Bhagavad Gita: Chapter 3, Verse 13

ଯଜ୍ଞଶିଷ୍ଟାଶିନଃ ସନ୍ତୋ ମୁଚ୍ୟନ୍ତେ ସର୍ବକିଲ୍‌ବିଷୈଃ ।
ଭୁଞ୍ଜତେ ତେ ତ୍ୱଘଂ ପାପା ଯେ ପଚନ୍ତ୍ୟାତ୍ମକାରଣାତ୍ ।।୧୩।।

ଯଜ୍ଞ ଶିଷ୍ଟ- ଯଜ୍ଞରେ ଅର୍ପଣ କରାଯାଉଥିବା ପ୍ରସାଦର ଅବଶିଷ୍ଟାଂଶ; ଆଶିନଃ- ଭୋଜନକାରୀ, ସନ୍ତଃ- ସନ୍ଥ ମହାପୁରୁଷ; ମୁଚ୍ୟନ୍ତେ- ମୁକ୍ତ ହୋଇଯାଆନ୍ତି; ସର୍ବ- ସମସ୍ତପ୍ରକାର; କିଳ୍‌ବିଷୈଃ- ପାପରୁ; ଭୁଞ୍ଜତେ- ଉପଭୋଗ କରନ୍ତି; ତେ- ସେମାନେ; ତୁ- କିନ୍ତୁ, ଅଘଂ- ଘୋର ପାପ; ପାପାଃ- ପାପୀମାନେ; ଯେ-ଯେଉଁମାନେ; ପଚନ୍ତି- ପାକ କରନ୍ତି; ଆତ୍ମକାରଣାତ୍ - ଇନ୍ଦିୟ ସୁଖାର୍ଥେ ।

Translation

BG 3.13: ଯେଉଁ ଧର୍ମ ପରାୟଣ ବ୍ୟକ୍ତି, ଭୋଜନକୁ ଭଗବାନଙ୍କୁ ଅର୍ପଣ କରି ପ୍ରସାଦ ରୂପରେ ଗ୍ରହଣ କରନ୍ତି, ସେ ସମସ୍ତ ପାପରୁ ମୁକ୍ତ ହୋଇ ଯାଆନ୍ତି । ଅନ୍ୟ ଯେଉଁ ମାନେ କେବଳ ନିଜର ଉପଭୋଗ ପାଇଁ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ କେବଳ ପାପ ହିଁ ଆହରଣ କରନ୍ତି ।

Commentary

ବୈଦିକ ପରମ୍ପରା ଅନୁସାରେ ଭଗବାନଙ୍କୁ ସନ୍ତୁଷ୍ଟ କରିବାର ମନୋଭବ ନେଇ ହିଁ ଖାଦ୍ୟ ପ୍ରସ୍ତୁତ କରାଯାଏ ।  ଏହାର  କିଞ୍ôଚତ୍ ଅଂଶ ଏକ ପାତ୍ରରେ ସଜାଇ, ମନରେ ହେଉ ବା ବାଣୀରେ ହେଉ ଭଗବାନଙ୍କୁ ଖାଦ୍ୟ ଗ୍ରହଣ କରିବାକୁ ପ୍ରାର୍ଥନା କରାଯାଇଥାଏ । ଅର୍ପଣ ପରେ ସେହି ଖାଦ୍ୟକୁ ପ୍ରସାଦ (ଭଗବାନଙ୍କର ଅନୁଗ୍ରହ) ରୂପେ ବିବେଚନା କରାଯାଏ ଏବଂ ସେହି ମନୋଭାବରେ ଭୋଜନକୁ ଗ୍ରହଣ କରାଯାଇଥାଏ । ଅନ୍ୟ ଧାର୍ମିକ ପରମ୍ପରାରେ ମଧ୍ୟ ସେହିପରି ପ୍ରଥା ଅନୁସରଣ କରାଯାଇଥାଏ । ଖ୍ରୀଷ୍ଟିୟାନ୍ ଧର୍ମର ୟୁକାରିଷ୍ଟ ଧର୍ମବିଧିରେ ରୁଟି ଓ ମଦିରାକୁ ପବିତ୍ର କରି ପ୍ରସାଦ ରୂପରେ ଗ୍ରହଣ କରାଯାଇଥାଏ । ଏହି ଶ୍ଳୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ପ୍ରସାଦ (ଭଗବାନଙ୍କୁ ଅର୍ପଣ କରାଯାଇଥିବା ଭୋଜନ) ଗ୍ରହଣ କରି ମନୁଷ୍ୟ ପାପମୁକ୍ତ ହୋଇଯାଏ, ଅଥଚ ଯେଉଁମାନେ ଭଗବାନଙ୍କୁ ଅର୍ପଣ ନ କରି ଭୋଜନ କରନ୍ତି, ସେମାନେ ପାପ କରନ୍ତି ।

