Bhagavad Gita: Chapter 3, Verse 4

ନ କର୍ମଣାମନାରମ୍ଭାନ୍‌ନୈଷ୍କର୍ମ୍ୟଂ ପୁରୁୁଷୋଽଶ୍ନୁତେ ।
ନ ଚ ସଂନ୍ୟସନାଦେବ ସିଦ୍ଧିଂ ସମଧିଗଚ୍ଛତି ।।୪।।

ନ- ବ୍ୟତୀତ; କର୍ମଣାମ୍ - କର୍ତ୍ତବ୍ୟ କର୍ମର; ଅନାରମ୍ଭାତ୍ - ଅନୁଷ୍ଠାନ ନ କଲେ; ନୈଷ୍କର୍ମ୍ୟ - ପ୍ରତିକ୍ରିୟାରୁ ମୁକ୍ତ; ପୁରୁଷ- ବ୍ୟକ୍ତି; ଅଶ୍ନୁତେ- ପ୍ରାପ୍ତହୁଏ; ନ - ନୁହେଁ ; ଚ- ମଧ୍ୟ; ସଂନ୍ୟସନାତ୍ - ତ୍ୟାଗ ବା ସନ୍ନ୍ୟାସ ଦ୍ୱାରା; ଏବ - କେବଳ ; ସିଦ୍ଧିି - ସିଦ୍ଧି ବା ସଫଳତା; ସମଧିଗଚ୍ଛତି- ପ୍ରାପ୍ତି ହୁଏ ।

Translation

BG 3.4: ଜଣେ କେବଳ କର୍ମତ୍ୟାଗ ଦ୍ୱାରା କର୍ମର ପ୍ରତିକ୍ରିୟାରୁ ମୁକ୍ତି ଲାଭ କରିପାରନ୍ତି ନାହିଁ ଅଥବା କେବଳ ସଂସାର ତ୍ୟାଗ ଦ୍ୱାରା ଜଣେ ଦିବ୍ୟଜ୍ଞାନ ପ୍ରାପ୍ତ କରିପାରିବେ ନାହିଁ ।

Commentary

ଏହି ଶ୍ଲୋକର ପ୍ରଥମ ପଂକ୍ତି କର୍ମଯୋଗୀ (କର୍ମ ମାର୍ଗର ଅନୁସରଣକାରୀ) ଏବଂ ଦ୍ୱିତୀୟ ପଂକ୍ତି ସାଂଖ୍ୟଯୋଗୀ (ଜ୍ଞାନ ମାର୍ଗର ଅନୁସରଣକାରୀ)ଙ୍କ ପାଇଁ ଉଦ୍ଦିଷ୍ଟ ।

ଶ୍ଲୋକର ପ୍ରଥମ ଧାଡିରେ ଶ୍ରୀକୃଷ୍ଣ କହୁଛନ୍ତି ଯେ,   କେବଳ କର୍ମ ତ୍ୟାଗ କରିବା ଦ୍ୱାରା, କର୍ମ ଜନିତ ପ୍ରତିକ୍ରିିୟାରୁ ମୁକ୍ତି ମିଳେ ନାହିଁ;  ମନ ଫଳ ଯୁକ୍ତ ଚିନ୍ତାରେ ଲାଗିି ରହିଥାଏ ଏବଂ ଯେହେତୁ ମାନସିକ କର୍ମ ବି ଗୋଟିଏ ପ୍ରକାର କର୍ମ ଅଟେ, ଶାରୀରିକ କର୍ମ ପରି ଏହା ମଧ୍ୟ ମନକୁ କର୍ମ ପ୍ରତିକ୍ରିୟାରେ ବାନ୍ଧିରଖେ । ଜଣେ ବାସ୍ତବିକ କର୍ମଯୋଗୀ, କର୍ମଫଳରେ ଆସକ୍ତି ନରଖି, କର୍ମ କରିବା ଉଚିତ୍ । ସେଥିପାଇଁ ବୁଦ୍ଧିକୁ ଜ୍ଞାନ ଦ୍ୱାରା ଋଦ୍ଧିମନ୍ତ କରିବା ଆବଶ୍ୟକ । ସୁତରାଂ, କର୍ମଯୋଗରେ ସଫଳତା ହାସଲ କରିବା ପାଇଁ ମଧ୍ୟ ଆଧ୍ୟାତ୍ମିକ ଜ୍ଞାନର.ଆବଶ୍ୟକତା ରହିଛି ।

