Bhagavad Gita: Chapter 4, Verse 3

ସ ଏବାୟଂ ମୟା ତେଽଦ୍ୟ ଯୋଗଃ ପ୍ରୋକ୍ତଃ ପୁରାତନଃ ।
ଭକ୍ତୋଽସି ମେ ସଖା ଚେତି ରହସ୍ୟଂ ହ୍ୟେତଦୁତ୍ତମମ୍ ।।୩।।

ସଃ - ସେହି ପୁରାତନ; ଏବ -ନିଶ୍ଚିତଭାବେ; ଅୟଂ -ଏହି; ମୟା-ମୋ’ଦ୍ୱାରା; ତେ -ତୁମକୁ; ଅଦ୍ୟ - ଆଜି; ଯୋଗଃ - ଯୋଗବିଜ୍ଞାନ; ପ୍ରୋକ୍ତଃ - କୁହାଯାଇଥିବା; ପୁରାତନଃ -ପ୍ରାଚୀନ; ଭକ୍ତଃ - ଭକ୍ତ; ଅସି- ତୁମେ ଅଟ; ମେ -ମୋର; ସଖା-ବନ୍ଧୁ; ଚ-ଏବଂ; ଇତି-ତେଣୁ; ରହସ୍ୟଂ -ଗୁପ୍ତ; ହି-ନିଶ୍ଚିତଭାବେ; ଏତତ୍‌- ଏହି; ଉତ୍ତମମ୍ -ଦିବ୍ୟ ।

Translation

BG 4.3: ମୁଁ ସେହି ପ୍ରାଚୀନ, ଅତ୍ୟନ୍ତ ଗୁପ୍ତ ଯୋଗର ବିଜ୍ଞାନ ଆଜି ତୁମ ସମ୍ମୁଖରେ ପ୍ରକାଶ କରୁଛି, କାରଣ ତୁମେ ମୋର ସଖା ତଥା ଭକ୍ତ ଅଟ ଏବଂ ତୁମେ ଏହି ଅଲୌକିକ ଜ୍ଞାନକୁ ବୁଝିପାରିବ ।

Commentary

ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଯେଉଁ ପ୍ରାଚୀନ ବିଦ୍ୟା ସେ ଆଜି ତାଙ୍କ ସମ୍ମୁଖରେ ପ୍ରକଟ କରୁଛନ୍ତି, ତାହା ଏକ ଅସାଧାରଣ ଗୁପ୍ତ ବିଷୟ ଅଟେ । ସଂସାରରେ ଗୋପନୀୟତା ଦୁଇଟି କାରଣରୁ ରଖାଯାଇଥାଏ; ସ୍ୱାର୍ଥପର ଭାବରେ ସତ୍ୟକୁ ନିଜ ଭିତରେ ରଖିବା ପାଇଁ କିମ୍ବା ଜ୍ଞାନର ଦୁରୁପଯୋଗ ରୋକିବା ପାଇଁ । ତେବେ ସେପରି କୌଣସି କାରଣରୁ ଏହି ଯୋଗର ବିଜ୍ଞାନ ଗୋପନ ରହି ନ ଥିଲା, ବରଂ ଏହାକୁ ବୁଝିବା ପାଇଁ ଏକ ଯୋଗ୍ୟତା ଆବଶ୍ୟକ କରୁଥିଲା । ଭକ୍ତିକୁ ହିଁ ଏହାର ଯୋଗ୍ୟତା ଭାବରେ ଏହି ଶ୍ଲୋକରେ ବର୍ଣ୍ଣନା କରାଯାଇଛି । ଭଗବଦ୍ ଗୀତାର ଗଭୀର ଜ୍ଞାନ ବୁଝିବା ପାଇଁ କେବଳ ଶିକ୍ଷାଗତ ଯୋଗ୍ୟତା ବା ସଂସ୍କୃତ ଭାଷାଜ୍ଞାନ ଯଥେଷ୍ଟ ନ୍‌ୁହେଁ, ସେଥିପାଇଁ ଭକ୍ତି ଆବଶ୍ୟକ, ଯାହା ଭଗବାନଙ୍କ ପ୍ରତି ବିମୁଖତା ନଷ୍ଟକରେ ଏବଂ ତାଙ୍କର କ୍ଷୁଦ୍ର ଅଂଶ ଓ ସେବକ ରୂପେ ନିଜର ବିନମ୍ର ସ୍ଥିତି ସ୍ୱୀକାର କରିବାକୁ ସକ୍ଷମ କରେ ।

