ପ୍ରକୃତେଃ କ୍ରିୟମାଣାନି ଗୁଣୈଃ କର୍ମାଣି ସର୍ବଶଃ ।।
ଅହଂକାରବିମୂଢାତ୍ମା କର୍ତାହମିତି ମନ୍ୟତେ ।।୨୭।।
ପ୍ରକୃତେଃ - ଭୂତପ୍ରକୃତିର; କ୍ରିୟମାଣାନି - କରାଯାଇଥିବା; ଗୁଣୈଃ - ତ୍ରିଗୁଣ ଦ୍ୱାରା; କର୍ମାଣି - କର୍ମସବୁ; ସର୍ବଶଃ- ସମସ୍ତ ପ୍ରକାର; ଅହଙ୍କାର-ବିମୁଢ- ମିଥ୍ୟାହଙ୍କାର ଦ୍ୱାରା ବିଭ୍ରାନ୍ତ; ଆତ୍ମା - ଆତ୍ମା; କର୍ତ୍ତା - କର୍ତ୍ତା; ଅହମ୍ - ମୁଁ; ଇତି - ଏହି ପରି; ମନ୍ୟତେ - ଭାବେ ।
Translation
BG 3.27: ମାୟାର ତିନି ଗୁଣ ଦ୍ୱାରା ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ, କିନ୍ତୁ ଅଜ୍ଞାନବଶତଃ, ଆତ୍ମା, ଭ୍ରମରେ ଶରୀର ସହିତ ତାଦାତ୍ମ୍ୟ କରି, ନିଜକୁ କର୍ତ୍ତା ମନେ କରିଥାଏ ।
Commentary
ଆମେ ଲକ୍ଷ୍ୟ କଲେ ଜାଣିପାରିବା ଯେ ସୃଷ୍ଟିର ସବୁ ଘଟଣାବଳୀ ଆମ ନିର୍ଦ୍ଦେଶରେ ପରିଚାଳିତ ହୁଏ ନାହିଁ, ବରଂ ଏହା ପ୍ରକୃିତ ଦ୍ୱାରା ସଂଘଟିତ ହୋଇଥାଏ । ଆମ ନିଜର ଶାରୀରିକ କ୍ରିୟାକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା - (୧) ସ୍ୱାଭାବିକ ଶାରୀରିକ କ୍ରିୟା,, ଯଥା ହଜମ ପ୍ରକ୍ରିୟା, ରକ୍ତ ସଂଚାଳନ, ହୃଦସ୍ପନ୍ଦନ ଇତ୍ୟାଦି, ଯାହା ଆମ ଇଚ୍ଛା ଅନୁସାରେ ନ ହୋଇ ସ୍ୱତଃ ପରିଚାଳିତ ହୋଇଥାଏ । (୨) ଅନ୍ୟ ଶାରୀରିକ କର୍ମ ଯେପରିକି କହିବା, ଶୁଣିବା, ଶୋଇବା, କାର୍ଯ୍ୟ କରିବା, ଇତ୍ୟାଦି ଯାହା ଆମେ ଭାବିଥାଉ ଆମେ ନିଜେ କରୁ ।
ଉଭୟ ପ୍ରକାର କର୍ମ ମନ-ଶରୀର-ଇନ୍ଦ୍ରିୟ ଯନ୍ତ୍ର ଦ୍ୱାରା ସମ୍ପାଦିତ ହୋଇଥାଏ । ଏହି ଯନ୍ତ୍ରର ସମସ୍ତ ଅଂଶବିଶେଷ ପ୍ରକୃତି ବା ମାୟା ଶକ୍ତିର ଉପଜ ଅଟନ୍ତି, ଯାହାକି ସତ୍ୱ (ସଦ୍ଗୁଣ), ରଜ (କାମନା) ଓ ତମ (ଅଜ୍ଞାନତା) ରୂପକ ତିନି ଗୁଣ ଦା୍ୱରା ଗଠିତ । ତରଙ୍ଗ ଯେପରି ସମୁଦ୍ର ଠାରୁ ପୃଥକ ନୁହଁନ୍ତି, ବରଂ ତା’ର ଅଂଶ ଅଟନ୍ତି, ସେହିପରି ଶରୀର ପ୍ରକୃତି ଠାରୁ ଉତ୍ପନ୍ନ ହୋଇଥିବା ଦୃଷ୍ଟିରୁ, ପ୍ରକୃତିର ଅଂଶ ଅଟେ । ଅତଏବ, ମାୟିକ ଶକ୍ତି ସମସ୍ତ କ୍ରିୟାର କର୍ତ୍ତା ଅଟେ ।
