ତୃତୀୟ ଅଧ୍ୟାୟ: କର୍ମ ଯୋଗ

କର୍ମ ଯୋଗ

ଏହି  ଅଧ୍ୟାୟରେ ଶ୍ରୀକୃଷ୍ଣ ବର୍ଣ୍ଣନା କରିଛନ୍ତି ଯେ- ପ୍ରତ୍ୟେକ ଜୀବ ନିଜର ଅର୍ନ୍ତନିହିତ ଗୁଣ ଅନୁଯାୟୀ ପ୍ରତିକ୍ଷଣ କର୍ମ କରିବାକୁ ବାଧ୍ୟ ହୋଇଥାଆନ୍ତି ଏବଂ କେହି ମଧ୍ୟ ବିନା କର୍ମରେ ଗୋଟିଏ ବି ମୁହୁର୍ତ୍ତ ରହି ପାରିବେ ନାହିଁ । ଯେଉଁ ମାନେ ବାହ୍ୟ ରୂପରେ ତ୍ୟାଗ ପ୍ରଦର୍ଶନ କରି ଗେରୁଆ ବସ୍ତ୍ର  ଧାରଣ କରନ୍ତି, କିନ୍ତୁ ଅନ୍ତରରେ କାମନା ଯୁକ୍ତ ଥାଆନ୍ତି, ସେମାନେ ପ୍ରତାରକ ଅଟନ୍ତି । ତାଙ୍କଠାରୁ ଶ୍ରେୟ ସେମାନେ ଅଟନ୍ତି,  ଯିଏ କର୍ମଯୋଗ ପାଳନ ପୂର୍ବକ, ସମସ୍ତ ବାହ୍ୟ କର୍ମ ନିର୍ବାହ କରି, ଆନ୍ତରିକ ଭାବେ କାମନା ପରିତ୍ୟାଗ କରନ୍ତି । ଶ୍ରୀକୃଷ୍ଣ ପୁଣି ଗୁରୁତ୍ୱ ଦେଉଛନ୍ତି ଯେ, ଭଗବାନଙ୍କ ସୃଷ୍ଟିର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ, ସମସ୍ତ ପ୍ରାଣୀଙ୍କର ଏକ କର୍ତ୍ତବ୍ୟ ପୂରଣ କରିବାର ଦାୟୀତ୍ୱ ରହିଅଛି ।  ଆମେ ଯେତେବେଳେ  ନିଜର କର୍ତ୍ତବ୍ୟକୁୁ ଭଗବାନଙ୍କର ଅନୁଗ୍ରହ ଭାବେ ପାଳନ କରୁ, ତାହାହିଁ “ଯଜ୍ଞ” ରେ ପରିଣତ ହୁଏ । ଯଜ୍ଞ ସ୍ୱର୍ଗର ଦେବତା ମାନଙ୍କୁ ସନ୍ତୁଷ୍ଟ କରିଥାଏ ଏବଂ ଦେବତାମାନେ ଆମକୁ ସଂସାରକିି ବୈଭବ ପ୍ରଦାନ କରିଥାଆନ୍ତି । ଯଜ୍ଞ ଦ୍ୱାରା ବୃଷ୍ଟି  ହୁଏ ଏବଂ ବୃଷ୍ଟି ଶସ୍ୟ ଉତ୍ପାଦନ କରାଏ,  ଯାହା ଜୀବନ ଧାରଣ ପାଇଁ  ଆବଶ୍ୟକ ଅଟେ । ଯେଉଁମାନେ ଏହି ସୃଷ୍ଟିଚକ୍ରରେ ନିଜର ଦାୟୀତ୍ୱ ଗ୍ରହଣ କରନ୍ତି ନାହିଁ, ସେମାନେ ପାପିି ଅଟନ୍ତି ।  ସେମାନେ କେବଳ ନିଜର ଇନ୍ଦ୍ରିୟ ମାନଙ୍କର ସୁଖ ପାଇଁ ଜୀବନ ଧାରଣ କରିଥାଆନ୍ତି ଏବଂ ସେମାନଙ୍କର ଜନ୍ମ ବ୍ୟର୍ଥ ଅଟେ ।