ଅର୍ଜୁନ ଏହି ଜ୍ଞାନ ଗ୍ରହଣ କରିବା ପାଇଁ ଯୋଗ୍ୟ ଶିଷ୍ୟଥିଲେ, କାରଣ ସେ ଭଗବାନଙ୍କର ଭକ୍ତ ଥିଲେ । ଭଗବାନଙ୍କ ପ୍ରତି ଭକ୍ତି, ପାଞ୍ଚଗୋଟି କ୍ରମ ବର୍ଦ୍ଧମାନ ମନୋଭାବରେ କରାଯାଇପାରେ: ୧. ଶାନ୍ତଭାବ: ଭଗବାନଙ୍କୁ ଆମର ରାଜା ଭାବରେ ସମ୍ମାନ ଦେବା,୨. ଦାସ୍ୟ ଭାବ: ଭଗବାନଙ୍କୁ ଆମର ସ୍ୱାମୀ ମନେକରି ତାଙ୍କ ପ୍ରତି ଦାସତାର ଭାବନା ରଖିବା ୩. ସଖ୍ୟ ଭାବ: ଭଗବାନଙ୍କୁ ନିଜର ସଖା ଭାବରେ ଗ୍ରହଣ କରିବା, ୪. ବାତ୍ସଲ୍ୟ ଭାବ: ଭଗବାନଙ୍କୁ ନିଜର ସନ୍ତାନ ଭାବିବା, ୫. ମାଧୁର୍ଯ୍ୟ ଭାବ: ଭଗବାନଙ୍କୁ ନିଜର ପ୍ରିୟତମ ମନେକରି ତାଙ୍କର ଉପାସନା କରିବା । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ସଖ୍ୟ ଭାବରେ ଭକ୍ତି କରୁଥିଲେ, ତେଣୁ ଶ୍ରୀକୃଷ୍ଣ ତାଙ୍କୁ ନିଜର ବନ୍ଧୁ ତଥା ଭକ୍ତ ଭାବରେ ଏହି କଥା କହୁଛନ୍ତି ।

ହୃଦୟ ଭକ୍ତିଯୁକ୍ତ ହୋଇ ନ ଥିଲେ ବ୍ୟକ୍ତି ଭଗବଦ୍ ଗୀତାର ସନ୍ଦେଶ ହୃଦୟଙ୍ଗମ କରିପାରିବ ନାହିଁ । ଭଗବାନଙ୍କ ପ୍ରତି ଭକ୍ତି ରହିତ ଜ୍ଞାନୀ, ଯୋଗୀ, ତପସ୍ୱୀ ଆଦିଙ୍କ ଦ୍ୱାରା ରଚିତ ଭଗବଦ୍ ଗୀତାର ଭାଷ୍ୟକୁ, ଏହି ଶ୍ଲୋକ ଅବୈଧ ଘୋଷଣା କରୁଛି । ଏହି ଶ୍ଲୋକ ଅନୁସାରେ, ସେମାନେ ଯେହେତୁ ଭକ୍ତ ନୁହଁନ୍ତି, ଅର୍ଜୁନଙ୍କୁ ସମ୍ମୁଖରେ ଉପସ୍ଥାପିତ କରାଯାଉଥିବା ଗୁଢ଼ତମ ବିଜ୍ଞାନକୁ ସେମାନେ ହୃଦୟଙ୍ଗମ କରିପାରିବେ ନାହିଁ, ଏବଂ ସେଥିପାଇଁ ସେମାନେ ଲେଖିଥିବା ଭାଷ୍ୟ ସବୁ ଭ୍ରମଯୁକ୍ତ ଅଥବା ଅସମ୍ପୂର୍ଣ୍ଣ ଅଟେ ।

Watch Swamiji Explain This Verse