ୍ଛା କରନ୍ତି, ସେମାନେ ଭୌତିକ ଲାଭ ଉଦ୍ଦେଶ୍ୟରେ କର୍ମ କରନ୍ତି ନାହିଁ । ତେବେ ସେମାନେ ସାଂସାରିକ କର୍ମ କରନ୍ତି କାହିଁକି? ତା’ର କାରଣ ଏହା ଯେ ସେମାନେ ଭଗବାନଙ୍କର ସେବା କରିବାକୁ ଚାହାଁନ୍ତି ଏବଂ ତାଙ୍କ ଖୁସି ପାଇଁ ସେମାନେ କର୍ମ କରିବାକୁ ପ୍ରେରିତ ହୁଅନ୍ତି । ପୂର୍ବ ଶ୍ଲୋକର ଜ୍ଞାନ ତାଙ୍କୁ ଏହି ଆଶ୍ୱାସନା ଦିଏ ଯେ ଭକ୍ତିଯୁକ୍ତ କଲ୍ୟାଣକାରୀ କର୍ମ ସେମାନଙ୍କୁ ବନ୍ଧନରେ ପକାଇବ ନାହିଁ । ଭଗବାନଙ୍କ ପ୍ରତି ବିମୁଖ ହୋଇ ଭୌତିକ ଜଗତରେ କଷ୍ଟଭୋଗ କରୁଥିବା ଜୀବାତ୍ମା ମାନଙ୍କୁ ଦେଖି ତାଙ୍କର ହୃଦୟ ତରଳି ଯାଏ ଏବଂ ସେମାନଙ୍କର ଆଧ୍ୟାତ୍ମିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେମାନେ ପ୍ରେରିତ ହୋଇଥାନ୍ତି । ଏକଦା ବୁଦ୍ଧଦେବ କହିଥିଲେ, “ଭଗବତ ପ୍ରାପ୍ତି ପରେ ତୁମ ସମ୍ମୁଖରେ ଦୁଇଟି ବିକଳ୍ପ ଥାଏ- ତୁମେ କିଛି କରି ନ ପାର, ବା ଅନ୍ୟର ଭଗବତ୍ ପ୍ରାପ୍ତି କରାଇବାରେ ସାହାଯ୍ୟ କରିପାର ।”

ତେଣୁ ଯେଉଁ ମହାପୁରୁଷ ମାନଙ୍କର ନିଜର ସ୍ୱାର୍ଥପୂର୍ତ୍ତି ଉଦ୍ଦେଶ୍ୟରେ କୌଣସି କାର୍ଯ୍ୟ କରିବାର ନ ଥାଏ, ସେମାନେ ଭଗବତ୍ ପ୍ରୀତ୍ୟର୍ଥ କର୍ମରେ ପ୍ରବୃତ୍ତ ହୁଅନ୍ତି । ଭକ୍ତି ଯୁକ୍ତ କର୍ମ ଭଗବାନଙ୍କର କୃପା ଆକର୍ଷିତ କରିଥାଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହିପରି କରିବାକୁ କହୁଛନ୍ତି । ଅର୍ଜୁନଙ୍କୁ ବନ୍ଧନରେ ପକାଉ ନ ଥିବା କର୍ମ କରିବାକୁ କହିବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ କର୍ମର ଦର୍ଶନ ବ୍ୟାଖ୍ୟ କରିବାକୁ ଯାଉଛନ୍ତି ।