ସହଯଜ୍ଞାଃ ପ୍ରଜାଃ ସୃଷ୍ଟ୍ୱା ପୁରୋବାଚ ପ୍ରଜାପତିଃ ।
ଅନେନ ପ୍ରସବିଷ୍ୟଧ୍ୱମେଷ ବୋଽସ୍ତ୍ୱିଷ୍ଟକାମଧୁକ୍ ।।୧୦।।
ସହ- ସହ; ଯଜ୍ଞଃ- ଯଜ୍ଞମାନ; ପ୍ରଜାଃ- ପ୍ରଜା; ସୃଷ୍ଠ୍ୱା- ସୃଷ୍ଟିକରି; ପୁରା- ପୂର୍ବେ; ଉବାଚ- କହିଲେ; ପ୍ରଜାପତି-(ପ୍ରଜାପତିି) ପ୍ରାଣୀମାନଙ୍କର ପ୍ରଭୂ; ଅନେନ- ଏହାଦ୍ୱାରା; ପ୍ରସବିଷ୍ୟଧ୍ୱମ୍ - ଅଧିକରୁ ଅଧିକ ସମୃଦ୍ଧିଶାଳୀ ହୁଏ; ଏଷଃ- ନିଶ୍ଚିିତ୍ ଭାବେ; ବଃ-ତୁମ୍ଭମାନଙ୍କର; ଅସ୍ତୁ- ହେଉ; ଇଷ୍ଟ-ସମସ୍ତ କାମନା; କାମଧୁକ୍ - ଇଚ୍ଛା ପ୍ରଦାନକାରୀ ।
Translation
BG 3.10: ବ୍ରହ୍ମା ସୃଷ୍ଟିର ପ୍ରାରମ୍ଭରେ ପ୍ରାଣୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ସହିତ ସୃଷ୍ଟି କଲେ ଏବଂ କହିଲେ “ଏହି ଯଜ୍ଞ ଗୁଡିକର ଅନୁଷ୍ଠାନ କରି ସମୃଦ୍ଧି ଲାଭ କର । ତୁମେ ଯାହା କିଛି ପାଇବାକୁ ଇଚ୍ଛା କରୁଛ, ସେମାନେ ତୁମକୁ ତାହା ପ୍ରଦାନ କରିବେ ।”
Commentary
ପ୍ରକୃତିର ପ୍ରତ୍ୟେକ ଉପାଦାନ ଭଗବାନଙ୍କ ସୃଷ୍ଟିର ଅପରିହାର୍ଯ୍ୟ ଅଂଶ ଅଟନ୍ତି । ଏହି ପ୍ରଣାଳୀରେ ପ୍ରତିଟି ଅଂଶ ତା’ର ଅଂଶୀ ପ୍ରତି (ଯାହାଠାରୁ ତାହାର ଉତ୍ପତ୍ତି) ଆକର୍ଷିତ ହୋଇଥାନ୍ତି ତଥା ପ୍ରତିଫଳ ଦେଇଥାନ୍ତି । ସୂର୍ଯ୍ୟ ପୃଥିବୀକୁ ସ୍ଥିରତା ଦେଇଥାନ୍ତି ଏବଂ ପ୍ରାଣୀ ମାନଙ୍କ ଜୀବନ ଧାରଣ ପାଇଁ ଉତ୍ତାପ ଓ ଆଲୋକ ପ୍ରଦାନ କରିଥାନ୍ତି । ଆମ୍ଭମାନଙ୍କର ପୋଷଣ ପାଇଁ, ସୃଷ୍ଟି ତାର ମୃତ୍ତିକାରେ ଖାଦ୍ୟ ସୃଷ୍ଟି କରେ ଏବଂ ଏକ ସଭ୍ୟ ଜୀବନ ଯାପନ ପାଇଁ ତାର ଗର୍ଭରେ ବିଭିନ୍ନ ଖଣିଜ ପଦାର୍ଥ ଧାରଣ କରିଥାଏ । ବାୟୁ ଆମର ଶରୀରରେ ଜୀବନୀ ଶକ୍ତି ପ୍ରବାହିତ କରିଥାଏ ଏବଂ ଶବ୍ଦ ଶକ୍ତିର ସଂଚାରରେ ସାହାଯ୍ୟ କରିଥାଏ । ଆମେ ସବୁ ମନୁଷ୍ୟମାନେ ମଧ୍ୟ ଭଗବାନଙ୍କ ସୃଷ୍ଟିର ଅବିଚ୍ଛେଦ୍ୟ ଅଂଶ ଅଟୁ । ଯେଉଁ ବାୟୁକୁ ଆମେ ଶ୍ୱାସ ରୂପରେ ଗ୍ରହଣ କରିଥାଉ, ଯେଉଁ ଧରଣୀ ଉପରେ ଆମେ ପଦଚାଳନା କରିଥାଉ, ଯେଉଁ ଜଳକୁ ଆମେ ପାନ କରିଥାଉ, ଯେଉଁ ଆଲୋକ ଆମର ଦିନକୁ ଉଦ୍ଭାସିତ କରିଥାଏ, ସେସବୁ ଆମ ପ୍ରତି ପ୍ରକୃତିର ଦାନ ଅଟେ । ଆମର ଜୀବନ ଧାରଣ ପାଇଁ ଏହି ସବୁ ଦାନ ଗ୍ରହଣ କରିବା ସହିତ ଆମର ମଧ୍ୟ ଏହି ସମ୍ପୂର୍ଣ୍ଣ ପ୍ରଣାଳୀ ପ୍ରତି କର୍ତ୍ତବ୍ୟ ରହିଛି । ଶ୍ରୀକୃଷ୍ଣ କହୁଛନ୍ତି ଯେ, ଉଗବାନଙ୍କ ସେବାରେ ନିଜର ନିର୍ଦ୍ଧାରିତ କର୍ମ କରି, ସୃଷ୍ଟି ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବା ଆମର ନୈତିକ ଦାୟୀତ୍ୱ ଅଟେ । ଆମ୍ଭମାନଙ୍କଠାରୁ ସେ ଏହି ଯଜ୍ଞ ଆଶା କରନ୍ତି ।
ହାତର ଉଦାହରଣ ବିଚାର କରନ୍ତୁ, ଏହା ଶରୀରର ଅବିଚ୍ଛେଦ୍ୟ ଅଂଶ ଅଟେ । ଏହା ଶରୀର ଠାରୁ ରକ୍ତ - ଅମ୍ଲଜାନ - ଖାଦ୍ୟ ଇତ୍ୟାଦି ପୋଷକ ତତ୍ତ୍ୱ ଗ୍ରହଣ କରେ । ପ୍ରତିବଦଳରେ ଏହା ଶରୀର ପାଇଁ ଆବଶ୍ୟକ କାର୍ଯ୍ୟ କରିଥାଏ । ହାତ ଯଦି ଏହି ସେବାକୁ ବୋଝ ଭାବିବ ଏବଂ ଶରୀର ଠାରୁ ଅଲଗା ହେବାକୁ ଚିନ୍ତା କରିବ, ତେବେ ତାହା ଅଳ୍ପ ସମୟ ପାଇଁ ମଧ୍ୟ ଜୀବିତ ରହି ପାରିବ ନାହିଁ । ଶରୀର ପ୍ରତି ଏହି ଯଜ୍ଞ ପାଳନ ତା’ର ନିଜ ସ୍ୱାର୍ଥ ମଧ୍ୟ ପୂରଣ କରିଥାଏ । ସେହି ପରି, ଆମେସବୁ ଜୀବ ପରମାତ୍ମାଙ୍କର କ୍ଷୁଦ୍ର ଅଂଶ ଅଟୁ ଏବଂ ଏହି ବିଶାଳ ଯୋଜନାରେ ଆମ ସମସ୍ତଙ୍କର ଏକ ଭୂମିକା ନିର୍ବାହ କରିବାର ଆବଶ୍ୟକତା ରହିଛି । ଆମେ ଯେତେବେଳେ ତାଙ୍କ ଉଦ୍ଦେଶ୍ୟରେ ଯଜ୍ଞ କରୁ, ଆମ ନିଜର ସ୍ୱାର୍ଥ ସ୍ୱାଭାବିକ ଭାବେ ପୂରଣ ହୋଇଯାଏ ।
ସାଧାରଣତଃ ଯଜ୍ଞ ଅଗ୍ନି ତର୍ପଣକୁ ବୁଝାଇଥାଏ । ଭଗବତ୍ ଗୀତାରେ, ଭଗବାନଙ୍କୁ ଅର୍ପଣ କରି କରାଯାଉଥିବା ଶାସ୍ତ୍ର ନିର୍ଦ୍ଧାରିତ ସମସ୍ତ କର୍ମକୁ ଯଜ୍ଞ ଭାବରେ ଅଭିହିତ କରାଯାଇଛି ।