ଏଠାରେ ପ୍ରଶ୍ନ ଉଠିପାରେ, ଆମେ ଭଗବାନଙ୍କୁ ଆମିଷ ଅର୍ପଣ କରି ତାହାକୁ ପ୍ରସାଦ ରୂପରେ ଗ୍ରହଣକରିପାରିବା କି ?  ଏହାର ଉତ୍ତର ଏହିପରି ହୋଇପାରେ ଯେ ବେଦ ମନୁଷ୍ୟ ପାଇଁ ନିରାମିଷ ଭୋଜନ ନିର୍ଦ୍ଦେଶ କରିଥାଏ, ଯାହାର ଅନ୍ତର୍ଭୁକ୍ତ ଶସ୍ୟ, ଡାଲି, ପନିପରିବା, ଫଳମୂଳ, ଦୁଗ୍ଧଜାତୀୟ ପଦାର୍ଥ ଇତ୍ୟାଦି ଅଟେ । ବୈଦିକ ସଂସ୍କୃତି ବ୍ୟତୀତ, ବିଶ୍ୱର ଅନ୍ୟ ସଂସ୍କୃତିର ବହୁ ଆଧ୍ୟାତ୍ମବାଦୀ ମଧ୍ୟ ମାଂସାହାରୀ ଭୋଜନକୁ ଅସ୍ୱୀକାର କରିଥାଆନ୍ତି, କାରଣ ଏହା ପ୍ରାଣୀମାନଙ୍କର ପାକସ୍ଥଳୀକୁ ଶ୍ମଶାନରେ ପରିଣତ କରି ଦେଇଥାଏ । ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଂସାହାରୀ ପରିବାରରେ ଜନ୍ମ ଗ୍ରହଣ କରିଥାଆନ୍ତି, ଆଧ୍ୟାତ୍ମିକ ମାର୍ଗରେ ଅଗ୍ରସର ହେବା ସହିତ, ସେମାନେ ନିରାମିଷାସି ଜୀବନ ଶୈଳୀ ପ୍ରତି ଆକର୍ଷିତ ହୋଇଥାଆନ୍ତି । କେତେକ ପ୍ରସିଦ୍ଧ ବିଚାରକ ମାନଙ୍କର ନିରାମିଷ ଭୋଜନ ସପକ୍ଷରେ ଉକ୍ତି ଏଠାରେ ଉଲ୍ଲେଖ କରାଗଲା ।

“ପ୍ରାଣୀମାନଙ୍କର ମନରେ ଭୟ ସୃଷ୍ଟି ନ କରିବା ପାଇଁ, ଭିକ୍ଷୁମାନେ ମାଂସ ଭକ୍ଷଣରୁ ନିବୃତ୍ତ ରହନ୍ତୁ । ବିଜ୍ଞ ବ୍ୟକ୍ତି ମାନଙ୍କର ଆହାର ସାଧୁୁ ମାନଙ୍କର ଆହାର ପରି ହେବା ଉଚିତ୍‌, ଯେଉଁଥିରେ ମାଂସ ନ ଥାଏ ।”- ବୁଦ୍ଧଦେବ

“ଆପଣ ଯଦି ଏପରି କହିବେ ଯେ ଆପଣଙ୍କର ଶରୀର ସ୍ୱଭାବତଃ ସେପରି ଆହାର ନିମନ୍ତେ ଉଦ୍ଦିଷ୍ଟ, ତେବେ ଆପଣ ଯାହାକୁ ଖାଇବାକୁ ଇଚ୍ଛା କରୁଛନ୍ତି, ତାହାକୁ ନିଜ ଶରୀରରେ ଥିବା ଉପକରଣମାନଙ୍କ ଦ୍ୱାରା ହତ୍ୟା କରନ୍ତୁ, କୌଣସି ବାହ୍ୟ ଅସ୍ତ୍ର-ଶସ୍ତ୍ର ଦ୍ୱାରା ନୁହେଁ । - ରୋମାନ ପ୍ଲୁଟାର୍କଙ୍କର ‘ମାଂସ ଭକ୍ଷଣ’ ଶୀର୍ଷକ ପ୍ରବନ୍ଧ ।

“ଯେ  ପର୍ଯ୍ୟନ୍ତ ମନୁଷ୍ୟ ଜୀବ ସଂହାର କରି ଚାଲିଥିବ, ସେ ପର୍ଯ୍ୟନ୍ତ ସେମାନେ ପରସ୍ପରକୁ ହତ୍ୟା କରୁଥିବେ ।  ହତ୍ୟା ଓ ଯାତନାର ବୀଜ ବପନ କରି କେହି ଆନନ୍ଦ ଓ ପ୍ରେମର ଫସଲ ଆଦାୟ କରିପାରିବେ ନାହିଁ । - ପିଥାଗୋରାସ୍

