ଲୋକେଽସ୍ମିନ୍ ଦ୍ୱିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନଘ
ଜ୍ଞାନଯୋଗେନ ସାଂଖ୍ୟାନାଂ କର୍ମଯୋଗେନ ଯୋଗିନାମ୍ ।।୩।।
ଶ୍ରୀ ଭଗବାନ୍ ଉବାଚ - ପରମପୁରୁଷ ଭଗବାନ କହିଲେ; ଲୋକେ- ସଂସାରରେ ; ଅସ୍ମିନ - ଏହି; ଦ୍ୱିବିଧା- ଦୁଇପ୍ରକାର; ନିଷ୍ଠା- ବିିଶ୍ୱାସ ;ପୁରା- ପୂର୍ବେ; ପ୍ରୋକ୍ତା- କୁହାଯାଇଛି; ମୟା - ମୋ ଦ୍ୱାରା ; ଅନଘ- ହେ ନିଷ୍ପାପ ; ଜ୍ଞାନଯୋଗେନ - ଜ୍ଞାନ ଯୋଗରେ ; ସାଂଖ୍ୟାନା- ସାଂଖ୍ୟବାଦୀ ମାନଙ୍କର ଅର୍ଥାତ୍ ମନନଶୀଳ ଦାର୍ଶନିକମାନଙ୍କର ; କର୍ମଯୋଗେନ - କର୍ମ ମାର୍ଗରେ ; ଯୋଗିନାମ୍ - ଯୋଗୀମାନଙ୍କର ।
Translation
BG 3.3: ଶ୍ରୀ ଭଗବାନ କହିଲେ: ହେ ନିଷ୍ପାପ ଅର୍ଜୁନ, ଦିବ୍ୟଜ୍ଞାନ ପ୍ରାପ୍ତିର ଦୁଇଟି ମାର୍ଗ ମୁଁ ପୂର୍ବରୁ ବର୍ଣ୍ଣନା କରିଛି : ଚିନ୍ତାଶୀଳ ବ୍ୟକ୍ତି ମାନଙ୍କ ପାଇଁ ଜ୍ଞାନ ମାର୍ଗ ଏବଂ କର୍ମପ୍ରିୟ ବ୍ୟକ୍ତି ମାନଙ୍କ ପାଇଁ କର୍ମମାର୍ଗ ।
Commentary
ଶ୍ରୀକୃଷ୍ଣ ଶ୍ଲୋକ ୨/୩୯ରେ ଆଧ୍ୟାତ୍ମିକ ଉତ୍କର୍ଷତା ହାସଲ କରିବା ପାଇଁ ଦୁଇଟି ମାର୍ଗର ବର୍ଣ୍ଣନା କରିଥିଲେ । ପ୍ରଥମ ମାର୍ଗଟି ହେଲା, ଆତ୍ମାର ସ୍ୱରୂପ ଏବଂ ଶରୀର ଠାରୁ ତାହାର ପ୍ରଭେଦର ବିଶ୍ଲେଷଣାତ୍ମକ ଅଧ୍ୟୟନ ଦ୍ୱାରା ଜ୍ଞାନ ଅର୍ଜନ । ଶ୍ରୀକୃଷ୍ଣ ଏହାକୁୁ ସାଂଖ୍ୟ ଯୋଗ ରୂପେ ଅଭିହିତ କରିଛନ୍ତି । ଦାର୍ଶନିକ ସ୍ୱଭାବର ବ୍ୟକ୍ତିମାନେ ଆତ୍ମଜ୍ଞାନ ପ୍ରାପ୍ତ କରିବା ପାଇଁ ବୌଦ୍ଧିକ ବିଶ୍ଳେଷଣର ଏହି ମାର୍ଗ ଚୟନ କରିଥାନ୍ତି ।
ଦ୍ୱିତୀୟ ମାର୍ଗରେ ଭଗବାନଙ୍କର ଭକ୍ତି ସହିତ କର୍ମ କରାଯାଇଥାଏ, ଯାହାକୁ କର୍ମଯୋଗ କୁହାଯାଏ । ଶ୍ରୀକୃଷ୍ଣ ପୁର୍ବ ଶ୍ଲୋକରେ ଏହାକୁ ବୁଦ୍ଧିଯୋଗ କହିଛନ୍ତି । ଏହି ପରି କର୍ମ ଅନ୍ତଃକରଣକୁ ଶୁଦ୍ଧ କରିଥାଏ ଏବଂ ଶୁଦ୍ଧ ଅନ୍ତଃକରଣରେ ଜ୍ଞାନର ଉଦୟ ହେବା ସ୍ୱାଭାବିକ ।
ଆଧ୍ୟାତ୍ମିକ ମାର୍ଗରେ ଆଗ୍ରହୀ ବ୍ୟକ୍ତି ମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠି ଅନୁଧ୍ୟାନ ବା ଚିନ୍ତନରେ ରୁଚି ରଖନ୍ତି ଏବଂ ଅନ୍ୟ ଗୋଷ୍ଠିଟି କର୍ମ ପ୍ରତି ଆଗ୍ରହ ପ୍ରଦର୍ଶନ କରନ୍ତି । ସୁତରାଂ, ଭଗବତ୍ ପ୍ରାପ୍ତି ପାଇଁ ଯେଉଁ ଦିନଠାରୁ ଇଚ୍ଛା ସୃଷ୍ଟି ହୋଇଛି, ସେହି ଦିନ ଠାରୁ ଏହି ଦୁଇଟି ମାର୍ଗ ରହିଆସିଛି । ଶ୍ରୀକୃଷ୍ଣ ଉଭୟ ବିଷୟରେ ଆଲୋକପାତ କରିଛନ୍ତି, ଯେହେତୁ ତାଙ୍କର ସନ୍ଦେଶ ସମସ୍ତ ପ୍ରକାରର ଭାବଧାରା ଏବଂ ରୁଚି ସମ୍ପନ୍ନ ବ୍ୟକ୍ତି ମାନଙ୍କ ପାଇଁ ଉଦ୍ଦିଷ୍ଟ ।