Bhagavad Gita: Chapter 4, Verse 13

ଚାତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟଂ ଗୁଣକର୍ମବିଭାଗଶଃ ।
ତସ୍ୟ କର୍ତାରମପି ମାଂ ବିଦ୍ଧ୍ୟକର୍ତାରମବ୍ୟୟମ୍ ।।୧୩।।

ଚାତୁର୍ବର୍ଣ୍ଣ୍ୟଂ -ବୃତ୍ତିଗତ ଚାରୋଟି ବିଭାଗ; ମୟା -ମୋ ଦ୍ୱାରା; ସୃଷ୍ଟଂ -ସୃଷ୍ଟ; ଗୁଣ-ଗୁଣ; କର୍ମ-କର୍ମ; ବିଭାଗଶଃ - ବିଭାଗ ଅନୁଯାୟୀ; ତସ୍ୟ -ତାହାର; କର୍ତାରମ୍ -ସ୍ରଷ୍ଟା; ଅପି -ଯଦିଓ; ମାଂ-ମୋତେ; ବିଦ୍ଧି -ଜାଣ: ଅକର୍ତାରମ୍ -ଅକର୍ତ୍ତା ରୂପେ; ଅବ୍ୟୟମ୍ - ଅବିନାଶୀ ।

Translation

BG 4.13: ମନୁଷ୍ୟମାନଙ୍କର ଗୁଣ ଓ କର୍ମ ଅନୁସାରେ, ମୁଁ ଚାରି ପ୍ରକାର ବର୍ଣ୍ଣ ବା ବୃତ୍ତି ସୃଷ୍ଟି କରିଥିଲି । ଯଦିଓ ମୁଁ ଏହି ଶ୍ରେଣୀ ବିଭାଗର ସ୍ରଷ୍ଟା ଅଟେ, ମୋତେ ଅକର୍ତ୍ତା ତଥା ଚିରନ୍ତନ ବିବେଚନା କର ।