ଦ୍ୱିତୀୟ ପଂକ୍ତିରେ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ,  ସାଂଖ୍ୟଯୋଗୀ, କେବଳ ସଂସାର ତ୍ୟାଗ କରି ସନ୍ୟାସୀ  ହୋଇଗଲେ ଜ୍ଞାନ ପ୍ରାପ୍ତି କରିପାରିବେ ନାହିଁ ।  ଜଣେ ଇନ୍ଦ୍ରିୟ ଭୋଗ ବସ୍ତୁର ତ୍ୟାଗ କରିପାରେ କିନ୍ତୁ ପ୍ରକୃତ ଜ୍ଞାନ ଉଦୟ  ସେ ପର୍ଯ୍ୟନ୍ତ ହେବ ନାହିଁ, ଯେତେବେଳ ଯାଏଁ ମନ ଅଶୁଦ୍ଧ ରହିଛି । ପୂର୍ବ ଚିନନ୍ତକୁ ଦୋହରାଇବା ମନର ଏକ ସ୍ୱଭାବ ଅଟେ । ଏହି ପରି ବାରମ୍ବାର ଚିନ୍ତନ ମନରେ ଏକ ମାର୍ଗ ସୃଷ୍ଟି କରେ, ଯଦ୍ୱାରା ନୂତନ ଭାବନା ସେହି ମାର୍ଗରେ ଆମର ଅନିଚ୍ଛାସତ୍ତ୍ୱେ ପ୍ରବାହିତ ହେବାରେ ଲାଗେ ।  ପୂର୍ବ ଅଭ୍ୟାସ ବଶତଃ, ମାୟିକ ଚିନ୍ତନ ଦ୍ୱାରା କଳୁଷିତ ମନ ଆଶଙ୍କା, ମାନସିକ ଚାପ, ଭୟ, ଘୃଣା, ଇର୍ଷା, ବନ୍ଧନ ଏବଂ ମାୟିକ ଆବେଗର ପରିସର  ଭୁକ୍ତ ଅନ୍ୟ ସମସ୍ତ ଦିଗରେ ଧାବମାନ ହୋଇଥାଏ । ଅତଏବ, ଶୁଦ୍ଧ ଜ୍ଞାନ ଅଶୁଦ୍ଧ ହୃଦୟରେ କେବଳ କର୍ମତ୍ୟାଗ ଦ୍ୱାର ସଂଚାରିତ ହୁଏ ନାହିଁ । ଏହା ଅନୁରୁପ କର୍ମ ସହିତ କରାଯିବା ଉଚିତ ଯେଉଁଥିରେ ମନ ଏବଂ ବୁୁଦ୍ଧି ଶୁଦ୍ଧ ହୋଇଥାଏ । ସୁତରାଂ, ସାଂଖ୍ୟଯୋଗର ସଫଳତା ପାଇଁ ମଧ୍ୟ କର୍ମର ଆବଶ୍ୟକତା ରହିଛି ।

ଏପରି କୁହାଯାଏ ଯେ, ସିଦ୍ଧାନ୍ତଜ୍ଞାନ ବିନା ଭକ୍ତି ଭାବ ପ୍ରବଣତା ଅଟେ ଏବଂ ଭକ୍ତି ବିନା ସିଦ୍ଧାନ୍ତଜ୍ଞାନ କେବଳ ବୈଦ୍ଧିକ ଅନୁମାନ ଅଟେ ।  କର୍ମ ଏବଂ ଜ୍ଞାନ ଉଭୟର ଆବଶ୍ୟକତା କର୍ମଯୋଗ ଏବଂ ସାଂଖ୍ୟଯୋଗରେ ରହିଅଛି । କେବଳ ଏହାର ଅନୁପାତରେ ପ୍ରଭେଦ ରହିଥାଏ,  ଯାହାକି ଦୁଇଟି ମାର୍ଗକୁ ପୃଥକ କରେ ।