Bhagavad Gita: Chapter 3, Verse 8

ନିୟତଂ କୁରୁ କର୍ମ ତ୍ୱଂ କର୍ମ ଜ୍ୟାୟୋ ହ୍ୟକର୍ମଣଃ ।
ଶରୀରଯାତ୍ରାପି ଚ ତେ ନ ପ୍ରସିଦ୍ଧୈଦକର୍ମଣଃ ।।୮।।

ନିୟତଂ- ନିରନ୍ତର; କୁରୁ - କର; କର୍ମ- କର୍ତ୍ତବ୍ୟ(କର୍ମ); ତ୍ୱଂ-ତୁମେ; କର୍ମ- କର୍ମ; ଜ୍ୟାୟଃ- ଉତ୍ତମ; ହି- ଅପେକ୍ଷା; ଅକର୍ମଣଃ- କର୍ମ ନ କରିିବା; ଶରୀର- ଶାରୀରିକ; ଯାତ୍ରା- ରକ୍ଷା; ଅପିି- ଏପିିରି; ଚ- ମଧ୍ୟ; ତେ - ତୁମର; ନ ପ୍ରସିଦ୍ଧ୍ୟେତ୍‌- ସମ୍ଭବ ନୁହେଁ; ଅକର୍ମଣଃ- କର୍ମ ବିନା ।

Translation

BG 3.8: ଏହିପରି ଭାବରେ ତୁମେ ନିଜର ବେଦ ବିହିତ କର୍ମ କରିବା ଉଚିତ୍‌, ଯେହେତୁ କର୍ମ ଅକର୍ମଣ୍ୟତା ଠାରୁ ଶ୍ରେଷ୍ଠ ଅଟେ । କର୍ମତ୍ୟାଗ କରିବା ଦ୍ୱାରା ତୁମର ଶରୀର ପୋଷଣ ମଧ୍ୟ ଅସମ୍ଭବ ହୋଇପଡିବ ।

Commentary

ଯେର୍ଯ୍ୟନ୍ତ ମନ-ବୁଦ୍ଧି ଈଶ୍ୱରୀୟ ଚେତନାରେ ଉଦ୍‌ବୁଦ୍ଧ ନ ହୋଇଛି, କର୍ତ୍ତବ୍ୟ ପାଳନର ମନୋଭାବ ନେଇ ଶାରୀରିକ କର୍ମ କରିବା  ଅନ୍ତଃକରଣ ଶୁଦ୍ଧି ନିମନ୍ତେ ଲାଭଦାୟକ ହୋଇଥାଏ । ସୁତରାଂ, ବେଦ ମନୁଷ୍ୟର ମନ ଏବଂ ଇନ୍ଦ୍ରିୟମାନଙ୍କୁ ଶୃଙ୍ଖଳିତ କରିବା ପାଇଁ କର୍ମର ବିଧାନ କରିଛି । ବାସ୍ତବରେ, ଆଳସ୍ୟକୁୁ ଆଧ୍ୟାତ୍ମିକ ପଥର ସବୁଠାରୁ ବଡ ସମସ୍ୟା ଭାବରେ ଅଭିହିତ କରାଯାଇ ଥାଏ :

ଆଲସ୍ୟ ହି ମନୁଷ୍ୟାଣାମ୍ ଶରୀରସ୍ଥୋ ମହାନ୍ ରିପୁଃ ।
ନାସ୍ତ୍ୟୁଦ୍ୟମସମୋ ବନ୍ଧୁଃ କୃତ୍ୱା ୟଂ ନାବସୀଦତି । ।

ଆଳସ୍ୟ ମନୁଷ୍ୟର ସବୁଠାରୁ ବଡ ଶତ୍ରୁ ଅଟେ ଏବଂ ଏହା ତାହାର ଶରୀରରେ ନିବାସ କରୁଥିବା କାରଣରୁ ଅତ୍ୟଧିକ କ୍ଷତିକାରକ ଅଟେ । କର୍ମ ତାହାର ସର୍ବାଧିକ ନିର୍ଭରଯୋଗ୍ୟ ବନ୍ଧୁ ଏବଂ ପତନରୁ ରକ୍ଷା କରିବା ପାଇଁ ଏହା କବଚ ଅଟେ । ଏପରିକି ଖାଇବା, ଗାଧୋଇବା, ସ୍ୱାସ୍ଥ୍ୟ ରକ୍ଷା କରିବା ଆଦି ମୌଳିକ ଶାରୀରିକ କ୍ରିୟାରେ ମଧ୍ୟ କର୍ମର ଆବଶ୍ୟକତା ରହିଥାଏ । ଏହି ଆବଶ୍ୟକୀୟ କର୍ମ ଗୁଡିକୁ ନିତ୍ୟକର୍ମ କୁହାଯାଏ ।  ଶରୀର ରକ୍ଷା ନିମନ୍ତେ ଉଦ୍ଦିଷ୍ଟ ଏହି ସବୁ ସାମାନ୍ୟ କର୍ମର ଉପେକ୍ଷା କରିବା ପ୍ରଗତିର ସଙ୍କେତ ନୁହେଁ ବରଂ ଆଳସ୍ୟର ଲକ୍ଷଣ ଅଟେ ଯାହା ଉଭୟ ଦେହ ଓ ମନକୁ ଦୁର୍ବଳ ଏବଂ ରୁଗ୍‌ଣ କରିଦେଇ ଥାଏ ।  ଅନ୍ୟ ପକ୍ଷରେ, ଗୋଟିଏ ସଯତ୍ନ ବର୍ଦ୍ଧିତ ପରିପୃଷ୍ଠ ଶରୀର ଆଧ୍ୟାତ୍ମିକ ପଥର ନିର୍ଭର ଯୋଗ୍ୟ ସହାୟକ  ଅଟେ ।  ଅତଏବ, ନିଷ୍କ୍ରିୟ ଅବସ୍ଥା ଭୌତିକ ଅଥବା ଆଧ୍ୟାତ୍ମିକ କୌଣସି ପ୍ରକାରର ପ୍ରଗତିରେ ସହାୟକ ସିଦ୍ଧ ହୋଇ ନ ଥାଏ । ଆମ ନିଜ ଆତ୍ମାର ଉତ୍‌ଥାନ ପାଇଁ ଆମେ କର୍ତ୍ତବ୍ୟ ପାଳନ କରିବା ଉଚିତ୍‌, ଯାହା ଆମର ମନ ଓ ବୁଦ୍ଧିକୁ ଉନ୍ନତ ଓ ଶୁଦ୍ଧ କରିବ ।

Watch Swamiji Explain This Verse