Commentary

ବେଦ ମନୁଷ୍ୟମାନଙ୍କର ବୃତ୍ତି ଅନୁଯାୟୀ, ସେମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରିଅଛି । ଏହା ତାଙ୍କର ଜନ୍ମ ଅନୁସାରେ ନ ହୋଇ ପ୍ରକୃତି ଅନୁସାରେ ହୋଇଛି । ଏହିପରି ପ୍ରକାରର ବୃତ୍ତିଗତ ଭିନ୍ନତା ସବୁ ସମାଜରେ ରହିଛି । କମ୍ୟୁନିଷ୍ଟ ଦେଶ ମାନଙ୍କରେ ସମାନତା, ସବୁଠାରୁ ବଡ଼ ନିୟମ ହୋଇଥିଲେ ମଧ୍ୟ, ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ବିବିଧତା ଲୋପ କରାଯାଇପାରିବ ନାହିଁ । ସେଠାରେ ଦାର୍ଶନିକ ଅଛନ୍ତି ଯେଉଁମାନେ କମ୍ୟୁନିଷ୍ଟ ପାର୍ଟିର ଦିଗ୍‌ଦର୍ଶକ ଅଟନ୍ତି, ଦେଶର ରକ୍ଷା କରିବାକୁ ସୈନ୍ୟ ବାହିନୀ ଅଛନ୍ତି, କିଛି କୃଷକ ଅଛନ୍ତି ଯେଉଁମାନେ ଚାଷ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ଏବଂ କାରଖାନା ଆଦିରେ କାର୍ଯ୍ୟ କରିବାକୁ ଶ୍ରମିକ ଅଛନ୍ତି । ବୈଦିକ ଦର୍ଶନ ଏହି ବିଭାଜନକୁ ଅଧିକ ବିଜ୍ଞାନ ସମ୍ମତ ଭାବରେ ବର୍ଣ୍ଣନା କରିଛି । ବେଦ କହେ ଯେ ମାୟାଶକ୍ତି  ତ୍ରିଗୁଣ ଯୁକ୍ତ ଅଟେ: ସତ୍ତ୍ୱଗୁଣ (ସତ୍‌ଗୁଣ), ରଜୋଗୁଣ (କାମନା ଯୁକ୍ତ ଗୁଣ), ତମୋଗୁଣ (ଅଜ୍ଞାନ ଗୁଣ) । ସତ୍ତ୍ୱଗୁଣ ପ୍ରଧାନ ବ୍ୟକ୍ତି ମାନେ ବ୍ରାହ୍ମଣ ଶ୍ରେଣୀର ଅଟନ୍ତି । ସେମାନେ ମୁଖ୍ୟତଃ ପୂଜାଦିକର୍ମ ତଥା ଶିକ୍ଷକତା କରନ୍ତି । କ୍ଷତ୍ରିୟମାନଙ୍କଠାରେ ରଜୋଗୁଣ ପ୍ରବଳ ମାତ୍ରାରେ ଥାଏ, କିନ୍ତୁ କିଛି ମାତ୍ରାରେ ସତ୍ତ୍ୱଗୁଣ ମଧ୍ୟ ଥାଏ । ସେମାନେ ଶାସନ କରିବା ତଥା ପରିଚାଳନା ଆଦି କର୍ମରେ ନିଯୁକ୍ତ ରହନ୍ତି । ବୈଶ୍ୟମାନଙ୍କଠାରେ ରଜୋଗୁଣ ତଥା କିଛିମାତ୍ରାରେ ତମୋଗୁଣ ଥାଏ, ସେମାନେ ବ୍ୟବସାୟୀ ତଥା କୃଷକ ଶ୍ରେଣୀର ଅଟନ୍ତି । ଶୁଦ୍ରମାନଙ୍କଠାରେ ଅଜ୍ଞାନତାର ଗୁଣ ଅଧିକ ଥାଏ ଏବଂ ସେମାନେ ଶ୍ରମିକ ଶ୍ରେଣୀର ଅଟନ୍ତି । ଏହି ବିଭକ୍ତିକରଣ ଜନ୍ମ ଅନୁସାରେ ନ ଥିଲା ବା ଏହା ଅପରିବର୍ତ୍ତନୀୟ ନ ଥିଲା । ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ଯେ ଏହି ବର୍ଣ୍ଣାଶ୍ରମ ପ୍ରଥାର ବିଭକ୍ତିକରଣ ମନୁଷ୍ୟମାନଙ୍କର ସ୍ୱଭାବ ଏବଂ କର୍ମ ଅନୁସାରେ ହୋଇଥିଲା ।

ଯଦିଓ ଭଗବାନ ସଂସାରର ସମସ୍ତ ଯୋଜନାର ସ୍ରଷ୍ଟା ଅଟନ୍ତି, ତଥାପି ସେ ଅକର୍ତ୍ତା ଅଟନ୍ତି । ଏହା ବୃଷ୍ଟି ସଦୃଶ ଅଟେ । ବୃଷ୍ଟିଜଳ ଜଙ୍ଗଲର ସର୍ବତ୍ର ସମାନ ଭାବରେ ପଡିଥାଏ, କିନ୍ତୁ କେତେକ ମଞ୍ଜିରୁ ବିଶାଳ ବରଗଛ ଅଙ୍କୁରିତ ହୁଏ ତ ଅନ୍ୟ ମଞ୍ଜିରୁ ସୁନ୍ଦର ଫୁଲ ଫୁଟିଥାଏ, ଏବଂ ଅନ୍ୟ କେତେକରୁ କଣ୍ଟକଯୁକ୍ତ ଗୁଳ୍ମ ବାହାରିଥାଏ । ବର୍ଷା ନିରପେକ୍ଷ ଅଟେ, ଏହିସବୁ ଭିନ୍ନତା ପାଇଁ ସେ ଏଥିପାଇଁ ଦାୟୀ ନୁହେଁ । ସେହିପରି ଭଗବାନ ଜୀବକୁ କର୍ମ କରିବାର ଶକ୍ତି ଦେଇଥାନ୍ତି । ସେହି ଶକ୍ତିର ସେମାନେ କିପରି ଉପଯୋଗ କରିବେ, ସେହି ନିର୍ଣ୍ଣୟ ନେବାରେ ଜୀବ ସ୍ୱତନ୍ତ୍ର ଅଟେ; ତା’ର କାର୍ଯ୍ୟ ପାଇଁ ଭଗବାନ ଦାୟୀ ନୁହନ୍ତି ।