ପୁନଶ୍ଚ ଶ୍ରୀକୃଷ୍ଣ କହୁଛନ୍ତି ଯେ, ସାଧାରଣ ଜୀବପରି ତତ୍ତ୍ୱଦର୍ଶୀମାନେ, ଯେଉଁମାନେ କି ଆତ୍ମାରେ ସ୍ଥିତ ରହିଥାଆନ୍ତି, ଶାରୀରିକ କର୍ତ୍ତବ୍ୟ ସମ୍ପାଦନ କରିବାକୁ ବାଧ୍ୟ ନୁହଁନ୍ତି, କାରଣ ଆତ୍ମିକ ସ୍ତରରେ ସେମାନେ ଉଚ୍ଚତର କର୍ତ୍ତବ୍ୟ ନିର୍ବାହ କରୁଥାଆନ୍ତି । ତଥାପି, ସେମାନଙ୍କର ସେହି ବାହ୍ୟ କର୍ମ ତ୍ୟାଗ, ସେମାନଙ୍କର ପଦାଙ୍କ ଅନୁସରଣ କରୁଥିବା ସାଧାରଣ ମନୁଷ୍ୟଙ୍କ ମନରେ ଦ୍ୱନ୍ଦ ଉତ୍ପନ୍ନ କରିଥାଏ । ସେଥିପାଇଁ ସଂସାର ସମ୍ମୁଖରେ ଆଦର୍ଶ ସ୍ଥାପନ କରିବା ଉଦ୍ଦେଶ୍ୟରେ ସେମାନେ କର୍ମ କରିଥାଆନ୍ତି, ଯଦିଓ ସେଥିରେ ତାଙ୍କର କୌଣସି ସ୍ୱାର୍ଥ ନିହିତ ନ ଥାଏ । ଏହା ଅଳ୍ପଜ୍ଞ ବ୍ୟକ୍ତିମାନଙ୍କୁୁ ସମୟ ପୂର୍ବରୁ ସେମାନଙ୍କର ବିହିତ କର୍ମ ତ୍ୟାଗ କରିବାରୁ ନିବୃତ୍ତ କରିଥାଏ । ଅତୀତରେ ସେହି ଉଦ୍ଦେଶ୍ୟରେ ଜନକ  ଆଦି ତତ୍ତ୍ୱଦର୍ଶୀ ରାଜାମାନେ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ  କରୁଥିଲେ । 

ଏହା ପରେ ଅର୍ଜୁନ  ପଚାରୁଛନ୍ତି, ମନୁଷ୍ୟ ନିଜର ଅନିଚ୍ଛାସତ୍ୱେ, ବାଧ୍ୟ ହେଲାଭଳି, ପାପ କର୍ମ କାହିଁକି କରେ? ଉତ୍ତର ଦେବାକୁ ଯାଇ ପରମ ପୁରୁଷ ଭଗବାନ କହୁଛନ୍ତି ଯେ ସଂସାରର ସର୍ବଗ୍ରାସୀ ପାପମୟ ଶତ୍ରୁ କେବଳ କାମନା ହିଁ ଅଟେ । ଧୂଆଁ  ଅଗ୍ନିକୁୁ ଏବଂ ଧୂଳି ଦର୍ପଣକୁ ଆବୃତ୍ତ କରି ଅସ୍ପଷ୍ଟ କରିଦେବା ପରି, କାମନା ବ୍ୟକ୍ତିର ଜ୍ଞାନକୁ ଆବୃତ୍ତକରି ବୁଦ୍ଧିକୁ ବାଟବଣା କରିଦିଏ ।  ଶେଷରେ ଶ୍ରୀକୃଷ୍ଣ ଉଦ୍‌ଘୋଷଣା କରି ଅର୍ଜୁନଙ୍କୁ କହୁଛନ୍ତି - ପାପର ମୁର୍ତ୍ତି ମାନ ସ୍ୱରୂପ, କାମନା ନାମକ ଏହି ଶତ୍ରୁର ବିନାଶ କରି, ଇନ୍ଦ୍ରିୟ ମନ ଓ ବୁଦ୍ଧିକୁୁ ନିଜର ବଶୀଭୂତ କର ।

