ଏବଂ ବୁଦ୍ଧେଃ ପରଂ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନମାତ୍ମନା ।
ଜହି ଶତ୍ରୁଂ ମହାବାହୋ କାମରୂପଂ ଦୁରାସଦମ୍ ।। ୪୩ ।।
ଏବଂ- ଏହିପରି; ବୁଦ୍ଧେଃ - ବୁଦ୍ଧିର; ପରଂ - ଉନ୍ନତ; ବୁଦ୍ଧ୍ୱା - ଏପରି ଜାଣି; ସଂସ୍ତଭ୍ୟ- କ୍ଷାନ୍ତ କର; ଆତ୍ମାନମ୍ -(ଇନ୍ଦ୍ରିୟ, ମନ, ବୁଦ୍ଧି); ଆତ୍ମନା - ଆତ୍ମା ଦ୍ୱାରା; ଜହି - ଜୟକର; ଶତ୍ରୁମ୍ - ଶତ୍ରୁ; ମହାବାହୋ- ହେ ମହାବାହୁ; କାମ ରୂପଂ - କାମନା ରୂପୀ; ଦୁରାସଦମ୍ - ଦୁର୍ଦ୍ଧର୍ଷ ।
Translation
BG 3.43: ହେ ବୀର ଅର୍ଜୁନ ! ଆତ୍ମାକୁ ମାୟିକ ବୁଦ୍ଧିଠାରୁ ଶ୍ରେଷ୍ଠ ଭାବେ ହୃଦୟଙ୍ଗମ କର । ନିଜକୁୁ (ଇନ୍ଦ୍ରିୟ-ମନ-ବୁଦ୍ଧିକୁ) ନିଜ ଦ୍ୱାରା (ଆତ୍ମାର ଉଚ୍ଚତର ଶକ୍ତି ଦ୍ୱାରା) ପ୍ରଶମିତ କର ଏବଂ କାମନା ରୂପକ ଏହି ଦୁର୍ଦ୍ଦଶ ଶତ୍ରୁକୁ ଦମନ କର ।
Commentary
ଉପସଂହାରରେ ଶ୍ରୀକୃଷ୍ଣ ଜୋର ଦେଉଛନ୍ତି ଯେ, ଆତ୍ମଜ୍ଞାନ ବଳରେ କାମନା ରୂପକ ଏହି ଶତ୍ରୁକୁ ଆମେ ନାଶ କରିବା ଉଚିତ୍ । ଯେହେତୁ ଆତ୍ମା ଭଗବାନଙ୍କର ଅଂଶ ଅଟେ, ଏହା ଦିବ୍ୟ ଗୁଣ ଯୁକ୍ତ ଅଟେ । ତେଣୁ ସେ ଖୋଜୁଥିବା ଦିବ୍ୟ ଆନନ୍ଦ କେବଳ ଦିବ୍ୟ ବସ୍ତୁ ଠାରୁ ହିଁ ମିଳିବ, ଅଥଚ ସଂସାରର ସମସ୍ତ ବସ୍ତୁ ମାୟିକ ଅଟେ । ଭୌତିକ ବସ୍ତୁ କଦାପି ଆତ୍ମାର ଏହି ସହଜାତ ଲାଳସାକୁ ସନ୍ତୁଷ୍ଟ କରିପାରିବ ନାହିଁ, ତେଣୁ ସେହି ସବୁ ବସ୍ତୁର କାମନା କରିବା ବୃଥା ଅଟେ । ଆମେ ବୁଦ୍ଧିକୁୁ ଏହି ପ୍ରକାରର ବିଚାରରେ ଅଭ୍ୟସ୍ତ କରିବା ଆବଶ୍ୟକ । ତା ପରେ ସେହି ବୁଦ୍ଧି ଦ୍ୱାରା ଆମେ ମନ ଓ ଇନ୍ଦ୍ରିୟଙ୍କୁ ବଶ କରିପାରିବା ।
ଏହାକୁ କଠୋପନିଷରେ, ଏକ ରଥର ଉପମା ମାଧ୍ୟମରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।
ଆତ୍ମାନଗବଂ ରଥିନାଂ ବିଦ୍ଧି ଶରୀରଂ ରଥମେବ ତୁ
ବୁଦ୍ଧିଂ ତୁ ସାରଥିଂ ବିଦ୍ଧି ମନଃ ପ୍ରଗ୍ରହମେବ ଚ ।
ଇନ୍ଦ୍ରିୟାଣି ହୟାନାହୁର୍ବିଷୟାନସ୍ତେଷୁ ଗୋଚରାନ୍
ଆତ୍ମେନ୍ଦ୍ରିୟ ମନୋଯୁକ୍ତମ୍ ଭୋକ୍ତେତ୍ୟାହୁର୍ମନୀଷିଣାଃ ।ା (୧.୩, ୩-୪)
