Bhagavad Gita: Chapter 3, Verse 20-21

କର୍ମଣୈବ ହି ସଂସିଦ୍ଧିମାସ୍ଥିତା ଜନକାଦୟଃ ।
ଲୋକସଂଗ୍ରହମେବାପି ସଂପଶ୍ୟନ୍‌କର୍ତ୍ତୁମର୍ହସି ।ା ୨୦।।
ଯଦ୍ୟଦାଚରତି ଶ୍ରେଷ୍ଠସ୍ତତ୍ତଦେବେତରୋ ଜନଃ ।
ସ ଯତ୍ ପ୍ରମାଣଂ କୁରୁତେ ଲୋକସ୍ତଦନୁବର୍ତ୍ତତେ ।। ୨୧ ।।

କର୍ମଣା - କର୍ମଯୋଗ , ଏବ -କେବଳ, ହି- ନିଶ୍ଚିତଭାବେ, ସଂସିଦ୍ଧିମ୍ - ପରିପୂର୍ଣ୍ଣତା; ଆସ୍ଥିତାଃ - ପ୍ରାପ୍ତ କରିବା; ଜନକଆଦୟଃ - ଜନକ ଆଦି ରାଜାମାନେ; ଲୋକ-ସଂଗ୍ରହମ୍ - ଜନକଲ୍ୟାଣ ନିମନ୍ତେ; ଏବ -କେବଳ; ଅପି - ମଧ୍ୟ; ସଂପଶ୍ୟନ୍ - ବିଚାର କରି, କର୍ତୁମ୍ ଅର୍ହସି - କରିବା ଉଚିତ୍‌; ଯତ୍ ଯତ୍ - ଯାହାକିଛି; ଆଚରତି - ଆଚରଣ କରନ୍ତି; ଶ୍ରେଷ୍ଠ - ସମ୍ମାନନୀୟ, ତତ୍ ତତ୍ - ତାହାସବୁ; ଏବ - ନିଶ୍ଚିତଭାବରେ; ଇତରଃ - ସାଧାରଣ, ଜନଃ -ଜନ; ସଃ- ସେମାନେ; ଯତ୍ - ଯାହା , ପ୍ରମାଣଂ - ପ୍ରମାଣ, କୁରୁତେ - କରନ୍ତି, ଲୋକଃ - ସମଗ୍ର ପୃଥିବୀ; ତତ୍ - ତାହା; ଅନୁବର୍ତତେ - ଅନୁସରଣ କରନ୍ତି ।

Translation

BG 3.20-21: ରାଜା ଜନକ ଏବଂ ଅନ୍ୟମାନେ, ସେମାନଙ୍କର ନିର୍ଦ୍ଧାରିତ କର୍ତ୍ତବ୍ୟ କରି, ପରିପୂର୍ଣ୍ଣତାକୁ ପ୍ରାପ୍ତ କରିଥିଲେ । ତୁମେ ମଧ୍ୟ ତୁମର କର୍ତ୍ତବ୍ୟ ପାଳନ କରି, ସଂସାରର ହିତପାଇଁ ଉଦାହରଣ ସ୍ଥାପନ କରିବା ଉଚିତ୍ । ମହାପୁରୁଷ ମାନେ ଯାହା ବି କର୍ମ କରନ୍ତି, ସାଧାରଣ ଲୋକ ତାହାର ଅନୁସରଣ କରନ୍ତି । ସେମାନେ ଯେଉଁ ଆଦର୍ଶ ପ୍ରତିଷ୍ଠା କରନ୍ତି, ସାରା ସଂସାର ତାହାର ଅନୁସରଣ କରିଥାଏ ।

Commentary

ରାଜା ଜନକ, ରାଜା ହିସାବରେ ନିଜର ସାଂସାରିକ କର୍ତ୍ତବ୍ୟ ପାଳନ କରି, କର୍ମଯୋଗ  ଦ୍ୱାରା ତାଙ୍କର  ଚରମ ଲକ୍ଷ୍ୟ ପ୍ରାପ୍ତ କରିଥିଲେ । ଅତୀନ୍ଦ୍ରିୟ ସ୍ତରରେ ପହଞ୍ôଚବା ପରେ ମଧ୍ୟ ସେ ତାଙ୍କର ସାଂସାରିକ କର୍ମ କରୁଥିଲେ କେବଳ ଏଥିପାଇଁ ଯେ ତାହା ସଂସାର ସମ୍ମୁଖରେ ଅନୁସରଣ କରିବା ପାଇଁ ଏକ ଆଦର୍ଶ ପ୍ରସ୍ତୁତ କରିବ । ଅନେକ ସନ୍ଥ ଏହିପରି କାର୍ଯ୍ୟ କରିଥିଲେ ।

