Bhagavad Gita: Chapter 3, Verse 31

ଯେ ମେ ମତମିଦଂ ନିତ୍ୟମନୁତିଷ୍ଠନ୍ତି ମାନବାଃ ।
ଶ୍ରଦ୍ଧାବନ୍ତୋଽନସୂୟନ୍ତୋ ମୁଚ୍ୟନ୍ତେ ତେଽପି କର୍ମଭିଃ ।।୩୧।।

ଯେ- ଯେଉଁମାନେ; ମେ - ମୋର; ମତମ୍ - ଉପଦେଶ; ଇଦଂ - ଏହି; ନିତ୍ୟମ୍ - ନିରନ୍ତର; ଅନୁତିଷ୍ଠନ୍ତି - ନିୟମିତଭାବରେ ପାଳନ କରନ୍ତି; ମାନବାଃ -ମାନବ; ଶ୍ରଦ୍ଧାବନ୍ତଃ- ବିଶ୍ୱାସ ଓ ଭକ୍ତି ସହକାରେ; ଅନସୂୟନ୍ତଃ - ଈର୍ଷାଶୂନ୍ୟ ଭାବରେ; ମୁଚ୍ୟନ୍ତେ- ମୁକ୍ତ ହୁଅନ୍ତି; ତେ - ସେମାନେ ସମସ୍ତେ; ଅପି - ମଧ୍ୟ; କର୍ମଭିଃ - କର୍ମବନ୍ଧନରୁ ।

Translation

BG 3.31: ଯେଉଁମାନେ ମୋର ଏହି ଉପଦେଶକୁ ଗଭୀର ବିଶ୍ୱାସର ସହିତ ତଥା ବାଦ-ବିବାଦ ନ କରି ପାଳନ କରି ଥାଆନ୍ତି, ସେମାନେ କର୍ମ ବନ୍ଧନରୁ ମୁକ୍ତ ହୋଇ ଯାଆନ୍ତି ।

Commentary

ଭଗବାନ ଅତି ସୁନ୍ଦର ଭାବରେ, ସେ ବର୍ଣ୍ଣନା କରୁଥିବା ସିଦ୍ଧାନ୍ତକୁ ନିଜର ମତ ରୂପେ ଅଭିହିତ  କରିଛନ୍ତି । ମତ ଏକ ନିଜସ୍ୱ ଦୃଷ୍ଟିକୋଣ ଅଟେ, କିନ୍ତୁ ସିଦ୍ଧାନ୍ତ ଏକ ସର୍ବମାନ୍ୟ ତଥ୍ୟ ଅଟେ । ଶିକ୍ଷକମାନଙ୍କର ମତ ଭିନ୍ନ ଭିନ୍ନ  ହୋଇପାରେ, କିନ୍ତୁ  ସିଦ୍ଧାନ୍ତ ଗୋଟିଏ ଅଟେ । ଦାର୍ଶନିକ ଓ ଶିକ୍ଷକମାନେ ତାଙ୍କର ମତକୁ ସିଦ୍ଧାନ୍ତ କହିଥାଆନ୍ତି, ଅଥଚ ଗୀତାରେ ଭଗବାନ ତାଙ୍କଦ୍ୱାରା ପ୍ରକଟିତ ସିଦ୍ଧାନ୍ତକୁ ‘ମତ’ର ଆଖ୍ୟା ଦେଉଛନ୍ତି । ନିଜ ଉଦାହରଣ ମାଧ୍ୟମରେ ସେ ଆମକୁ ନମ୍ରତା ଓ ସହୃଦୟତାର ଶିକ୍ଷା ପ୍ରଦାନ କରୁଛନ୍ତି । 

କର୍ମ କରିବା ପାଇଁ ଆହ୍ୱାନ ଦେବା ପରେ, ଶ୍ରୀକୃଷ୍ଣ ବର୍ତ୍ତମାନ ଭଗବତ୍ ଗୀତାର ଉପଦେଶକୁ ବିଶ୍ୱାସର ସହିତ ଜୀବନରେ ପାଳନ କରିବାର ଉପାଦେୟତା ପ୍ରତି ସଙ୍କେତ କରୁଛନ୍ତି । ମନୁଷ୍ୟ ଭାବରେ ଆମର ବିଶେଷତ୍ୱ ହେଉଛି ସତ୍ୟକୁ ଜାଣିବା ଏବଂ ତଦନୁଯାୟୀ ନିଜର ଜୀବନକୁ ରୂପାନ୍ତରିତ କରିବା । ଏତଦ୍ୱାରା ଆମର ମାନସିକ ଜ୍ୱର (ଆସକ୍ତି, କ୍ରୋଧ, ଲୋଭ, ଇର୍ଷା, ଭ୍ରମ ଇତ୍ୟାଦି )ର ଉପଶମ ହୋଇଥାଏ ।

ପୂର୍ବ ଶ୍ଲୋକରେ , ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ସମସ୍ତ କର୍ମ ଭଗବାନଙ୍କୁ ଅର୍ପଣ କରିବାକୁ କହିଛନ୍ତି, କିନ୍ତୁ ସେ ଜାଣିଥିଲେ ଯେ ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରନ୍ତି ନାହିଁ , ସେମାନେ ତାଙ୍କର ଏହି ବକ୍ତବ୍ୟକୁ ପରିହାସ କରିବେ, ଏବଂ ଯେଉଁମାନେ ତାଙ୍କ ପ୍ରତି ଇର୍ଷାପରାୟଣ, ସେମାନେ ଏହାର ବିରୋଧ କରିବେ । ତେଣୁ ସେ ବର୍ତ୍ତମାନ ତାଙ୍କର ଉପଦେଶକୁ ବିଶ୍ୱାସର ସହିତ ଗ୍ରହଣ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସେ କହୁଛନ୍ତି ଯେ ବିଶ୍ୱାସର ସହିତ ତାଙ୍କର ଉପଦେଶକୁ ପାଳନ କରିବା ଦ୍ୱାରା ବ୍ୟକ୍ତି କର୍ମ ବନ୍ଧନରୁ ମୁକ୍ତ ହୋଇଯିବ । କିନ୍ତୁ ଯେଉଁମାନେ ଅବିଶ୍ୱାସୀ, ସେମାନଙ୍କ କ୍ଷେତ୍ରରେ କ’ଣ ହୁଏ? ପରବର୍ତ୍ତୀ ଶ୍ଲୋକରେ ତାହାର ବର୍ଣ୍ଣନା କରାଯାଇଛି ।