Bhagavad Gita: Chapter 3, Verse 25

ସକ୍ତାଃ କର୍ମଣ୍ୟବିଦ୍ୱାଂସୋ ଯଥା କୁର୍ବନ୍ତି ଭାରତ ।
କୁର୍ଯ୍ୟାଦ୍ୱିଦ୍ୱ୍ୟାଂସ୍ତଥାସକ୍ତଶ୍ମିକୀର୍ଷୁଃର୍ଲୋକସଂଗ୍ରହମ୍ ।। ୨୫ ।।

ସକ୍ତାଃ - ଆସକ୍ତ ହୋଇ, କର୍ମଣି - କର୍ତ୍ତବ୍ୟ କର୍ମ, ଅବିଦ୍ୱାଂସଃ - ଅଜ୍ଞ; ଯଥା - ଯେପରି, କୁର୍ବନ୍ତି - କରନ୍ତି , ଭାରତ- ହେ ଭରତବଂଶକ, କୁର୍ଯ୍ୟତ୍‌-କରିବା ଉଚିତ୍ - ବିଦ୍ୱାନ୍ - ପଣ୍ଡିତ, ତଥା - ସେହିପରି, ଅସକ୍ତଃ- ଅନାସକ୍ତ ଭାବରେ, ଚିକୀର୍ଷୁଃ - ଉଦ୍ଦେଶ୍ୟରେ, ଲୋକସଂଗ୍ରହମ୍ - ଜଗତକଲ୍ୟାଣ ।

Translation

BG 3.25: ହେ ଭାରତ ଶ୍ରେଷ୍ଠ, ଅଜ୍ଞ ବ୍ୟକ୍ତିମାନେ ଯେପରି ଫଳ ପ୍ରାପ୍ତିର ଆଶା ରଖି ସକାମ କର୍ମ କରନ୍ତି, ସେହିପରି ଜ୍ଞାନୀମାନେ ଅନାସକ୍ତ ଭାବରେ ଲୋକମାନଙ୍କର ଉଚିତ୍ ମାର୍ଗଦର୍ଶନ କରିବା ପାଇଁ କର୍ମ କରିବା ଉଚିତ୍ ।

Commentary

ପୂର୍ବରୁ, ଶ୍ଲୋକ ସଂଖ୍ୟା ୩.୨୦ ରେ, ଶ୍ରୀକୃଷ୍ଣ ଲୋକ-ସଂଗ୍ରହମ୍ ଏବାପି ସଂପଶ୍ୟନ୍‌, ଅର୍ଥାତ୍ “ସମସ୍ତ ସମାଜର ମଙ୍ଗଳ ଦୃଷ୍ଟିରୁ” କହିଥିଲେ । ଏହି ଶ୍ଲୋକରେ ପୁନର୍ବାର ଲୋକ - ସଂଗ୍ରହମ୍ ଚିକିର୍ଷୁଃ, ଅର୍ଥାତ୍ “ସଂସାରର ମଙ୍ଗଳ କାମନା କରି”କହି ସେ ଗୁରୁତ୍ୱାରୋପଣ କରୁଛନ୍ତି ଯେ ଜ୍ଞାନୀମାନେ ଜନକଲ୍ୟାଣ ପାଇଁ କାର୍ଯ୍ୟ କରିବା ଉଚିତ୍ ।

