Bhagavad Gita: Chapter 4, Verse 22

ଯଦୃଚ୍ଛାଲାଭସନ୍ତୁଷ୍ଟୋ ଦ୍ୱନ୍ଦ୍ୱାତୀତୋ ବିମତ୍ସରଃ ।
ସମଃ ସିଦ୍ଧାବସିଦ୍ଧୌ ଚ କୃତ୍ୱାପି ନ ନିବଧ୍ୟତେ ।।୨୨।।

ଯଦୃଚ୍ଛା -ସ୍ୱତଃ; ଲାଭ -ଲାଭ; ସନ୍ତୁଷ୍ଟଃ -ସନ୍ତୁଷ୍ଟ; ଦ୍ୱନ୍ଦ୍ୱ -ଦ୍ୱନ୍ଦ୍ୱଭାବ; ଅତୀତଃ -ଅତୀତ; ବିମତ୍ସରଃ -ଈର୍ଷାଶୂନ୍ୟ; ସମଃ-ସ୍ଥିର; ସିଦ୍ଧୌ- ବିଜୟରେ; ଅସିଦ୍ଧୌ -ପରାଜୟରେ; ଚ- ଏବଂ; କୃତ୍ୱା- କରି; ଅପି - ଯଦିଓ; ନ-ନୁହେଁ; ନିବଧ୍ୟତେ- ବାନ୍ଧି ହୁଏ ।

Translation

BG 4.22: ସ୍ୱତଃ ମିଳୁଥିବା ଲାଭରେ ସନ୍ତୁଷ୍ଟ ଏବଂ ଈର୍ଷାଶୂନ୍ୟ ହୋଇଥିବା ବ୍ୟକ୍ତିମାନେ ଜୀବନର ଦ୍ୱନ୍ଦ୍ୱରୁ ଊର୍ଦ୍ଧ୍ୱରେ ରହନ୍ତି । ସଫଳତା ଓ ଅସଫଳତାରେ ସମଭାବାପନ୍ନ ରହୁଥିବାରୁ ସେମାନେ ସମସ୍ତ ପ୍ରକାରର କାର୍ଯ୍ୟ କରୁଥିଲେ ମଧ୍ୟ କର୍ମ ବନ୍ଧନରେ ଆବଦ୍ଧ ହୁଅନ୍ତି ନାହିଁ ।

Commentary

ମୁଦ୍ରାର ଯେପରି ଦୁଇଟି ପାଶ୍ୱର୍ ଥାଏ, ସେହିପରି ଭଗବାନ ସଂସାରକୁ ଦ୍ୱିବିଧତାରେ ପୂର୍ଣ୍ଣ କରି ରଚନା କରିଛନ୍ତି - ଯେମିତି ଦିନ ଓ ରାତି, ମିଠା ଓ ଖଟା, ଗରମ ଓ ଥଣ୍ଡା, ଅତି ବୃଷ୍ଟି ଓ ଦୁର୍ଭିକ୍ଷ, ଇତ୍ୟାଦି । ଗୋଟିଏ ଗୋଲାପ ଗଛରେ ସୁନ୍ଦର ଫୁଲ ସହିତ ଅସୁନ୍ଦର କଣ୍ଟା ମଧ୍ୟ ଅଛି । ଜୀବନରେ ସେହିପରି ସୁଖ ଓ ଦୁଃଖ, ଜୟ ଓ ପରାଜୟ, ଯଶ ଓ ଅପଯଶ ଆଦି ଦ୍ୱୈତ ରହିଛି । ଭଗବାନ ରାମ ଅଯୋଧ୍ୟାର ରାଜା ହେବାର ଦିନକ ପୂର୍ବରୁ ବନବାସ ଯାଇଥିଲେ ।

ସଂସାରରେ ରହି କେହି ମଧ୍ୟ ଏହି ଦ୍ୱୈତର ଉର୍ଦ୍ଧ୍ୱକୁ ଯାଇ କେବଳ ସକାରାତ୍ମକ ଅନୁଭୂତି ଲାଭର ଆଶା କରି ପାରିବେ ନାହିଁ । ତେବେ ଜୀବନରେ ଆସୁଥିବା ଏହି ଦ୍ୱୈତମାନଙ୍କର ସମାଧାନ ଆମେ କିପରି କରିବା? ସେଥିପାଇଁ ଆମେ ସବୁ ଦ୍ୱୈତର ଉର୍ଦ୍ଧ୍ୱକୁ ଉଠି ସମସ୍ତ ପରିସ୍ଥିତିରେ ସମଭାବପୂର୍ଣ୍ଣ ରହିବା ଆବଶ୍ୟକ । ଏହା ସେତେବେଳେ ସମ୍ଭବ ହୋଇଥାଏ, ଯେତେବେଳେ ଆମେ କର୍ମଫଳ ପ୍ରତି ନିରାସକ୍ତ ରହି ଏବଂ କର୍ମଫଳର କୌଣସି ଲାଳସା ନ ରଖି ଜୀବନରେ କେବଳ ନିଜର କର୍ତ୍ତବ୍ୟ ପାଳନ କରିଥାଏ । ଯେତେବେଳେ ଆମେ ଭଗବାନଙ୍କ ସୁଖ ପାଇଁ କର୍ମ କରିଥାଏ, ସେତେବେଳେ ସେହି କର୍ମର ଉଭୟ ସୁଫଳ ଓ କୁଫଳକୁ ଆମେ ଭଗବାନଙ୍କର ଇଚ୍ଛା ଭାବରେ ଅନୁଭବ କରିଥାଏ ଏବଂ ଖୁସିର ସହିତ ତାହାକୁ ଗ୍ରହଣ କରିଥାଏ ।

Watch Swamiji Explain This Verse