ଅର୍ଜୁନ କହିଲେ, ହେ ଜନାର୍ଦ୍ଦନ! ଆପଣ ଯଦି ଜ୍ଞାନକୁ କର୍ମ ଠାରୁ ଶ୍ରେଷ୍ଠ ବୋଲି କହୁଛନ୍ତି, ତାହେଲେ ମୋତେ ଯୁଦ୍ଧ କରିବାକୁ କାହିଁକି କହୁଛନ୍ତି ? ଆପଣଙ୍କର ଅସ୍ପଷ୍ଟ ଉପଦେଶ ଦ୍ୱାରା ମୋର ବୁଦ୍ଧି ଭ୍ରମିତ ହୋଇ ଯାଉଅଛି । ଦୟା କରି ନିର୍ଦ୍ଧିଷ୍ଟ ଭାବେ ଗୋଟିଏ ମାର୍ଗ କଥା କୁହନ୍ତୁ ଯାହା ଦ୍ୱାରା ମୁଁ ଉଚ୍ଚତମ ଲାଭ ପ୍ରାପ୍ତ କରିପାରିବି ।

ଶ୍ରୀ ଭଗବାନ କହିଲେ: ହେ ନିଷ୍ପାପ ଅର୍ଜୁନ, ଦିବ୍ୟଜ୍ଞାନ ପ୍ରାପ୍ତିର ଦୁଇଟି ମାର୍ଗ ମୁଁ ପୂର୍ବରୁ ବର୍ଣ୍ଣନା କରିଛି : ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ପାଇଁ ଜ୍ଞାନ ମାର୍ଗ ଏବଂ କର୍ମପ୍ରିୟ ବ୍ୟକ୍ତି ମାନଙ୍କ ପାଇଁ କର୍ମମାର୍ଗ ।

ଜଣେ କେବଳ କର୍ମତ୍ୟାଗ ଦ୍ୱାରା କର୍ମର ପ୍ରତିକ୍ରିୟାରୁ ମୁକ୍ତି ଲାଭ କରିପାରନ୍ତି ନାହିଁ ଅଥବା କେବଳ ସଂସାର ତ୍ୟାଗ ଦ୍ୱାରା ଜଣେ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିବେ ନାହିଁ ।

କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି ଗୁଣ) କର୍ମ କିରବାକୁ ବାଧ୍ୟ ଅଟନ୍ତି ।

ଯେଉଁ ବ୍ୟକ୍ତି କର୍ମେନ୍ଦ୍ରିୟ ମାନଙ୍କୁ ଦମନ କରିଥାନ୍ତି, କିନ୍ତୁ ଇନ୍ଦ୍ରିୟ ଭୋଗ୍ୟ ବସ୍ତୁ ଗୁଡିକ ପ୍ରତି ଲାଳସା ରଖିଥାନ୍ତି, ସେମାନେ ନିଜକୁ ପ୍ରତାରଣା କରିଥାଆନ୍ତି ଏବଂ ସେମାନଙ୍କୁ ଶଠ ବ୍ୟକ୍ତି କୁହାଯିବ ।

ହେ ଅର୍ଜୁନ! ଯେଉଁ କର୍ମଯୋଗୀଗଣ ମନ ଦ୍ୱାରା ନିଜର ଜ୍ଞାନେନ୍ଦ୍ରିୟମାନଙ୍କୁ ନିୟନ୍ତ୍ରିତ କରି, କର୍ମେନ୍ଦ୍ରିୟ ଦ୍ୱାରା ଆସକ୍ତି ରହିତ କର୍ମ କରନ୍ତି, ସେମାନେ ନିଶ୍ଚିିତ ରୂପେ ଉଚ୍ଚଶ୍ରେଣୀର ଅଟନ୍ତି ।

ଏହିପରି ଭାବରେ ତୁମେ ନିଜର ବେଦ ବିହିତ କର୍ମ କରିବା ଉଚିତ୍‌, ଯେହେତୁ କର୍ମ ଅକର୍ମଣ୍ୟତା ଠାରୁ ଶ୍ରେଷ୍ଠ ଅଟେ । କର୍ମତ୍ୟାଗ କରିବା ଦ୍ୱାରା ତୁମର ଶରୀର ପୋଷଣ ମଧ୍ୟ ଅସମ୍ଭବ ହୋଇପଡିବ ।

ସମସ୍ତ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ (ସମର୍ପଣ) ଭାବରେ କରାଯିବା ଉଚିିତ୍‌, ନଚେତ ତାହା ମାୟିକ ବନ୍ଧନ ସୃଷ୍ଟି କରିଥାଏ । ତେଣୁ ହେ କୁନ୍ତି ପୁତ୍ର! ତୁମେ ଫଳାସକ୍ତି ରହିତ ହୋଇ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ନିଜର ନିର୍ଦ୍ଧାରିତ କର୍ମ କର ।

ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର । ତୁମେ ଯାହା କିଛି ପାଇବାକୁ ଇଚ୍ଛା କରୁଛ, ସେମାନେ ତୁମକୁ ତାହା ପ୍ରଦାନ କରିବେ ।”

ତୁମ୍ଭମାନଙ୍କର ଯଜ୍ଞଦିକ କର୍ମଦ୍ୱାରା ସ୍ୱର୍ଗର ଦେବତା ମାନେ ତୃପ୍ତ ହେବେ, ଏବଂ ଦେବତା ଓ ମନୁଷ୍ୟମାନଙ୍କର ପରସ୍ପର ସହଯୋଗରେ ସର୍ବତ୍ର ସମସ୍ତଙ୍କ ପାଇଁ ସମୃଦ୍ଧି ବିରାଜମାନ କରିବ ।

ଯଜ୍ଞ ଆଦିି କରିବା ଦ୍ୱାରା ଦେବତା ମାନେ ଖୁସି ହୋଇ, ତୁମ ଜୀବନର ସମସ୍ତ ଆବଶ୍ୟକତା ପୂରଣ କରନ୍ତି କିନ୍ତୁ ଏହି ଅବଦାନକୁ, ଦେବତାମାନଙ୍କୁ ଅର୍ପଣ ନ କରି ଯେଉଁ ମାନେ ନିଜେ ହିଁ ଉପଭୋଗ କରନ୍ତି, ସେମାନେ ଚୋର ଅଟନ୍ତି ।

ଯେଉଁ ଧର୍ମ ପରାୟଣ ବ୍ୟକ୍ତି, ଭୋଜନକୁ ଭଗବାନଙ୍କୁ ଅର୍ପଣ କରି ପ୍ରସାଦ ରୂପରେ ଗ୍ରହଣ କରନ୍ତି, ସେ ସମସ୍ତ ପାପରୁ ମୁକ୍ତ ହୋଇ ଯାଆନ୍ତି । ଅନ୍ୟ ଯେଉଁ ମାନେ କେବଳ ନିଜର ଉପଭୋଗ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ କେବଳ ପାପ ହିଁ ଆହରଣ କରନ୍ତି ।

ସମସ୍ତ ପ୍ରାଣୀ ଜୀବନ ଧାରଣ ପାଇଁ ଖାଦ୍ୟ ଉପରେ ନିର୍ଭର କରନ୍ତି ଏବଂ ବର୍ଷାଦ୍ୱାରା ଖାଦ୍ୟ ଉତ୍ପନ୍ନ ହୁଏ । ଯଜ୍ଞ ଅନୁଷ୍ଠାନ ଦ୍ୱାରା ବୃଷ୍ଟିପାତ ହୁଏ ଏବଂ ଅନୁମୋଦିତ କର୍ତ୍ତବ୍ୟ ପାଳନ ଦ୍ୱାରା ଯଜ୍ଞ ସମ୍ପାଦିତ ହୋଇଥାଏ ।

ମନୁଷ୍ୟମାନଙ୍କର କର୍ତ୍ତବ୍ୟ ବେଦରେ ବର୍ଣ୍ଣନା କରାଯାଇଅଛି ଏବଂ ବେଦ ସ୍ୱୟଂ ଭଗବାନଙ୍କ ଦ୍ୱାରା ପ୍ରକଟିତ । ସେଥିପାଇଁ ଯଜ୍ଞାଦିକ କାର୍ଯ୍ୟରେ, ସର୍ବବ୍ୟାପୀ ପରମାତ୍ମା ସର୍ବଦା ଉପସ୍ଥିତ ରହନ୍ତି ।

ହେ ପାର୍ଥ, ଯେଉଁ ମାନେ ବେଦ ପ୍ରଣୀତ ଯଜ୍ଞ ଚକ୍ରରେ ନିଜର ଦାୟୀତ୍ୱ ବହନ କରନ୍ତି ନାହିଁ, ସେମାନେ ପାପ ଅର୍ଜନ କରନ୍ତି । ସେମାନେ ନିଜର ଇନ୍ଦ୍ରିୟ ସୁଖ ପାଇଁ ଜୀବନ ଧାରଣ କରିଥାନ୍ତି ଏବଂ ବାସ୍ତବରେ ସେମାନଙ୍କର ଜୀବନ ନିରର୍ଥକ ଅଟେ ।

