Bhagavad Gita: Chapter 3, Verse 9

ଯଜ୍ଞାର୍ଥାତ୍କର୍ମଣୋଽନ୍ୟତ୍ର ଲୋକୋଽୟଂ କର୍ମବନ୍ଧନଃ ।
ତଦର୍ଥଂ କର୍ମ କୈନ୍ତେୟ ମୁକ୍ତସଙ୍ଗଃ ସମାଚର ।।୯।।

ଯଜ୍ଞାର୍ଥାତ୍ - କେବଳ ଯଜ୍ଞ କିମ୍ବା ବିଷ୍ଣୁଙ୍କ ନିମିତ୍ତ; କର୍ମଣଃ- କର୍ମ କରାଯିବ; ଅନ୍ୟତ୍ର- ଅନ୍ୟଥା; ଲୋକଃ- ସଂସାର; ଅୟଂ- ଏହି; କର୍ମ-ବନ୍ଧନଃ- କର୍ମବନ୍ଧନ; ତତ୍‌- ତାଙ୍କର (ଭଗବାନଙ୍କର); ଅର୍ଥଂ - ନିମିତ୍ତ; କର୍ମ- କର୍ମ; କୌନ୍ତେୟ- ହେ କୁନ୍ତି ପୁତ୍ର; ମୁକ୍ତ-ସଙ୍ଗଃ- ଆସକ୍ତି ରହିତ; ସମାଚର - ଠିକ୍ ଭାବରେ କର ।

Translation

BG 3.9: ସମସ୍ତ କର୍ମ ଭଗବାନଙ୍କ ଉଦ୍ଦେଶ୍ୟରେ ଯଜ୍ଞ (ସମର୍ପଣ) ଭାବରେ କରାଯିବା ଉଚିିତ୍‌, ନଚେତ ତାହା ମାୟିକ ବନ୍ଧନ ସୃଷ୍ଟି କରିଥାଏ । ତେଣୁ ହେ କୁନ୍ତି ପୁତ୍ର! ତୁମେ ଫଳାସକ୍ତି ରହିତ ହୋଇ ଭଗବାନଙ୍କର ସୁଖ ଉଦ୍ଦେଶ୍ୟରେ ନିଜର ନିର୍ଦ୍ଧାରିତ କର୍ମ କର ।

Commentary

ଜଣେ ଡକାୟତ ହାତରେ ଛୁରୀଟିଏ ଅନ୍ୟକୁ ଆତଙ୍କିତ କରିବା ଅଥବା ହତ୍ୟାକରିବା ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ, କିନ୍ତୁ ଜଣେ ସର୍ଜନଙ୍କ ହାତରେ ତାହା ଅନ୍ୟକୁୁ ଜୀବନ ଦାନ ପାଇଁ ଏକ ଉପକରଣ ଭାବରେ କାର୍ଯ୍ୟ କରିଥାଏ । ଛୁରିଟି ନିଜେ ଘାତକ ନୁହେଁ କି କଲ୍ୟାଣକାରୀ ନୁହେଁ, ଏହାର ପ୍ରଭାବ ଏହାର ବ୍ୟବହାର ଉପରେ ନିର୍ଭର କରିଥାଏ । ସେକ୍ସପିୟରଙ୍କର କଥନ ଅନୁଯାୟୀ, “ଭଲ କିମ୍ବା ମନ୍ଦ କିଛି ନାହିଁ, ସବୁ କିଛି ଆମର ଭାବନା ଉପରେ ନିର୍ଭର କରେ । ” ସେହିପରି କର୍ମ ସ୍ୱୟଂ ଭଲ କିମ୍ବା ମନ୍ଦ ନୁହେଁ ; ଆମର ମାନସିକତା ଏହାକୁ ବନ୍ଧନକାରକ ଅଥବା ଉତ୍‌ଥାନକାରକ କରାଇଥାଏ ।  ଇନ୍ଦ୍ରିୟ ସୁଖ ପାଇଁ ବା ଅହଂକାରର ସନ୍ତୋଷ ପାଇଁ କରାଯାଉଥିବା କର୍ମ ସଂସାରରେ ବନ୍ଧନ ସୃଷ୍ଟି କରିଥାଏ । ଅପର ପକ୍ଷେ, ପରମାତ୍ମାଙ୍କର ସୁଖ ଉଦ୍ଦେଶ୍ୟରେ ଯଜ୍ଞ ଭାବରେ କରାଯାଉଥିବା କର୍ମ ମାୟିକ ବନ୍ଧନରୁ ମୁକ୍ତି ପ୍ରଦାନ କରି ଭଗବତ୍ କୃପାକୁ ଆକର୍ଷିତ କରିଥାଏ । ଯେହେତୁ କର୍ମ କରିବା ଆମର ପ୍ରବୃତି, ଆମେ ଏହି ଦୁଇ ପ୍ରକାର କର୍ମ ମଧ୍ୟରୁ ଯେ କୌଣସି ଗୋଟିଏ ପ୍ରକାରର କର୍ମ କରିବାକୁ ବାଧ୍ୟ ହୋଇଥାଉ ।  କର୍ମ ବିନା ଆମେ ଗୋଟିଏ ମୁହୁତ୍ତ୍‌ର୍ ବି ରହିପାରିବା ନାହିଁ କାରଣ ଆମର ମନ ସ୍ଥିର ନୁହେଁ ।