ମହାପୁରୁଷମାନଙ୍କର ଜୀବନ ଶୈଳୀକୁ ଲକ୍ଷ୍ୟ କରି ମାନବ ସମାଜ ସେହି ଆଦର୍ଶରେ ଅନୁପ୍ରାଣୀତ ହୋଇଥାଏ । ସେମାନେ,ଏକ ଆଦର୍ଶ ଭାବରେ ସମାଜକୁ ପ୍ରେରଣା ଯୋଗାଇ ଥାଆନ୍ତି ଏବଂ ଜନସମାଜ ସମ୍ମୁଖରେ ଅନୁସରଣ କରିବା ଯୋଗ୍ୟ ଏକ ଜଳ୍ୱନ୍ତ ତାରକା ସଦୃଶ ଉଦ୍‌ଭାସିତ ହୁଅନ୍ତି । ସେଥିପାଇଁ ସମାଜର ନେତୃବୃନ୍ଦ ସେମାନଙ୍କର ବାଣୀ, କାର୍ଯ୍ୟ ଓ ଚରିତ୍ର ଦ୍ୱାରା ସମାଜ ସମ୍ମୁଖରେ ଉଚ୍ଚ ଆଦର୍ଶ ସ୍ଥାପିତ କରିବା ଉଚିତ୍‌, ଯାହା ସମାଜକୁ ପ୍ରେରଣା ଯୋଗାଇ ପାରିବ । ସଜ୍ଜନ ନେତୃବର୍ଗ  ସମ୍ମୁଖରେ ରହିଲେ, ସମାଜର ନୈତିକତା, ନିସ୍ୱାର୍ଥପରତା ଓ ଆଧ୍ୟାତ୍ମିକତା ଆପେ ଆପେ ବୃଦ୍ଧିପାଏ ।  କିନ୍ତୁ ଯେତେବେଳେ ନୀତିବାନ ନେତାଙ୍କର ଅଭାବ ଦୃଷ୍ଟିଗୋଚର ହୁଏ, ସମାଜ  ସମ୍ମୁଖରେ ଅନୁସରଣ କରିବା ପାଇଁ କୌଣସି ଆଦର୍ଶ ନ ଥାଏ, ସେତେବେଳେ ସମାଜ ସ୍ୱାର୍ଥପରତା, ଅନୈତିକତା ଓ ଆଧ୍ୟାତ୍ମିକ ଅଧଃପତନ ଆଡକୁ ଗତି କରିଥାଏ । ସେଥିପାଇଁ ମହାନ ବ୍ୟକ୍ତିମାନେ ସମାଜରେ ଏକ ଆଦର୍ଶ ସ୍ଥାପନ କରିବା ଉଦ୍ଦେଶ୍ୟରେ  ଆଚରଣ କରିବା ଉଚିତ୍ । ଯଦିଓ ସେମାନେ ଚେତନାର ଅତ୍ୟୁଚ୍ଚ ସ୍ତରକୁ ଉନ୍ନୀତ ହୋଇଯାଇ ଥାଆନ୍ତି ଏବଂ ସେମାନଙ୍କ ପାଇଁ ବୈଦକ କର୍ମ କରିବାର ଆବଶ୍ୟକତା  ନ ଥାଏ, ତଥାପି ଅନ୍ୟ ମାନଙ୍କୁ ବୈଦିକ କର୍ମ କରିବା ଦିଗରେ ଉତ୍ସାହିତ  କରିବା ପାଇଁ ସେମାନେ କର୍ମ କରିଥାଆନ୍ତି ।