କିନ୍ତୁ ଯେଉଁମାନେ ଆତ୍ମାନନ୍ଦରେ ବିଭୋର ରହି ଥାଆନ୍ତି, ଜ୍ଞାନୋଦୟ ହେବା ଦ୍ୱାରା ଯେଉଁମାନେ ଆତ୍ମାରେ ପୂର୍ଣ୍ଣ ସନ୍ତୁଷ୍ଟ ରହନ୍ତି, ସେମାନଙ୍କ ପାଇଁ କୌଣସି କର୍ମ ନାହିଁ ।

ଏହିପରି ଆତ୍ମଜ୍ଞାନ ଲାଭ କରିଥିବା ଜୀବମାନଙ୍କର କର୍ତ୍ତବ୍ୟ ପାଳନ କରିବା ଅଥବା କର୍ତ୍ତବ୍ୟ ତ୍ୟାଗ କରିବାରେ କୌଣସି ଲାଭ ବା କ୍ଷତି ହୁଏ ନାହିଁ । ସେମାନେ ନିଜର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଅନ୍ୟ କୌଣସି ଜୀବ ଉପରେ ନିର୍ଭର କରନ୍ତି ନାହିଁ ।

ତେଣୁ ଆସକ୍ତି ତ୍ୟାଗ କରି, ସମସ୍ତ କର୍ମ କର୍ତ୍ତବ୍ୟ ଭାବରେ କର କାରଣ କର୍ମଫଳ ପ୍ରତି ଆସକ୍ତି ନରଖି କାର୍ଯ୍ୟ କରିବା ଦ୍ୱାରା ବ୍ୟକ୍ତି ପରମଗତି ପ୍ରାପ୍ତ କରିଥାଏ ।

ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।

ହେ ପାର୍ଥ! ଏହି ତିନି ଲୋକରେ ମୋ ପାଇଁ କୌଣସି କର୍ତ୍ତବ୍ୟ ନାହିଁ, କିମ୍ବା ମୋର କିଛି ପାଇବାର ବା ହାସଲ କରିବାର ନାହିଁ । ତଥାପି ମୁଁ ମୋର ନିର୍ଦ୍ଧାରିତ କର୍ମରେ ନିୟୋଜିତ ରହିଛି ।

ହେ ପାର୍ଥ! ମୁଁ ଯଦି ମୋର ବିିହିତ କର୍ମ ନ କରେ, ତେବେ ମନୁଷ୍ୟ ସର୍ବତୋ ଭାବରେ ତାହାର ହିଁ ଅନୁସରଣ କରିବ ।

ମୁଁ ଯଦି ଉଚିତ କର୍ମ ନ କରେ, ତେବେ ସମ୍ପୂର୍ଣ୍ଣ ଜଗତ ଧଂସ ହୋଇଯିବ । ତଦ୍ୱାରା ଯେଉଁ ବିଶୃଙ୍ଖଳା ଉତ୍ପନ୍ନ ହେବ, ତା ପାଇଁ ମୁଁ ଦାୟୀ ରହିବି ଏବଂ ଏହା ସମଗ୍ର ମନୁଷ୍ୟ ଜାତିର ଶାନ୍ତ ଭଙ୍ଗ କରିଦେବ ।

ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ କରିବା ପାଇଁ କର୍ମ କରିବା ଉଚିତ୍ ।

ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ଅଜ୍ଞବ୍ୟକ୍ତି ମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଉଚିତ୍ ।

ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ ।

ହେ ମହାବାହୁ ଅର୍ଜୁନ! ତତ୍ତ୍ୱଦର୍ଶୀ ପୁରୁଷ ଆତ୍ମାକୁ ଗୁଣ ଓ କର୍ମ ଠାରୁ ପୃଥକ୍ ଭାବରେ ଦର୍ଶନ କରିଥାଆନ୍ତି । ସେମାନେ ଜାଣିଥାଆନ୍ତି ଯେ ଏହା କେବଳ ଗୁଣ (ଇନ୍ଦ୍ରିୟ-ମନ ଆଦି ରୂପରେ)ଅଟେ, ଯାହା ଗୁଣ ମାନଙ୍କ (ବିଷୟ ରୂପରେ) ମଧ୍ୟରେ ଘୂରି ବୁଲୁଥାଏ, ତେଣୁ ସେମାନେ ସେଥିରେ ବାନ୍ଧି ହୁଅନ୍ତି ନାହିଁ ।

