ନ ହି କଶ୍ଚିତ୍କ୍ଷଣମପି ଜାତୁ ତିଷ୍ଠିତ୍ୟକର୍ମକୃତ୍ ।
କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିଜୈର୍ଗୁଣୈଃ ।।୫।।
ନ - ନୁହେଁ ; ହି- ନିଶ୍ଚିତଭାବେ; କଶ୍ଚିତ୍- କେହି ; କ୍ଷଣମ୍- କ୍ଷଣମାତ୍ର ; ଅପି - ମଧ୍ୟ; ଜାତୁ- କଦାଚିତ୍; ତିଷ୍ଠତି- ରହେ ; ଅକର୍ମକୃତ୍-କର୍ମ ବିନା; କାର୍ଯ୍ୟତେ - କର୍ମ କରିବାକୁ ବାଧ୍ୟ ହୁଏ; ହିି- ନିଶ୍ଚତ ଭାବେ; ଅବଶଃ- ଅସହାୟ ; କର୍ମ-କର୍ମ; ସ୍ୱର୍ବଃ- ସମସ୍ତ; ପ୍ରକୃତି ଜୈଃ- ଭୂତ ପ୍ରକୃତି ଜୈର୍ଗୁଣୈଃ- ଗୁଣରେ ।
Translation
BG 3.5: କର୍ମ ନ କରି କୈଣସି ବ୍ୟକ୍ତି ଗୋଟିଏ କ୍ଷଣ ବି ରହି ପାରିବ ନାହିଁ । ବାସ୍ତବରେ, ସମସ୍ତ ପ୍ରାଣୀ ତାଙ୍କର ଜନ୍ମଗତ ଗୁଣ ଅନୁସାରେ (ତିନି ଗୁଣ) କର୍ମ କିରବାକୁ ବାଧ୍ୟ ଅଟନ୍ତି ।
Commentary
କେତେକ ବ୍ୟକ୍ତି ଭାବନ୍ତି ଯେ କର୍ମ କେବଳ ବୃତ୍ତିଗତ କର୍ମକୁ ବୁଝାଏ ଏବଂ ଦୈନନ୍ଦିନ କାର୍ଯ୍ୟ ଯେପରି କି ଖାଇବା, ପିଇବା, ଶୋଇବା, ଚାଲିବା ଏବଂ ଚିନ୍ତା କରିବା ଆଦିକୁ ବୁଝାଏ ନାହିଁ । ଏଣୁ ସେମାନେ ଯେତେବେଳେ ତାଙ୍କର ବୃତ୍ତିଗତ କର୍ମ ତ୍ୟାଗ କରନ୍ତି, ସେମାନେ ଭାବନ୍ତି ଯେ ସେମାନେ କୌଣସି କର୍ମ କରୁନାହାନ୍ତି କିନ୍ତୁ ଶ୍ରୀକୃଷ୍ଣ ଶରୀର, ମନ ଏବଂ ଜିହ୍ୱା ଦ୍ୱାରା କରାଯାଉଥିବା ସମସ୍ତ କ୍ରିୟାକୁ କର୍ମରୂପରେ ବିବେଚନା କରିଛନ୍ତି । ତେଣୁ ସେ ଅର୍ଜୁୁନଙ୍କୁ କହୁଛନ୍ତି, ସମ୍ପୂର୍ଣ୍ଣ କ୍ରିୟା ହୀନତା ଗୋଟିଏ କ୍ଷଣ ପାଇଁ ମଧ୍ୟ ସମ୍ଭବ ନୁହେଁ । ଆମେ ଯଦି କେବଳ ବସି ରହୁ ତାହା ମଧ୍ୟ ଏକ କ୍ରିୟା ଅଟେ । ଆମେ ଯଦି ଶୋଇଯାଉ ତାହା ମଧ୍ୟ ଏକ କ୍ରିୟା ଅଟେ । ନିଦ୍ରିତ ଅବସ୍ଥାରେ ମନ ସ୍ପପ୍ନ ଦେଖିବାରେ ଲାଗିଥାଏ । ତା ଛଡା, ନିଦ୍ରାବସ୍ଥାରେ ମଧ୍ୟ ଆମର ହୁତ୍ପିଣ୍ଡ ତଥା ଅନ୍ୟ ଅଙ୍ଗସବୁ କାର୍ଯ୍ୟ କରୁଥାଏ । ତେଣୁ ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ, ମନୁଷ୍ୟ ପକ୍ଷରେ ନିଷ୍କ୍ରିୟତା ହାସଲ କରିବା ଏକ ଅସମ୍ଭବ ବ୍ୟାପାର ଅଟେ । କାରଣ ନିଜର ତ୍ରିଗୁଣ (ସତ୍ତ୍ୱ, ରଜୋ, ତମୋ) ଯୁକ୍ତ ସ୍ୱଭାବ ଅନୁସାରେ ଇନ୍ଦ୍ରିୟ-ମନ-ବୁଦ୍ଧି ସଂସାରରେ କାର୍ଯ୍ୟ କରିବାକୁ ବାଧ୍ୟ ଅଟନ୍ତି । ଶ୍ରୀମଦ୍ ଭାଗବତମ୍ରେ ଏହି ଅନୁରୁପ ଏକ ଶ୍ଲୋକ ଅଛି ।
ନ ହି କଶ୍ଚିତ୍ କ୍ଷଣମ୍ ଅପି ଯାତୁ ତିଷ୍ଠତ୍ୟକର୍ମକୃତ ।
କାର୍ଯ୍ୟତେ ହ୍ୟବଶଃ କର୍ମ ଗୁଣୈଃ ସ୍ୱାଭାବିକୈର୍ ବଲାତ୍ । । (୬.୧.୫୩)
“କୌଣସି ବ୍ୟକ୍ତି କ୍ଷଣିକ ପାଇଁ ମଧ୍ୟ ଅକର୍ମଣ୍ୟ ରହିପାରିବେ ନାହିଁ । ସମସ୍ତେ ନିଜର ଗୁଣ ଅନୁସାରେ କାର୍ଯ୍ୟ କରିବାକୁ ବାଧ୍ୟ ଅଟନ୍ତି ।”