Bhagavad Gita: Chapter 4, Verse 2

ଏବଂ ପରମ୍ପରାପ୍ରାପ୍ତମିମଂ ରାଜର୍ଷୟୋ ବିଦୁଃ ।
ସ କାଳେନେହ ମହତା ଯୋଗୋ ନଷ୍ଟଃ ପରଂତପ ।। ୨।।

ଏବଂ -ଏହିପରି ଭାବରେ; ପରମ୍ପରା- ଧାରାବାହିକ ପ୍ରଥା; ପ୍ରାପ୍ତଂ- ପ୍ରାପ୍ତ; ଇମଂ- ଏହି ବିଜ୍ଞାନ; ରାଜର୍ଷୟଃ - ରାଜର୍ଷିଗଣ; ବିଦୁଃ- ଜାଣିଥିଲେ; ସଃ - ସେହି; କାଳେନ- କାଳକ୍ରମେ; ଇହ-ଏହି ପୃଥିବୀରେ; ମହତା -ମହାନ୍‌; ଯୋଗଃ -ଯୋଗ ବିଜ୍ଞାନ; ନଷ୍ଟଃ - ନଷ୍ଟ (ବିଖଣ୍ଡିତ); ପରଂତପ- ହେ ଶତ୍ରୁନିସୂଦନକାରୀ ଅର୍ଜୁନ ।

Translation

BG 4.2: ହେ ଶତ୍ରୁଜିତ! ରାଜର୍ଷିମାନେ ଏକ ଧାରାବାହିକ ପରମ୍ପରା ଭାବରେ ଏହି ଯୋଗର ବିଜ୍ଞାନ ପାଇ ଆସୁଥିଲେ, କିନ୍ତୁ ସମୟକ୍ରମେ ତାହା ସଂସାରରୁ ଲୋପ ପାଇଯାଇଛି ।

Commentary

ଦିବ୍ୟ ଜ୍ଞାନ ପ୍ରାପ୍ତିର ଏହି ଅବରୋହଣ ପଦ୍ଧତିରେ ଶିଷ୍ୟମାନେ ଗୁରୁଙ୍କଠାରୁ ଭଗବତ୍ ପ୍ରାପ୍ତିର ବିଜ୍ଞାନ ଲାଭ କରୁଥିଲେ । ଗୁରୁ ଏହି ଜ୍ଞାନ ତାଙ୍କ ଗୁରୁଙ୍କଠାରୁ ପ୍ରାପ୍ତ କରୁଥିଲେ । ଏହି ପଦ୍ଧତିରେ ନିମି, ଜନକ ଆଦି ରାଜର୍ଷିମାନେ ଯୋଗ ବିଜ୍ଞାନ ଶିକ୍ଷା କରିଥିଲେ । ଏହି ପରମ୍ପରା ଭଗବାନଙ୍କଠାରୁ ହିଁ ଆରମ୍ଭ ହୋଇଛି, ଯିଏ ସଂସାରର ପ୍ରଥମ ଗୁରୁ ଅଟନ୍ତି ।

 ତେନେ ବ୍ରହ୍ମ ହୃଦାୟ ଆଦି -କବୟେ ମୁହ୍ୟନ୍ତି ଯତ୍ ସୂରୟଃ (ଭାଗବତମ୍ ୧.୧.୧.)