ଯେଉଁମାନେ ତ୍ରିଗୁଣର କ୍ରିୟାକଳାପରେ ମୋହିତ ହୋଇ ଯାଆନ୍ତି, ସେମାନେ ତାଙ୍କର କର୍ମଫଳରେ ଆସକ୍ତ ହୋଇଯାଆନ୍ତି । କିନ୍ତୁ ଯେଉଁ ତତ୍ତ୍ୱଦର୍ଶୀମାନେ ଏହି ସତ୍ୟକୁ ଜାଣନ୍ତି, ସେମାନେ ସ୍ୱଳ୍ପ ଜ୍ଞାନଯୁକ୍ତ ଏହି ଅଜ୍ଞାନୀ ମାନଙ୍କୁ ବିଚଳିତ କରିବା ଉଚିତ ନୁହେଁ ।

ସମସ୍ତ କର୍ମକୁ ମୋତେ ଅର୍ପଣ କରି, ପରମାତ୍ମା ରୂପରେ ନିରନ୍ତର ମୋର ଧ୍ୟାନ କର । ସମସ୍ତ ପ୍ରକାରର କାମନା ଓ ମମତାରୁ ମୁକ୍ତ ରହି ଶୋକରହିତ ଭାବରେ ଯୁଦ୍ଧ କର ।

ଯେଉଁମାନେ ମୋର ଏହି ଉପଦେଶକୁ ଗଭୀର ବିଶ୍ୱାସର ସହିତ ତଥା ବାଦ-ବିବାଦ ନ କରି ପାଳନ କରି ଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ।

ଯେଉଁମାନେ ଜ୍ଞାନହୀନ ଏବଂ ବିଚାର ଶକ୍ତି ବିହୀନ ହୋଇଥିବା କାରଣରୁ ମୋର ଉପଦେଶରେ ତ୍ରୁଟି ଦର୍ଶନ କରିଥାଆନ୍ତି, ସେମାନେ ଏହି ସିଜ୍ଞାନ୍ତର ଅବମାନନା କରି, ନିଜର ଅଧଃପତନ କରିଥାଆନ୍ତି ।

ସମସ୍ତ ପ୍ରାଣୀ ନିଜର ସ୍ୱାଭାବିକ ପ୍ରକୃତି ଅନୁସାରେ ପରିଚାଳିତ ହୁଅନ୍ତି, ତେଣୁ ଜ୍ଞାନୀମାନେ ମଧ୍ୟ ସେମାନଙ୍କର ସ୍ୱଭାବ ଅନୁଯାୟୀ କାର୍ଯ୍ୟ କରିଥାଆନ୍ତି । ସେ କ୍ଷେତ୍ରରେ ଜଣେ ଇନ୍ଦ୍ରିୟ-ନିଗ୍ରହ ଦ୍ୱାରା କ’ଣ କରିପାରିବ?

ଇନ୍ଦ୍ରିୟମାନେ ସ୍ୱାଭାବିକ ଭାବରେ ଇନ୍ଦ୍ରିୟ ଭୋଗ୍ୟ ବିଷୟମାନଙ୍କ ପ୍ରତି ରାଗ ଓ ଦ୍ୱେଷ ଅନୁଭବ କରିଥାଆନ୍ତି । କିନ୍ତୁ ସେହି ରାଗ-ଦ୍ୱେଷରେ ବଶୀଭୂତ ହୁଅ ନାହିଁ, କାରଣ ସେଗୁଡିକ ପଥ ଭ୍ରଷ୍ଟକାରୀ ଓ ଶତ୍ରୁ ଅଟନ୍ତି ।

ଅନ୍ୟ କାହା ପାଇଁ ଉଦ୍ଦିଷ୍ଟ ଦୋଷହୀନ କର୍ତ୍ତବ୍ୟ ଆଚରଣ କରିବା ଅପେକ୍ଷା, ଦୋଷଯୁକ୍ତ ହେଲେ ମଧ୍ୟ ନିଜ ପାଇଁ ନିର୍ଦ୍ଧାରିତ କର୍ମର ପାଳନ କରିବା ଶ୍ରେୟସ୍କର ଅଟେ । ବାସ୍ତବରେ ନିଜର କର୍ତ୍ତବ୍ୟ ପାଳନ କରି ମୃତ୍ୟୁବରଣ କରିବା ଭଲ, କିନ୍ତୁ ଅନ୍ୟ ପାଇଁ ଉଦ୍ଦିଷ୍ଟ ମାର୍ଗର ଅନୁସରଣ କରିବା ଅତ୍ୟନ୍ତ ଭୟାବହ ଅଟେ ।