ତାହାହେଲେ ଆତ୍ମା କାହିଁକି ନିଜକୁ କର୍ତ୍ତା ମନେ କରିଥାଏ? ଏହାର କାରଣ ହେଲା, ଅହଂକାରଯୁକ୍ତ ହୋଇ ଆତ୍ମା ଭ୍ରମବଶତଃ ନିଜକୁ ଶରୀର ମାନିନେଇ ଥାଏ । ସେଥିପାଇଁ ତା’ଠାରେ କର୍ତ୍ତାପଣର ଭ୍ରମ ଜାତ ହୋଇଥାଏ । ଦୁଇଟି ଟ୍ରେନ ପାଖାପାଖି ରେଲୱେ ପ୍ଲାଟ୍ଫର୍ମରେ ଛିଡା ହୋଇଛି ଏବଂ ଗୋଟିଏ ଟ୍ରେନର ଯାତ୍ରୀ ଅନ୍ୟ ଟ୍ରେନ୍ଟିକୁ ଚାହିଁ ରହିଛନ୍ତି । ଅନ୍ୟ ଟ୍ରେନଟି ଯେତେବେଳେ ଚାଲିବାକୁ ଆରମ୍ଭ କରେ ଯାତ୍ରୀ ଜଣକ ଭାବନ୍ତି ତାଙ୍କ ଟ୍ରେନ୍ ଚାଲିଲା । ସେହିପରି ସ୍ଥିର ଆତ୍ମା ଚଳାୟମାନ ପ୍ରକୃତି ସହିତ ତାଦାତ୍ମ୍ୟ କରି ନିଜକୁ କର୍ତ୍ତା ମନେ କରିଥାଏ । ଯେଉଁ ମୁହୁର୍ତ୍ତରେ ଆତ୍ମା ଅହଂକାର ତ୍ୟାଗ କରି ଭଗବାନଙ୍କର ଶରଣାଗତ ହୋଇଯାଏ, ସେ ନିଜକୁ ଅକର୍ତ୍ତା ଅନୁଭବ କରିଥାଏ ।
ଏଠାରେ କେହି କେହି ପ୍ରଶ୍ନ କରି ପାରନ୍ତି ଯେ ଯଦି ଆତ୍ମା ଅକର୍ତ୍ତା ଅଟେ, ତେବେ ସେ କାହିଁକି କର୍ମର ନିୟମ ଅନୁଯାୟୀ, ଶରୀର ଦ୍ୱାରା କରାଯାଉଥିବା କାର୍ଯ୍ୟ ପାଇଁ କର୍ମରେ ବାନ୍ଧି ହୁଏ ? କାରଣ ଆତ୍ମା ନିଜେ କୌଣସି କାର୍ଯ୍ୟ କରେ ନାହିଁ, କିନ୍ତୁ ସେ ଇନ୍ଦ୍ରିୟ-ମନ- ବୁଦ୍ଧିକୁ କର୍ମ କରିବାକୁ ନିର୍ଦ୍ଦେଶ ଦେଇଥାଏ । ଉଦାହରଣ ସ୍ୱରୁପ, ରଥଚାଳକ ନିଜେ ରଥକୁ ଟାଣନ୍ତି ନାହିଁ,କିନ୍ତୁ ସେ ଘୋଡା ମାନଙ୍କୁ ନିର୍ଦ୍ଦେଶ ଦେଇଥାଆନ୍ତି । ତେଣୁ ରଥ ଯଦି କୌଣସି ଦୁର୍ଘଟଣାର ସମ୍ମୁଖୀନ ହୁଏ, ତେବେ ଘୋଡାମାନଙ୍କୁ ଦୋଷ ଦିଆଯାଏ ନାହିଁ, ତାଙ୍କୁ ବାଟ ଦେଖାଉଥିବା ଚାଳକ ଦୋଷୀ ସାବ୍ୟସ୍ତ ହୁଅନ୍ତି । ସେହିପରି ମନ ଓ ଶରୀର ଦ୍ୱାରା କରାଯାଉଥିବା କର୍ମ ପାଇଁ ଆତ୍ମା ଦାୟୀ ରହେ, କାରଣ ଇନ୍ଦ୍ରିୟ-ମନ-ବୁଦ୍ଧି ଆତ୍ମା ଠାରୁ ପ୍ରେରଣା ପ୍ରାପ୍ତ କରି କର୍ମ କରିଥାଆନ୍ତି ।