କର୍ମକୁ ଆମେ ଯଦି ଭଗବାନଙ୍କର ସେବା ଭାବରେ ନ କରିବା, ତେବେ ଆମେ ତାହାକୁ ମନ ଏବଂ ଇନ୍ଦ୍ରିୟମାନଙ୍କର ସୁଖ ଉଦ୍ଦେଶ୍ୟରେ କରିବା ପାଇଁ ବାଧ୍ୟ ହେବା । ତା ପରିବର୍ତ୍ତେ ଆମେ ଯେତେବେଳେ ସମର୍ପଣର ଭାବ ରଖି କୌଣସି କାର୍ଯ୍ୟ କରିଥାଉ, ସେତେବେଳେ ଆମେ ସମଗ୍ର ସଂସାର ଏବଂ ସଂସାରର ସବୁ ବସ୍ତୁକୁ ଭଗବାନଙ୍କର ତଥା ଭଗବାନଙ୍କର ସେବା ନିମନ୍ତେ ଉଦ୍ଦିଷ୍ଟ ମନେ କରିଥାଉ । ପ୍ରଭୂ ଶ୍ରୀରାମଙ୍କର ପୂର୍ବଜ ରାଜା ରଘୁ ଏହାର ଏକ ଆଦର୍ଶ ସ୍ଥାପନ କରିଥିଲେ । ରଘୁ ବିଶ୍ୱଜିତ୍ ଯଜ୍ଞର ଆୟୋଜନ କରିଥିଲେ, ଯେଉଁଥିରେ ନିଜର ସମସ୍ତ ସମ୍ପଦକୁ ଦାନ କରାଯାଇ ଥାଏ ।

  “ସ ବିଶ୍ୱଜିତମ୍ ଆଜହ୍‌ରେ ଯଜ୍ଞମ୍ ସର୍ବସ୍ୱ ଦକ୍ଷିଣମ୍
ଆଦାନଂ ହି ବିସର୍ଗାୟ ସତ୍ୟମଂ ବାରିମୁଚାମ୍ ଇବ”(ରଘୁବଂଶ,୪/୮୬)

“ରଘୁ ଏକଥା ଚିନ୍ତା କରି ବିଶ୍ୱଜିତ୍ ଯଜ୍ଞର ଆୟୋଜନ କରିଥିଲେ ଯେ ମେଘ ଯେପରି ପୃଥିବୀରୁ ଆହରଣ କରିଥିବା ଜଳକୁ ନିଜ ପାଇଁ ବ୍ୟବହାର ନ କରି ପୃଥିବୀ ପୃଷ୍ଠରେ ବୃଷ୍ଟି କରିଥାଏ, ସେହିପରି ରାଜା ଭାବରେ ସର୍ବ ସାଧାରଣଙ୍କ ଠାରୁ  କର ରୂପରେ ସଂଗ୍ରହ କରାଯାଇ ଥିବା ତାଙ୍କର ସବୁ ସମ୍ପତ୍ତି , ତାଙ୍କର ଉପଭୋଗ ପାଇଁ ନୁହେ,ଁ ବରଂ ଉଗବାନଙ୍କର ସୁଖ ନିମନ୍ତେ ଉଦ୍ଦିଷ୍ଟ ଅଟେ । ତଦ୍ୱାରା ସେ ନିଜ ପ୍ରଜାମାନଙ୍କର ସେବା କରି ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ସ୍ଥିର କଲେ । ” ଯଜ୍ଞ ପରେ ତାଙ୍କର ସମସ୍ତ ସମ୍ପତ୍ତି ସେ ରାଜ୍ୟବାସୀମାନଙ୍କୁୁ ଦାନ କରିଦେଲେ ଏବଂ ଜଣେ ଭିକ୍ଷୁକର ବେଶ ଧାରଣ କରି,ହାତରେ ମାଟି ପାତ୍ରଟିଏ ଧରି, ସେ ଭୋଜନ ପାଇଁ ଭିକ୍ଷା ମାଗିବାକୁ ବାହାରି ଗଲେ ।