“ସତ କହିବାକୂ ଗଲେ, ମନୁଷ୍ୟ ପଶୁମାନଙ୍କର  ରାଜା ଅଟେ, କାରଣ ତା’ର ନିର୍ଦ୍ଦୟତା ପଶୁମାନଙ୍କ ଠାରୁ ଅଧିକ । ଅନ୍ୟମାନଙ୍କର ଶବ ଉପରେ ଆମେ ଜୀବିତ । ଆମେ ସମସ୍ତେ ଗୋଟିଏ ଗୋଟିଏ ଶ୍ମଶାନ ସ୍ଥଳୀ ଅଟେ! ସେଥିପାଇଁ ମୁଁ ଶୈଶବ କାଳରୁ ହିଁ ମାଂସ ଭକ୍ଷଣ ପରିତ୍ୟାଗ କରିଛି ।” - ଲିଓନାଡୋ ଡା ଭିନ୍‌ସି

“ଅହିଂସା ମନୁଷ୍ୟକୁ ଉଚ୍ଚତମ ନୈତିକତା ଆଡକୁ ଅଗ୍ରସର  କରାଏ, ଯାହା ସବୁ ବିକାଶର ଲକ୍ଷ ଅଟେ । ଯେ ପର୍ଯ୍ୟନ୍ତ ଆମେ ଅନ୍ୟ ପ୍ରାଣୀମାନଙ୍କୁ  କଷ୍ଟ ଦେବା ବନ୍ଦ ନ କରିଛେ, ଆମେ ବର୍ବର ହୋଇ ରହିଥିବା ।” -  ଥୋମାସ୍ ଏଡିସନ୍‌

“ମାଂସ ଭକ୍ଷଣ ଅନୈତିକତା ହିଁ ଅଟେ, କାରଣ ଏହା ହତ୍ୟା ପରି ଏପରି ଏକ କାର୍ଯ୍ୟ ସହିତ ଜଡିତ, ଯାହା ନୈତିକ ଭାବନାର ସମ୍ପୂର୍ଣ୍ଣ ବିପରୀତ ଅଟେ ।” - ଲିଓ ଟଲ୍‌ଷ୍ଟୟ ।

“କଂସେଇ ବିକ୍ରି କରୁଥିବା ମାଂସ ଜୀବିତ ରହିବା ପାଇଁ ଅତ୍ୟାବଶ୍ୟକ - ଏହାର ସତ୍ୟତା ବାସ୍ତବରେ ସନ୍ଦେହ ଜନକ ଅଟେ । ମାଂସ ଭକ୍ଷଣ କେବେ ବି ଶାଳୀନତାର ପରିଚାୟକ ନୁହେଁ ।” -  ଆଡାମ୍ ସ୍ମିଥ 

“ମୁଁ ମୋର ବୟସ ଅନୁରୂପ ପ୍ରତୀତ ହୋଇଥାଏ । ଅନ୍ୟ ମାନେ ସେମାନଙ୍କର ବୟସ ଠାରୁ ଅଧିକ ବୟସ୍କ ଦେଖାଯାଆନ୍ତି ।  ଯେଉଁମାନେ ଶବ ଭକ୍ଷଣ କରନ୍ତି, ସେମାନଙ୍କ ଠାରୁ ଆଉ କ’ଣ ବା ଆଶା କରାଯିବ ?”- ଜର୍ଜ, ବର୍ଣ୍ଣାଡ୍ ଶ । 

“ଗୋଟିଏ  ମୃତ ଗାଈ ବା ମେଣ୍ଢା ଗୋଚରରେ ପଡିଥିଲେ,  ତାକୁ ପଚା ଶରୀର କୁହାଯାଏ । ଅଥଚ କଂସେଇ ଶାଳରେ ଝୁଲା ହୋଇଥିବା ସେହି ପରି ମୃତ ଶରୀରକୁ ଖାଦ୍ୟ ରୂପେ ବିବେଚନା କରାଯାଇଥାଏ ।”- ଜେ.ଏଚ୍ କେଲଗ

“ମୋ ମତରେ, ନିରାମିଷ ଜୀବନ ଶୈଳୀ, ମନୁଷ୍ୟର ସ୍ୱଭାବକୁ ପ୍ରଭାବିତ କରିବା ସହିତ, ସମଗ୍ର ମାନବ-ସମାଜ ପାଇଁ ମଧ୍ୟ ବହୁଳ ଭାବରେ ଲାଭଦାୟୀ ସିଦ୍ଧ ହୋଇଥାଏ ।”- ଆଲର୍ବଟ୍ ଆଇନଷ୍ଟାଇନ୍