ପୁନଶ୍ଚ, ଏହି ଶ୍ଲୋକରେ ବ୍ୟବହୃତ ସକ୍ତାଃ ଅବିଦ୍ୱାଂସଃ  ଉପାଧି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁ ମାନେ ନିଜକୁ ଶରୀର ମନେ କରି  ସଂସାରିକ ସୁଖରେ ଲିପ୍ତ ରହନ୍ତି,  ଅଥଚ ଶାସ୍ତ୍ର ପ୍ରଣୋଦିତ ବୈଦିକ ନିତିନିୟମ ପ୍ରତି ପୂର୍ଣ୍ଣ ବିଶ୍ୱାସ ରଖିଥାଆନ୍ତି । ସେମାନଙ୍କୁ ଅଜ୍ଞ କୁହାଯାଏ କାରଣ ସେମାନଙ୍କର ପୋଥିଗତ ଶାସ୍ତ୍ରଜ୍ଞାନ ଥାଏ ସତ, କିନ୍ତୁ  ଭଗବତ ପ୍ରାପ୍ତି ରୂପୀ ଚରମ ଲକ୍ଷ୍ୟ ସମ୍ବନ୍ଧରେ କୌଣସି ଧାରଣା ନ ଥାଏ । ଏହି ଅଜ୍ଞ ବ୍ୟକ୍ତିମାନେ ଶାସ୍ତ୍ର ନିର୍ଦ୍ଦେଶିତ କର୍ମ ସବୁ ନିରଳସ ଏବଂ ନିଃଶଙ୍କା ଚିତ୍ତରେ ପୂର୍ଣ୍ଣ ନିଷ୍ଠାର ସହିତ ପାଳନ କରିଥାଆନ୍ତି । ସେମାନଙ୍କର ଏହି ଦୃଢ ବିଶ୍ୱାସ  ରହିଥାଏ ଯେ,  ବୈଦିକ କର୍ମ ଓ ବିଧିର ଅନୁଷ୍ଠାନ କରିବା ଦ୍ୱାରା ସେମାନଙ୍କର  ସଂସାରିିକ କାମନା ପୂର୍ଣ୍ଣ ହେବ । କୌଣସି ପରିସ୍ଥିତିରେ ସେମାନଙ୍କର ସେହି ବିଶ୍ୱାସ ଯଦି ତୁଟିଯାଏ, ତେବେ ମନରେ ଭକ୍ତିର ଉଚ୍ଚତର  ସୋପାନ ପ୍ରତି   ଆସ୍ଥା ଦୃଢ ହୋଇ ନ ଥିବା କାରଣରୁ, ସେମାନଙ୍କ ପାଇଁ ଅନ୍ୟ କୌଣସି ପନ୍ଥା ନ ଥାଏ । ସେଥିପାଇଁ ଭାଗବତ ମହାପୁରାଣ କହେ :

ତାବତ୍ କର୍ମାଣି କୁର୍ବୀତ ନ ନିର୍ବିଦ୍ୟେତ ଯାବତା
ମତ୍‌-କଥା-ଶ୍ରବଣାଦୌ ବା ଶ୍ରଦ୍ଧା ଯାବନ୍ ନ ଜାୟତେ (୧୧.୨୦.୯)

“ଯେ ପର୍ଯ୍ୟନ୍ତ  ବ୍ୟକ୍ତି ସାଂସାରିକ ବିଷୟ ପ୍ରତି ବୈରାଗ୍ୟ ଧାରଣ କରି ଭଗବାନଙ୍କଠାରେ ପୂର୍ଣ୍ଣ ଅନୁରକ୍ତ ନ ହୋଇଛି, ସେ ପର୍ଯ୍ୟନ୍ତ ସେ କର୍ମ ବା ବୈଦିକ ପ୍ରଥା ସବୁ ଠିକ୍ ଠିକ୍ ପାଳନ  କରିବା ଉଚିତ୍ ।” 

ଶ୍ରୀକୃଷ୍ଣ କହୁଛନ୍ତି ଯେ, ଯେମିତି ଅଜ୍ଞ ବ୍ୟକ୍ତିମାନେ ବିଶ୍ୱାସର ସହିତ ବୈଦିକ କର୍ମ-ଧର୍ମ କରିଥାନ୍ତି, ସେହିପରି ଜ୍ଞାନୀମାନେ ମଧ୍ୟ, ମାୟିକ ଫଳପ୍ରାପ୍ତିର କାମନା ନ ରଖି, ସଂସାର ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିବା ନିମନ୍ତେ ନିଷ୍ଠାର ସହିତ କର୍ମ କରିବା ଉଚିତ । ତା ଛଡା, ଯେଉଁ ପରିସ୍ଥିତିରେ ଅର୍ଜୁନ ଅଛନ୍ତି ତାହା ଏକ ଧର୍ମଯୁଦ୍ଧ ଅଟେ । ତେଣୁ, ଜଣେ ଯୋଦ୍ଧା ଭାବରେ ଅର୍ଜୁନ ସମାଜର କଲ୍ୟାଣ ନିମନ୍ତେ ତାଙ୍କର କର୍ତ୍ତବ୍ୟ ପାଳନ କରିବା ଉଚିତ୍ ।