ଗୋଟିଏ ବୃକ୍ଷମୁଳରେ ବିଶ୍ରାମ କରୁଥିବା ସମୟରେ, କିଛି ଲୋକ ଏପରି ଆଲୋଚନା କରୁଥିବାର ସେ ଶୁଣିବାକୁ ପାଇଲେ । “ ଆମ ରାଜା ବହୁତ ବଡ ଦାନୀ ଅଟନ୍ତି । ସେ ନିଜର ସବୁକିଛି ଦାନ କରି ଦେଇଛନ୍ତି ।” ନିଜର ପ୍ରଶଂସା ଶୁଣି  ରଘୁ କ୍ଷୁବ୍‌ଧ ହୋଇ ପଚାରିଲେ  “ଆପଣ ମାନେ କ’ଣ  ଆଲୋଚନା କରୁଛନ୍ତି ? ” ସେମାନେ ଉତ୍ତର ଦେଲେ, “ଆମେ ଆମ ରାଜାଙ୍କର ଯଶଗାନ କରୁଅଛୁ । ସାରା ସଂସାରରେ ତାଙ୍କ ସମତୁଲ୍ୟ ଦାନବୀର ଆଉ କେହି ନାହାନ୍ତି ।”  ରଘୁ ପ୍ରତିବାଦ କରି ଉଠିଲେ, “ଆଉ କେବେ ସେକଥା କହିବେ ନାହିଁ । ରଘୁ କିଛି  ଦେଇନାହାନ୍ତି ।” ସେମାନେ କହିଲେ “ଆପଣ କିପରି ବ୍ୟକ୍ତି ଅଟନ୍ତି, ଯିଏ ଆମ ରାଜାଙ୍କର ସମାଲୋଚନା କରୁଛନ୍ତି ?  ସମସ୍ତେ ଜାଣନ୍ତି ରଘୁ ତାଙ୍କର ସର୍ବସ୍ୱ ଦାନ କରିଛନ୍ତି ।”  ରଘୁ ଉତ୍ତର ଦେଲେ, “ଯାଅ, ତୁମ ରାଜାଙ୍କୁ ପଚାର, ସେ ଯେତେବେଳେ ଏ ସଂସାରକୁ ଆସିଥିଲେ ତାଙ୍କ ପାଖରେ କିଛି  ଥିଲା କି ? ସେ ଶୂନ୍ୟ ହସ୍ତରେ ଜନ୍ମ ହୋଇଥିଲେ କି ନାହିଁ ? ତା ହେଲେ ତାଙ୍କର ବୋଲି କ’ଣ ଥିଲା ଯେ ସେ ଦାନ କରିଦେଲେ ?”

ଏହା ହିଁ କର୍ମଯୋଗ ର ମହତ୍ୱ, ଯେଉଁଥିରେ ଜଣେ ଅନୁଭବ କରେ ଯେ ଏ ସଂସାରର ସବୁ କିଛି ଭଗବାନଙ୍କର ହିଁ ଅଟେ, ତେଣୁ ସେସବୁ ତାଙ୍କ ସୁଖ ପାଇଁ ଉଦ୍ଦିଷ୍ଟ ।  ତାପରେ ଆମେ ଯାହା କିଛି କରିଥାଉ, ସେସବୁ ନିଜର ମନ ଏବଂ ଇନ୍ଦ୍ରିୟଙ୍କୁ ସୁଖ ଦେବା ଉଦ୍ଦେଶ୍ୟରେ ନ କରି ଭଗବାନଙ୍କ ସୁଖ ଉଦ୍ଦେଶ୍ୟରେ କରିଥାଉ । ଭଗବାନ ବିଷ୍ଣୁ ପ୍ରଚେଷ୍ଟାମାନଙ୍କୁ ଏହି ଉପଦେଶ ଦେଇଥିଲେ:

ଗୃହେଷ୍ୱ ଆବିଶତାଂ ଚାପିି ପୁଂସାଂ କୁଶଲ-କର୍ମଣାମ୍ ।
ମଦ୍‌-ବାର୍ତା-ଯାତ-ୟାମାନାଂ ନ ବନ୍ଧାୟ ଗୃହା ମତାଃ । । (ଭାଗବତମ୍ ୪-୩୦-୧୯)

“ସିଦ୍ଧ କର୍ମଯୋଗୀମାନେ, ତାଙ୍କର ଦୈନନ୍ଦିନ ଗୃହସ୍ଥ କର୍ମ କରୁଥିଲେ ମଧ୍ୟ, ମୋତେ ସମସ୍ତ କର୍ମର ଉପଭୋକ୍ତା ରୂପରେ ହୃଦୟଙ୍ଗମ କରି, ତାଙ୍କର ସମସ୍ତ କର୍ମକୁ ମୋର ଯଜ୍ଞ ଭାବରେ କରିଥାନ୍ତି । ଅବସର ସମୟରେ ସେମାନେ ମୋର ଯଶକଥା ଶ୍ରବଣ ଏବଂ ଗାନ କରିଥାନ୍ତି । ସେପରି ବ୍ୟକ୍ତି ସଂସାରରେ ରହି ମଧ୍ୟ କର୍ମବନ୍ଧନରେ ବାନ୍ଧି ହୁଅନ୍ତି ନାହିଁ ।”

Watch Swamiji Explain This Verse