ଅର୍ଜୁନ କହିଲେ, ହେ ବୃଷ୍ଣି ବଂଶଜ (ଶ୍ରୀକୃଷ୍ଣ)! ମନୁଷ୍ୟ କାହିଁକି ନିଜର ଅନିଚ୍ଛା ସତ୍ୱେ, କେହି ବାଧ୍ୟ କଲା ପରି, ପାପ କର୍ମ କରିବାକୁ ପ୍ରେରିତ ହୋଇଥାଏ?

ଶ୍ରୀ ଭଗବାନ କହିଲେ: ଏହା କାମନା ହିଁ ଅଟେ, ଯାହାର ଉଦ୍ଭବ ରଜଗୁଣରୁ ହୋଇଥାଏ ଏବଂ ପରବର୍ତ୍ତୀ ସମୟରେ ଏହା କ୍ରୋଧର ରୂପ ନେଇଥାଏ । ଏହାକୁ ସଂସାରର ପାପମୟ ତଥା ସର୍ବଗ୍ରାସୀ ଶତ୍ରୁ ଭାବରେ ଜାଣ ।

ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍‌କାୟୀତ ରହିଥାଏ, ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।

ହେ କୁନ୍ତିପୁତ୍ର, ଏହି ଅଗ୍ନି ପରି ପ୍ରଜ୍ୱଳିତ, ସର୍ବଦା ଅତୃପ୍ତ କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ ।

ଇନ୍ଦ୍ରିୟ, ମନ ଓ ବୁଦ୍ଧିକୁୁ କାମନାର ପ୍ରଜଜନ ଭୂମି ରୂପେ ଆଖ୍ୟାୟିତ କରାଯାଇ ଥାଏ । ସେମାନଙ୍କ ମାଧ୍ୟମରେ ସେ ଜ୍ଞାନକୁ ଆବୃତ କରି, ଶରୀରସ୍ଥ ଆତ୍ମାକୁ ଭ୍ରମିତ କରିଥାଏ ।

ତେଣୁ ହେ ଭରତ ଶ୍ରେଷ୍ଠ ! ସର୍ବ ପ୍ରଥମେ ତୁମେ ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣାଧୀନ କରି କାମନା ରୂପୀ ଶତ୍ରୁକୁ ନାଶ କର, କାରଣ ତାହା ପାପର ପ୍ରତୀକ ଅଟେ ଏବଂ ଜ୍ଞାନ ଓ ବୁଦ୍ଧିକୁ ନଷ୍ଟ କରିଦେଇଥାଏ ।

ସ୍ଥୁଳ ଶରୀର ଠାରୁ ଉର୍ଦ୍ଧ୍ୱରେ ଇନ୍ଦ୍ରିୟମାନଙ୍କର ସ୍ଥିତି । ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ ମନର ସ୍ଥିତି । ମନ ଉର୍ଦ୍ଧ୍ୱରେ ବୁଦ୍ଧି ଏବଂ ବୁଦ୍ଧିଠାରୁ ମଧ୍ୟ ଉର୍ଦ୍ଧ୍ୱରେ ଆତ୍ମାର ସ୍ଥିତି ଅଟେ ।

ହେ ବୀର ଅର୍ଜୁନ ! ଆତ୍ମାକୁ ମାୟିକ ବୁଦ୍ଧିଠାରୁ ଶ୍ରେଷ୍ଠ ଭାବେ ହୃଦୟଙ୍ଗମ କର । ନିଜକୁୁ (ଇନ୍ଦ୍ରିୟ-ମନ-ବୁଦ୍ଧିକୁ) ନିଜ ଦ୍ୱାରା (ଆତ୍ମାର ଉଚ୍ଚତର ଶକ୍ତି ଦ୍ୱାରା) ପ୍ରଶମିତ କର ଏବଂ କାମନା ରୂପକ ଏହି ଦୁର୍ଦ୍ଦଶ ଶତ୍ରୁକୁ ଦମନ କର ।