ଉପନିଷଦ କହୁଛି, ଗୋଟିଏ ରଥ ଅଛି, ଯାହାକୁ ପାଞ୍ଚଟି ଘୋଡା ଟାଣୁଛନ୍ତି । ଘୋଡାଙ୍କ ମୁହଁରେ ଲଗାମ ବନ୍ଧା ହୋଇଛି, ଲଗାମ୍ଟିକୁ ସାରଥି ଧରିଛନ୍ତି ଏବଂ ରଥରେ ଜଣେ ଯାତ୍ରୀ ବସିଛନ୍ତି । ସାଧାରଣତଃ, ଯାତ୍ରୀଜଣକ ସାରଥିଙ୍କୁ ନିର୍ଦ୍ଦେଶ ଦେଇଥାଆନ୍ତି, ସେହି ଅନୁସାରେ ସାରଥି ଲଗାମ ଟାଣି ଘୋଡା ମାନଙ୍କୁ ସଠିକ୍ ମାର୍ଗରେ ନେଇଥାଆନ୍ତି । କିନ୍ତୁ,ଏହିି କ୍ଷେତ୍ରରେ, ଯାତ୍ରୀ ଜଣଙ୍କ ନିଦ୍ରିତ ଅବସ୍ଥାରେ ଅଛନ୍ତି, ସେଥିପାଇଁ ଘୋଡାମାନେ ଏଣେ ତେଣେ ଧାଇଁବାରେ ଲାଗିଛନ୍ତି ।
ଏହି ଉପମାରେ, ରଥ ଶରୀର ଅଟେ । ଘୋଡାମାନେ ପାଞ୍ଚ ଜ୍ଞାନେନ୍ଦ୍ରିୟ ଅଟନ୍ତି, ଘୋଡା ମୁଁହରେ ବନ୍ଧା ହୋଇଥିବା ଲଗାମ ମନ ଅଟେ, ବୁଦ୍ଧି ସାରଥି ଅଟେ ଏବଂ ପଛରେ ବସିଥିବା ଯାତ୍ରୀ ଶରୀରସ୍ଥ ଆତ୍ମା ଅଟନ୍ତି । ଇନ୍ଦ୍ରିୟ ଗୁଡିକ (ଘୋଡାସବୁ) ଆନନ୍ଦଦାୟକ ଭୋଗ୍ୟ ବସ୍ତୁ ଇଚ୍ଛା କରୁଛନ୍ତି । ମନ (ଲଗାମ) ଇନ୍ଦ୍ରିୟ (ଘୋଡା) ମାନଙ୍କୁ ନିୟନ୍ତ୍ରଣ କରୁନାହିଁ । ବୁଦ୍ଧି (ସାରଥି) ମନର (ଲଗାମର) ଗତିକୁ ସ୍ୱେଚ୍ଛାରେ ଚାଳିତ ହେବାକୁ ଦେଉଛି । ଏହିପରି ମାୟିକ ବନ୍ଧନ ଯୁକ୍ତ ଅବସ୍ଥାରେ ଭ୍ରମିତ ଆତ୍ମା ବୁଦ୍ଧିକୁ ସଠିକ୍ ରାସ୍ତାରେ ଯିବା ପାଇଁ ନିର୍ଦ୍ଦେଶ ଦେଇ ପାରୁନାହିଁ । ରଥ କୁଆଡେ ଯିବ, ତାହାର ନିର୍ଣ୍ଣୟ ଇନ୍ଦ୍ରିୟମାନେ କରୁଛନ୍ତି । ଆତ୍ମା ଇନ୍ଦ୍ରିୟ ଜନିତ ସୁଖକୁ ନିଜର ସୁଖ ରୂପେ ଅନୁଭବ କରୁଛି କିନ୍ତୁ ସେହି ସୁଖ ତାକୁ ସନ୍ତୁଷ୍ଟ କରିପାରୁ ନାହିଁ । ଏହି ରଥରେ ବସି, ଆତ୍ମା(ଯାତ୍ରୀ) ଅନାଦି କାଳରୁ ଭୌତିକ ଜଗତରେ ଘୂରି ବୁଲୁଛି ।
ତଥାପି, ଆତ୍ମା ଯଦି ଜାଗ୍ରତ ହୋଇ ଉଚ୍ଚତର ସୋପାନରେ ସ୍ଥିତ ହୁଏ ଏବଂ ନେତୃତ୍ୱ ନେବାକୁ ସ୍ଥିର କରେ, ତେବେ ସେ ବୁଦ୍ଧିକୁୁ ସଠିକ୍ ଦିଗରେ ନେଇଯାଇ ପାରିବ । ତାପରେ ବୁଦ୍ଧି ନିମ୍ନ ସୋପାନରେ ଅବସ୍ଥିତ ମନ ଓ ଇନ୍ଦ୍ରିୟକୁ ଶାସନ କରିବ ତଥା ରଥଟିି ଚିରନ୍ତନ କଲ୍ୟାଣର ମାର୍ଗରେ ଠିକ୍ ରୂପରେ ଗତି କରିବ । ଏହିପରି ଭାବରେ ଉଚ୍ଚତର “ମୁଁ’’ (ଆତ୍ମା)ନିଜକୁ ନିମ୍ନତର ‘ମୁଁ’ (ଇନ୍ଦ୍ରିୟ, ମନ ଓ ବୁଦ୍ଧି) କୁ ନିୟନ୍ତ୍ରଣ କରିବା ଦିଗରେ ଉପଯୋଗ କରିବା ଆବଶ୍ୟକ ।