ଭଗବାନ ସୃଷ୍ଟିର ଆରମ୍ଭରେ ଏହି ଜ୍ଞାନ ପ୍ରଥମ ପୁରୁଷ ବ୍ରହ୍ମାଙ୍କୁ ଦେଲେ, ଏବଂ ତାଙ୍କଠାରୁ ଏହି ପରମ୍ପରା ପ୍ରଚଳିତ ହେଲା । ପୂର୍ବ ଶ୍ଲୋକରେ ଶ୍ରୀକୃଷ୍ଣ ଏକଥା ମଧ୍ୟ କହିଥିଲେ ଯେ ସେ ଏହି ଜ୍ଞାନ ସୂର୍ଯ୍ୟଦେବ ବିବସ୍ୱାନଙ୍କୁ ମଧ୍ୟ ଦେଇଥିଲେ ଏବଂ ତାଙ୍କଠାରୁ ଏହି ପରମ୍ପରା ଚାଲିଆସୁଛି । କିନ୍ତୁ ଭୌତିକ ଜଗତର ଗୁଣ ଏପରି ଯେ ସମୟକ୍ରମେ ସେହି ଜ୍ଞାନ ଲୋପ ପାଇଗଲା । ଭୌତିକବୁଦ୍ଧିଯୁକ୍ତ ଏବଂ ନିଷ୍ଠାହୀନ ଶିଷ୍ୟମାନେ ଏହି ଜ୍ଞାନକୁ ନିଜର ସ୍ୱାର୍ଥ ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ରୂପରେ ବ୍ୟାଖ୍ୟା କରିବାକୁ ଲାଗିଲେ । ଯଦ୍ୱାରା ଏହାର ମୌଳିକ ଶୁଦ୍ଧତା ଅପମିଶ୍ରିତ ହେବାରେ ଲାଗିଲା । ଯେତେବେଳେ ଏପରି ହୁଏ, ମନୁଷ୍ୟ ସମାଜର କଲ୍ୟାଣ ନିମନ୍ତେ ଭଗବାନ ତାଙ୍କର ଅକାରଣ କରୁଣା ସ୍ୱଭାବ ବଶତଃ ଏହାର ପୁନଃ ପ୍ରତିଷ୍ଠା କରନ୍ତି । ସେ ଏହି କାର୍ଯ୍ୟ ସ୍ୱୟଂ ଧରାପୃଷ୍ଠରେ ଅବତାର ଗ୍ରହଣ କରି କରନ୍ତି ବା କୌଣସି ମହାନ ଭଗବତ୍‌ପ୍ରାପ୍ତ ସନ୍ଥଙ୍କ ଦ୍ୱାରା କରାଇଥାନ୍ତି, ଯେଉଁମାନେ ପୃଥିବୀରେ ଭଗବାନଙ୍କ କାର୍ଯ୍ୟର ବାହକ ହୋଇଥାନ୍ତି ।

ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ, ଯିଏ କି ଭାରତ ଇତିହାସର ପଞ୍ଚମ ମୂଳ ଜଗଦ୍‌ଗୁରୁ ଅଟନ୍ତି, ଏହିପରି ଜଣେ ଈଶ୍ୱର-ପ୍ରେରିତ ମହାପୁରୁଷ, ଯିଏ ଆଧୁନିକ ଯୁଗରେ ପୁରାତନ ଜ୍ଞାନର ପୁନଃପ୍ରତିଷ୍ଠା କରିଛନ୍ତି । ତାଙ୍କର ଆୟୁ ଯେତେବେଳେ ମାତ୍ର ଚଉତିରିଶ ବର୍ଷ ହୋଇଥିଲା, ପବିତ୍ର ସହର କାଶୀ ସ୍ଥିତ ପାଞ୍ଚଶହ ବୈଦିକ ବିଦ୍ୱାନମାନଙ୍କର ସଭା, କାଶୀ ବିଦ୍ୱତ୍ ପରିଷଦ, ତାଙ୍କୁ ଜଗଦ୍‌ଗୁରୁ ପଦରେ ସମ୍ମାନିତ କରିଥିଲା । ଭାରତ ଇତିହାସରେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ, ଜଗଦ୍‌ଗୁରୁ ନିମ୍ବାକାଚାର୍ଯ୍ୟ, ଜଗଦ୍‌ଗୁରୁ ରାମାନୁଜାଚାର୍ଯ୍ୟ ଏବଂ ଜଗଦ୍‌ଗୁରୁ ମାଧ୍ୱାଚାର୍ଯ୍ୟଙ୍କ ପରେ ସେ ପଞ୍ଚମ ମୂଳ ଜଗଦ୍‌ଗୁରୁ ଉପାଧି ପ୍ରାପ୍ତ କରିଛନ୍ତି । ଭଗବଦ୍ ଗୀତାର ଏହି ଭାଷ୍ୟ, ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜଙ୍କ ଦ୍ୱାରା, ମୋତେ ପ୍ରଦାନ କରାଯାଇଥିବା ଗଭୀର ଜ୍ଞାନର ଆଧାରରେ ଲେଖାଯାଇଛି ।

Watch Swamiji Explain This Verse