ସମାଜର ଜଣେ ଅଧିନାୟକ ଯଦି କର୍ମତ୍ୟାଗ କରି କର୍ମସନ୍ୟାସୀ ହୋଇଯାଆନ୍ତି,  ତେବେ ଅନ୍ୟମାନେ ପାଇଁ ତାହା ଏକ ବିଭ୍ରାନ୍ତିକର ଉଦାହରଣ ସୃଷ୍ଟି କରିବ । ସେହି ବ୍ୟକ୍ତି ଜଣକ ଦିବ୍ୟଜ୍ଞାନଯୁକ୍ତ ହୋଇଥାଇ ପାରନ୍ତି  ଏବଂ କର୍ମତ୍ୟାଗ କରି ଆଧ୍ୟାତ୍ମିକତାରେ ପୂର୍ଣ୍ଣ ନିୟୋଜିତ ହୋଇଯିବାର ସମସ୍ତ ଯୋଗ୍ୟତା ତାଙ୍କର ଥାଇପାରେ, କିନ୍ତୁ ତାଙ୍କର ଦ୍ୱାହି ଦେଇ ସମାଜର ଅନ୍ୟମାନେ ସାଂସାରିକ କର୍ତ୍ତବ୍ୟରୁ ପଳାୟନ କରିପାରନ୍ତି ।  ଏପରି ପଳାୟନ ପନ୍ଥୀମାନେ ଶଙ୍କରାଚାର୍ଯ୍ୟ. ମାଧ୍ୱାଚାର୍ଯ୍ୟ . ନିମ୍ବକାଚାର୍ଯ୍ୟ, ଚୈତନ୍ୟ  ମହାପ୍ରଭୂଙ୍କ ପରି ମହାନ କର୍ମ  ସନ୍ୟାସୀମାନଙ୍କର ଉଦାହରଣ  ଦେଇଥାନ୍ତି । ସେହି ମହାପୁରୁଷମାନଙ୍କର ପଦାଙ୍କ ଅନୁସରଣ କରି ଶଠମାନେ ମଧ୍ୟ ସାଂସାରିକ କର୍ମ ତ୍ୟାଗ କରି ସନ୍ୟାସ ଗ୍ରହଣ କରିଥାନ୍ତି, ଯଦିଓ ସେଥିପାଇଁ ଆବଶ୍ୟକ ଥିବା ଅନ୍ତଃକରଣ ଶୁଦ୍ଧିର ଶର୍ତ୍ତ ସେମାନେ ହାସଲ କରି ନ ଥାନ୍ତି । ଭାରତରେ ହଜାର ହଜାର ସଂଖ୍ୟାର ଏପରି ସାଧୁ ଦେଖିବାକୁ ମିଳିଥାଆନ୍ତି ।  ସେମାନେ ପ୍ରସିଦ୍ଧ ସନ୍ୟାସୀମାନଙ୍କର ନକଲ କରି ଗେରୁଆ ବସ୍ତ୍ର ଧାରଣ କରିଥାନ୍ତି, ଅଥଚ ଆନ୍ତରିକ ସ୍ତରରେ ଦିବ୍ୟ ଜ୍ଞାନ ବା ଆନନ୍ଦ ପ୍ରାପ୍ତ କରି ନ ଥାନ୍ତି ।  ବାହ୍ୟ  ଦୃଷ୍ଟିରୁ ତ୍ୟାଗୀ ହୋଇଥିଲେ ମଧ୍ୟ ସେମାନଙ୍କର ସ୍ୱଭାବ ସେମାନଙ୍କୁ  ଆନନ୍ଦ ଅନ୍ୱେଷଣ କରିବାକୁ ବାଧ୍ୟ କରିଥାଏ ଏବଂ ଈଶ୍ୱରୀୟ ଦିବ୍ୟ ଆନନ୍ଦ ପରିବର୍ତ୍ତେ, ସେମାନେ ମାଦକ ଦ୍ରବ୍ୟର ଆନନ୍ଦ ପରି ନିମ୍ନସ୍ତରର ଆନନ୍ଦରେ ଲିପ୍ତ ହୋଇଯାଆନ୍ତି । ଏହିପରି ଭାବରେ ସେମାନେ ଜଣେ  ଗୃହସ୍ଥ ଜୀବନ ଯାପନ କରୁଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ନିମ୍ନ ସ୍ତରକୁ ଖସିଯାଆନ୍ତି ।  ନିମ୍ନଲିଖିତ ପଦରେ ତାହା ବର୍ଣ୍ଣନା କରାଯାଇଛି :

ବ୍ରହ୍ମଜ୍ଞାନ ଜାନ୍ୟୋ ନହିଁ, କର୍ମ ଦିୟେ ଛିଟକାୟ,
ତୁଲସୀ  ଐସୀ  ଆତ୍ମା ସହଜ ନରକ ମହଁ ଜାୟ ।

ସନ୍ଥ ତୁଳସୀ ଦାସ କହୁଛନ୍ତି, “ଯେଉଁ  ବ୍ୟକ୍ତି ବ୍ରହ୍ମଜ୍ଞାନ ଦ୍ୱାରା ନିଜର ଅନ୍ତଃକରଣକୁ ଉଦ୍‌ଭାସିତ ନ କରି, ସାଂସାରିକ କର୍ମ ତ୍ୟାଗ କରିଥାଏ, ସେ ଅତି ଶୀଘ୍ର ନର୍କ ଅଭିମୁଖରେ ଅଗ୍ରସର ହୁଏ । ”

ଅପର ପକ୍ଷରେ, ମହାପୁରୁଷମାନେ ଯଦି କର୍ମଯୋଗୀ  ହୋଇଥାଆନ୍ତି, ତାଙ୍କର ଅନୁଗାମୀମାନେ ଅତି କମ୍‌ରେ ନିଜ ନିଜର କର୍ମ କରିବେ ଏବଂ ଉତ୍ତମ ରୂପେ ନିଜର ଦାୟୀତ୍ୱ ପାଳନ କରିବେ । ଏହା ତାଙ୍କର ମନ ବୁଦ୍ଧିକୁ ଶୃଙ୍ଖଳିତ କରି କ୍ରମଶଃ ଦିବ୍ୟ ସ୍ତରକୁ ଉନ୍ନୀତ ହେବାରେ ତାଙ୍କର ସହାୟତା କରିବ ।  ଅତଏବ, ସମାଜ ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିବା ପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ  କର୍ମଯୋଗ  ଆଚରଣ କରିବାକୁ କହୁଛନ୍ତି । ଏହି କଥାକୁ ବର୍ଣ୍ଣନା କରିବା ପାଇଁ ସେ ବର୍ତ୍ତମାନ ନିଜର ଉଦାହରଣ ଦେଉଛନ୍ତି ।