Bhagavad Gita: Chapter 4, Verse 38

ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ।
ତତ୍‌ସ୍ୱୟଂ ଯୋଗସଂସିଦ୍ଧଃ କାଳେନାତ୍ମନି ବିନ୍ଦତି ।। ୩୮ ।।

ନ -ନାହିଁ; ହି -ନିଶ୍ଟିତଭାବେ; ଜ୍ଞାନେନ- ଜ୍ଞାନ; ସଦୃଶଂ- ସଦୃଶ; ପବିତ୍ରଂ- ପବିତ୍ର; ଇହ -ଇହ ଜଗତରେ; ବିଦ୍ୟତେ - ଅଛି; ତତ୍ - ତାହା; ସ୍ୱୟଂ- ସ୍ୱୟଂ; ଯୋଗ- ଯୋଗାଭ୍ୟାସ; ସଂସିଦ୍ଧି- ପରିପକ୍ୱ ହୋଇ; କାଳେନ -କାଳକ୍ରମେ; ଆତ୍ମନି -ହୃଦୟରେ; ବିନ୍ଦତି - ପ୍ରାପ୍ତ କରେ ।

Translation

BG 4.38: ଏହି ସଂସାରରେ, ଦିବ୍ୟଜ୍ଞାନ ପରି ପବିତ୍ର ଅନ୍ୟ କିିଛି ନାହିଁ । ଯିଏ ସୁଦୀର୍ଘ ଯୋଗ ସାଧନା ଦ୍ୱାରା ମନକୁ ଶୁଦ୍ଧ କରିଥାଏ, ସମୟାନୁକ୍ରମେ ସେହି ଜ୍ଞାନକୁ ସେ ଅନ୍ତଃକରଣରେ ପ୍ରାପ୍ତ କରେ ।

Commentary

ଜ୍ଞାନ ଠାରେ ଶୁଦ୍ଧ କରିବା, ଉନ୍ନତ କରିବା, ମୁକ୍ତ କରିବା ଏବଂ ଭଗବାନଙ୍କ ସହିତ ମିଳିତ କରାଇବାର ଶକ୍ତି ରହିଛି, ତେଣୁ ଏହା ଅତ୍ୟନ୍ତ ଗରିମାମୟ ଏବଂ ଶୁଦ୍ଧ ଅଟେ । କିନ୍ତୁ ଦୁଇ ପ୍ରକାରର ଜ୍ଞାନ ମଧ୍ୟରେ ପାର୍ଥକ୍ୟ ଜାଣିବା ଆବଶ୍ୟକ: ଶାବ୍ଦିକ ଜ୍ଞାନ ଏବଂ ଅନୁଭବାତ୍ମକ ଜ୍ଞାନ ।

ଗୋଟିଏ ପ୍ରକାର ଜ୍ଞାନ ଅଛି ଯାହା ଶାସ୍ତ୍ର ପଠନ ଏବଂ ଗୁରୁଙ୍କ ଠାରୁ ଶ୍ରବଣ ଦ୍ୱାରା ହୋଇଥାଏ । କିନ୍ତୁ କେବଳ ଶାବ୍ଦିକ ଜ୍ଞାନ ଅପର୍ଯ୍ୟାପ୍ତ ଅଟେ । ଏହା ଏପରି ଅଟେ, ଯେପରି ଜଣେ ପାକଶାସ୍ତ୍ର ପଠନ କରିଥାଏ କିନ୍ତୁ କେବେ ରୋଷେଇଶାଳକୁ ଯାଇ ନ ଥାଏ । ରୋଷେଇର ଏହି ଶାବ୍ଦିକ ଜ୍ଞାନ କାହାର କ୍ଷୁଧା ମେଣ୍ଟାଇ ପାରେନାହିଁ । ସେହିପରି ଜଣେ ବ୍ୟକ୍ତି ଗୁରୁଙ୍କଠାରୁ ଆତ୍ମା, ଭଗବାନ୍‌, ମାୟା, କର୍ମ, ଜ୍ଞାନ ଏବଂ ଭକ୍ତି ବିଷୟରେ ଶାବ୍ଦିକ ଜ୍ଞାନ ପ୍ରାପ୍ତ କରିପାରେ, କିନ୍ତୁ ତାହା ଭଗବତ୍‌ପ୍ରାପ୍ତି କରାଇ ନ ଥାଏ । ବ୍ୟକ୍ତି ଯେତେବେଳେ ଏହି ଶାବ୍ଦିକ ଜ୍ଞାନ ଅନୁସାରେ ସାଧନା କରି ତା’ର ଅନ୍ତଃକରଣ ଶୁଦ୍ଧ କରିଥାଏ, ସେତେବେଳେ ତାଙ୍କ ଅନ୍ତରରେ ଆତ୍ମା ବିଷୟରେ ଏବଂ ଭଗବାନଙ୍କ ସହିତ ତାଙ୍କର ସମ୍ବନ୍ଧ ବିଷୟରେ ଜ୍ଞାନ ଉଦ୍‌ଭାସିତ ହୁଏ । ମହର୍ଷି ପତଞ୍ଜଳି କହିଛନ୍ତି:

ଶ୍ରୁତାନୁମାନ-ପ୍ରଜ୍ଞାଭ୍ୟାମ୍ ଅନ୍ୟ-ବିଷୟା ବିଶେଷାର୍ଥତ୍ୱାତ୍ (ଯୋଗଦର୍ଶନ ୧.୪୯)

“ଯୋଗ ସାଧନା ମାଧ୍ୟମରେ ଅନ୍ତରର ଅନୁଭୂତି ଦ୍ୱାରା ଯେଉଁ ଜ୍ଞାନ ପ୍ରାପ୍ତ ହୋଇଥାଏ, ତାହା ଶାସ୍ତ୍ରର ଶାବ୍ଦିକ ଜ୍ଞାନ ଅପେକ୍ଷା ଶ୍ରେଷ୍ଠତର ଅଟେ ।” ଶୁଦ୍ଧତମ ଓ ଭବ୍ୟ ଭାବରେ ଶ୍ରୀକୃଷ୍ଣ ଏହି ଅନୁଭବାତ୍ମକ ଜ୍ଞାନର ଉଚ୍ଚ ପ୍ରଶଂସା କରିଛନ୍ତି ।

Watch Swamiji Explain This Verse