“ମୋର ଧାରଣା, ଆଧ୍ୟାତ୍ମିକ ପ୍ରଗତି କୌଣସି ଏକ ସ୍ଥିତିିରେ ଆବଶ୍ୟକ କରିଥାଏ ଯେ ଆମେ ନିଜର ଶାରୀରିକ ବାସନାର ପୂର୍ତ୍ତି ନିମନ୍ତେ ଅନ୍ୟ ପ୍ରାଣୀମାନଙ୍କର ହତ୍ୟା କରିବାରୁ ନିବୃତ୍ତହେବା ।”- ମହାତ୍ମା ଗାନ୍ଧୀ

ଏହି ଶ୍ଲୋକରେ ଆଗକୁ ଯାଇ ଶ୍ରୀକୃଷ୍ଣ କହୁଛନ୍ତି ଯେ ଉଦ୍ଭିଦ ମାନଙ୍କର ମଧ୍ୟ ଜୀବନ ରହିଛି । ଯଦି ଆମେ ଇନ୍ଦ୍ରିୟ ସୁଖ ପାଇଁ ସେଗୁଡିକୁ ଭକ୍ଷଣ କରିବା, ତେବେ ଜୀବ ହତ୍ୟା ଜନିତ କର୍ମ ବନ୍ଧନରେ ଆମେ ବାନ୍ଧି ହୋଇଯିବା । ଶ୍ଲୋକରେ ବ୍ୟବହୃତ ଆତ୍ମ-କାରଣାତ୍ ଶବ୍ଦର ଅର୍ଥ ‘ନିଜ ସୁଖ ପାଇଁ କିନ୍ତୁ ଯଦି ଆମେ ତାହାକୁୁ ଭଗବାନଙ୍କୁ  ଅର୍ପଣ କରାଯାଇଥିବା ଯଜ୍ଞର ପ୍ରସାଦ ଭାବରେ ଗ୍ରହଣ କରିବା, ତେବେ ଚିନ୍ତାଧାରା ଭିନ୍ନ ହୋଇଯିବ । ସେତେବେଳେ ଆମେ ଶରୀରକୁ  ଭଗବାନଙ୍କର ସମ୍ପତ୍ତି ମନେକରିବା ଏବଂ ତାଙ୍କ  ସେବା ପାଇଁ ଶରୀରର ଯତ୍ନ ନେବାର ଦାୟୀତ୍ୱ ଆମ ଉପରେ ନ୍ୟସ୍ତ କରାଯାଇଛି ବୋଲି  ବିିଚାର କରିବା ।  ଶରୀର ପୋଷଣ ନିମନ୍ତେ ଅନୁମୋଦିତ ଖାଦ୍ୟକୁ ତାଙ୍କରି କୃପା ରୂପରେ ଗ୍ରହଣ କରିବା । ଏହିପରି ମନୋଭାବ ସମସ୍ତ ପ୍ରକ୍ରିୟାକୁ ଦିବ୍ୟତା ପ୍ରଦାନ କରିଥାଏ । ଭରତ  ମୁନି କହିଛନ୍ତି :

ବସୁସତୋ କ୍ରତୁ ଦକ୍ଷୌ କାଳ କାମୈା ଦୃତିଃ କୁରୁଃ
ପୁରୁରବା ମଦ୍ରବାଶ୍ଚ ବିଶ୍ୱଦେବାଃ ପ୍ରକିର୍ତିତଃ ।

“ରନ୍ଧନ ପ୍ରକ୍ରିୟାରେ ହେମଦସ୍ତା, ଅଗ୍ନି, ପେଷଣା, ଜଳପାତ୍ର, ଝାଡୁ ଆଦିର ବ୍ୟବହାର କରି ଅଜାଣତରେ ଆମେ ପ୍ରାଣୀମାନଙ୍କ ପ୍ରତି ହିଂସା ପ୍ରଦର୍ଶନ କରିଥାଉ ।  ନିଜ ପାଇଁ ଯେଉଁମାନେ ଖାଦ୍ୟ ପ୍ରସ୍ତୁତ କରନ୍ତି, ସେମାନେ ଏହିି  ପାପରେ ଲିପ୍ତ ହୋଇଯାଆନ୍ତି । କିନ୍ତୁ ଯଜ୍ଞ ଏହିସବୁ ପାପ ପ୍ରକ୍ରିୟାକୁ ନାଶ କରିଦେଇଥାଏ ।