Bhagavad Gita: Chapter 3, Verse 26

ନ ବୁଦ୍ଧିଭେଦଂ ଜନୟେଦଜ୍ଞାନାଂ କର୍ମସଙ୍ଗିନାମ୍ ।
ଜୋଷୟେତ୍ସର୍ବକର୍ମାଣି ବିଦ୍ୱାନ୍ୟୁକ୍ତଃ ସମାଚରନ୍ ।। ୨୬ ।।

ନ - ନୁହେଁ, ବୁଦ୍ଧି ଭେଦଂ- ବୁଦ୍ଧିକୁ ବିଚଳିତ କରିବା, ଜନୟେତ୍‌- କରିବା, ଅଜ୍ଞାନା - ଅଜ୍ଞ ବା ମୁର୍ଖର, କର୍ମ ସଙ୍ଗିନାମ୍‌- ସକାମ କର୍ମରେ ଆସକ୍ତ, ଯୋଷୟେତ- ଲଗାଇବା, ସର୍ବ- ସମସ୍ତ, କର୍ମାଣି - କର୍ମ, ବିଦ୍ୱାନ୍ - ବିଦ୍ୱାନ୍ ପଣ୍ଡିତ, ଯୁକ୍ତଃ- ଯୁକ୍ତ, ସମାଚରନ୍ - ଅଭ୍ୟାସକରି ।

Translation

BG 3.26: ଜ୍ଞାନୀମାନେ ସକାମ କର୍ମଯୁକ୍ତ ଅଳ୍ପଜ୍ଞ ବ୍ୟକ୍ତିମାନଙ୍କର ବୁଦ୍ଧିକୁ ସଂଶୟଯୁକ୍ତ କରି ସେମାନଙ୍କୁ କର୍ତ୍ତବ୍ୟରୁ ନିବୃତ୍ତ କରିବା ଉଚିତ୍ ନୁହେଁ । ତତ୍ ପରିବର୍ତ୍ତେ ସେମାନେ ଆଦର୍ଶ ଭାବରେ ନିଜର କର୍ତ୍ତବ୍ୟ ପାଳନ କରି ଅଜ୍ଞବ୍ୟକ୍ତି ମାନଙ୍କୁ ସେହି ଦିଗରେ ପ୍ରୋତ୍ସାହିତ କରିବା ଉଚିତ୍ ।

Commentary

ମହାପୁରୁଷମାନଙ୍କର ଅଧିକ ଦାୟୀତ୍ୱ ରହିଥାଏ, କାରଣ ସାଧାରଣ ବ୍ୟକ୍ତି ତାଙ୍କର ଅନୁସରଣ କରନ୍ତି । ତେଣୁ ଶ୍ରୀକୃଷ୍ଣ ଉପଦେଶ ଦେଉଛନ୍ତି ଯେ ଜ୍ଞାନୀମାନେ ସେପରି କୌଣସି  କର୍ମ କରିବା ବା କଥା କହିବା ଉଚିତ୍ ନୁହେଁ, ଯାହା ଅଳ୍ପଜ୍ଞ ବ୍ୟକ୍ତି ମାନଙ୍କୁ ପତନୋନ୍ମୁଖୀ କରିବ । ଏଠାରେ ଏପରି ଯୁକ୍ତି କରାଯାଇପାରେ ଯେ, ଯଦି ଜ୍ଞାନୀମାନେ ଅଳ୍ପଜ୍ଞ ବ୍ୟକ୍ତିଙ୍କ ପ୍ରତି ସଦୟ ହେବେ, ତେବେ ସେମାନେ ତାଙ୍କୁ ଭଗବତ୍ ପ୍ରାପ୍ତି ସମ୍ବନ୍ଧୀୟ ସର୍ବୋଚ୍ଚ ଜ୍ଞାନ ପ୍ରଦାନ କରିବା ଉଚିିତ୍ । ଭଗବାନ ଶ୍ରୀକୃଷ୍ଣ ଏହି ଯୁକ୍ତିକୁ ଖଣ୍ଡନ କରି କହୁଛନ୍ତି, “ନ ବିଚାଳୟେତ୍‌” ଅର୍ଥାତ୍ ଯେଉଁ ଜ୍ଞାନକୁ ଗ୍ରହଣ କରିବା ପାଇଁ ଅଜ୍ଞାନୀମାନେ ଯୋଗ୍ୟ ନୁହଁନ୍ତି, ସେହି ଜ୍ଞାନ ପ୍ରଦାନ କରି ସେମାନଙ୍କୁ କର୍ମରୁ ନିବୃତ୍ତ କରିବା ଉଚିତ୍ ନୁହେଁ ।

ସାଧାରଣତଃ ଯେଉଁମାନଙ୍କର ଚିନ୍ତାଧାରା ଭୌତିକ, ସେମାନେ କେବଳ ଦୁଇଟି ବିକଳ୍ପ ଚିନ୍ତା କରିଥାଆନ୍ତି । ହୁଏତ, ସେମାନେ କଠୋର ପରିଶ୍ରମ କରି ଫଳ ପ୍ରାପ୍ତିର ଆଶା ରଖନ୍ତି ନଚେତ୍ ସମସ୍ତ ଉଦ୍ୟମକୁ କଠିନ, କଷ୍ଟଦାୟକ ଏବଂ ଦୋଷଯୁକ୍ତ ମନେକରି ତ୍ୟାଗ କରି ଦେବାକୁ ଇଚ୍ଛା କରି ଥାଆନ୍ତି । ସୁତରାଂ, ଜଣେ ବୈଦିକ ଜ୍ଞାନସମ୍ପନ୍ନ ଆଧ୍ୟାତ୍ମିକ ବ୍ୟକ୍ତି ଅଜ୍ଞାନୀମାନଙ୍କୁ  ନିଷ୍ଠାପର ଭାବରେ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ଦିଗରେ ଉତ୍ସାହିତ କରିବା ଉଚିତ୍ । ଅଜ୍ଞାନୀମାନଙ୍କର  ବୁଦ୍ଧି ବିଚଳିତ ଓ ଅସ୍ଥିର ହୋଇଥିଲେ, ସେମାନେ କର୍ମ ଉପରେ ନିଜର ବିଶ୍ୱାସ ସମ୍ପୂର୍ଣ୍ଣ ଭାବରେ ହରାଇ ପାରନ୍ତି । ଜ୍ଞାନୋଦୟ ହେବା ପୂର୍ବରୁ କର୍ମ ତ୍ୟାଗ କରି ସେମାନେ ଉଭୟ ଦିଗରୁ କ୍ଷତିଗ୍ରସ୍ତ ହୋଇଥାଆନ୍ତି ।

ଯଦି ଉଭୟ ଅଜ୍ଞାନୀ ଏବଂ ଜ୍ଞାନୀ  ବୈଦିକ କର୍ମ କରନ୍ତି, ତେବେ ଦୁହିଁଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ? ଏପରି ଏକ ପ୍ରଶ୍ନ ଆଶା କରି, ଶ୍ରୀକୃଷ୍ଣ ପରବର୍ତ୍ତି ଦୁଇଟି ଶ୍ଲୋକରେ ଏହାର ସ୍ପଷ୍ଠୀକରଣ କରୁଛନ୍ତି ।

Watch Swamiji Explain This Verse