Bhagavad Gita: Chapter 4, Verse 31

ଯଜ୍ଞଶିଷ୍ଟାମୃତଭୁଜୋ ଯାନ୍ତି ବ୍ରହ୍ମ ସନାତନମ୍ ।
ନାୟଂ ଲୋକୋଽସ୍ତ୍ୟଯଜ୍ଞସ୍ୟ କୁତୋଽନ୍ୟଃ କୁରୁସତ୍ତମ ।।୩୧।।

ଯଜ୍ଞାଶିଷ୍ଟ ଅମୃତ-ଭୁଜଃ - ଯଜ୍ଞର ଅମୃତତୁଲ୍ୟ ଅବଶିଷ୍ଟାଂଶକୁ ସେମାନେ ପ୍ରସାଦ ରୂପରେ ଗ୍ରହଣ କରନ୍ତି; ଯାନ୍ତି- ଯା’ନ୍ତି; ବ୍ରହ୍ମ-ପରମ ସତ୍ୟ; ସନାତନମ୍ - ସନାତନ ସ୍ତରକୁ; ନା -ନାହିଁ; ଅୟଂ -ଏହି; ଲୋକଃ-ସଂସାର; ଅସ୍ତି- ଅଛି; ଅଯଜ୍ଞସ୍ୟ-ଯିଏ ଯଜ୍ଞ କରେନାହିଁ; କୁତଃ - କିପରି; ଅନ୍ୟଃ - ଅନ୍ୟ ଲୋକରେ; କୁରୁସତ୍ତମ- ହେ କୁରୁଶ୍ରେଷ୍ଠ ।

Translation

BG 4.31: ଯେଉଁମାନେ ଯଜ୍ଞର ରହସ୍ୟ ଜାଣନ୍ତି ଏବଂ ତାକୁ ପାଳନ କରି ତାର ଅବଶିଷ୍ଟାଂଶକୁ ଅମୃତପରି ଗ୍ରହଣ କରନ୍ତି, ସେମାନେ ପରମ ସତ୍ୟ ଦିଗରେ ଅଗ୍ରସର ହୁଅନ୍ତି । ହେ କୁରୁଶ୍ରେଷ୍ଠ! ଯେଉଁମାନେ କୌଣସି ଯଜ୍ଞ କରନ୍ତି ନାହିଁ, ସେମାନେ ଇହଲୋକ ବା ପରଲୋକରେ କୌଣସି ସୁଖ ଲାଭ କରନ୍ତି ନାହିଁ ।

Commentary

ପୂର୍ବରୁ ଯଜ୍ଞର ରହସ୍ୟ ଭାବରେ ଯାହା ବର୍ଣ୍ଣନା କରାଯାଇଛି, ଏହାର ଅନୁଷ୍ଠାନ ଭଗବତ୍ ପ୍ରୀତ୍ୟର୍ଥ କରାଯିବା ଆବଶ୍ୟକ ଏବଂ ଏହାର ଅବିଶିଷ୍ଟାଂଶକୁ ପ୍ରସାଦ ଭାବରେ ଗ୍ରହଣ କରାଯିବା ଉଚିତ । ଉଦାହରଣ ସ୍ୱରୂପ, ଭଗବାନଙ୍କର ଭକ୍ତମାନେ ଖାଦ୍ୟକୁ ତାଙ୍କୁ ଅର୍ପଣ କରିବା ପରେ ଗ୍ରହଣ କରନ୍ତି । ଖାଦ୍ୟ ପ୍ରସ୍ତୁତ କଲାପରେ, ସେମାନେ ତାକୁ ଏକ ପାତ୍ରରେ ରଖି ଭଗବାନଙ୍କୁ ଗ୍ରହଣ କରିବାକୁ ପ୍ରାର୍ଥନା କରନ୍ତି । ସେମାନେ ମନରେ ଏହି ଭାବନା ରଖି ଧ୍ୟାନ କରନ୍ତି ଯେ, ଭଗବାନ ପ୍ରକୃତରେ ଏହି ପାତ୍ରରୁ ଭୋଜନ କରୁଛନ୍ତି । ଅର୍ପଣ ପରେ ପାତ୍ରରେ ଥିବା ଅବିଶିଷ୍ଟ ଖାଦ୍ୟକୁ ପ୍ରସାଦ ବା ଭଗବାନଙ୍କ କୃପା ଭାବେ ଗ୍ରହଣ କରନ୍ତି । ଅମୃତସମ ଏହି ପ୍ରସାଦ ଗ୍ରହଣ କରିବା ଦ୍ୱାରା ଅନ୍ତଃକରଣ ଉଦ୍‌ଭାସିତ ଓ ଶୁଦ୍ଧ ହେବା ସହିତ ବ୍ୟକ୍ତିର ଆଧ୍ୟାତ୍ମିକ ପ୍ରଗତି କରାଇଥାଏ ।

ଏହିପରି ମନୋଭାବରେ, ଭକ୍ତମାନେ ଭଗବାନଙ୍କୁ ବସ୍ତ୍ର ଅର୍ପଣ କରିବା ପରେ ପ୍ରସାଦ ଭାବେ ତାକୁ ପିନ୍ଧିଥାନ୍ତି । ସେମାନେ ନିଜ ଗୃହରେ ଭଗବାନଙ୍କର ମୂର୍ତ୍ତି ସ୍ଥାପନ କରି, ସେହି ଘରକୁ ମନ୍ଦିର ମନେ କରି ସେଠାରେ ବାସ କରନ୍ତି । ଯେତେବେଳେ କୌଣସି ଦ୍ରବ୍ୟ ବା କର୍ମ ଭଗବାନଙ୍କୁ ଯଜ୍ଞ ରୂପରେ ଅର୍ପଣ କରାଯାଇଥାଏ, ତାହାର ପ୍ରସାଦ ଆତ୍ମା ପାଇଁ ଅମୃତତୁଲ୍ୟ ଆଶୀର୍ବାଦ ଅଟେ । ପରମ ଭକ୍ତ ଉଦ୍ଧବ ଶ୍ରୀକୃଷ୍ଣଙ୍କୁ କହିଥିଲେ:

ତ୍ୱୟୋପଭୁକ୍ତ- ସ୍ରଗ-ଗନ୍ଧା-ବାସୋଽଲଙ୍କାର-ଚର୍ଚ୍ଚିତାଃ
ଉଚ୍ଛିଷ୍ଟ -ଭୋଜିନୋ ଦାସାସ୍ତବ ମାୟାଂ ଜୟେମ ହି (ଭାଗବତମ୍ ୧୧.୬.୪୬)

“ମୁଁ କେବଳ ତାହା ଖାଇବି, ଆଘ୍ରାଣ କରିବି, ପରିଧାନ କରିବି, ବାସ କରିବି ଏବଂ ସେହି କଥା କହିବି, ଯାହା ପ୍ରଥମେ ଆପଣଙ୍କୁ ଅର୍ପଣ କରାଯାଇଥିବ । ଏହିପରି ଆପଣଙ୍କର ଉଚ୍ଛିଷ୍ଟକୁ ପ୍ରସାଦ ଭାବେ ଗ୍ରହଣ କରି ମୁଁ ସହଜରେ ମାୟାକୁ ଜୟ କରିପାରିବି ।” ଯେଉଁମାନେ ଯଜ୍ଞ କରନ୍ତି ନାହିଁ, ସେମାନେ କର୍ମଫଳ ଜନିତ ପ୍ରକ୍ରିୟାରେ ଛନ୍ଦି ହୋଇ ମାୟାର ଯାତନା ଅନୁଭବ କରନ୍ତି ।