Bhagavad Gita: Chapter 4, Verse 12

କାଂକ୍ଷନ୍ତଃ କର୍ମଣାଂ ସିଦ୍ଧିଂ ଯଜନ୍ତ ଇହ ଦେବତାଃ ।
କ୍ଷିପ୍ରଂ ହି ମାନୁଷେ ଲୋକେ ସିଦ୍ଧିର୍ଭବତି କର୍ମଜା ।।୧୨।।

କାଙ୍‌କ୍ଷନ୍ତଃ- ଇଚ୍ଛା କରୁଥିବା; କର୍ମଣାଂ-ମାୟିକ କର୍ମର; ସିଦ୍ଧିଂ-ସିଦ୍ଧି; ଯଜନ୍ତେ-ଯଜ୍ଞାନୁଷ୍ଠାନ ଦ୍ୱାରା ପୂଜା କରନ୍ତି; ଇହ-ଭୌତିକ ଜଗତରେ; ଦେବତା-ଦେବତାମାନଙ୍କୁ; କ୍ଷିପ୍ରଂ- ଖୁବ୍ ଶୀଘ୍ର; ହି-ନିଶ୍ଚିତଭାବେ; ମାନୁଷେ-ମାନବ ସମାଜରେ; ଲୋକେ-ଏ ପୃଥିବୀରେ; ସିଦ୍ଧିଃ -ପୁରଷ୍କୃତ; ଭବତି- ହୁଏ; କର୍ମଜା-ମାୟିକ କର୍ମରୁ ।

Translation

BG 4.12: ଏହି ପୃଥିବୀରେ ଯେଉଁମାନେ ସାଂସାରିକ କାର୍ଯ୍ୟରେ ସଫଳ ହେବାକୁ ଚାହାଁନ୍ତି, ସେମାନେ ସ୍ୱର୍ଗର ଦେବତା ମାନଙ୍କୁ ପୂଜା କରିଥାନ୍ତି, କାରଣ ତଦ୍ୱାରା ସାଂସାରିକ ଫଳ ଅତି ଶୀଘ୍ର ପ୍ରାପ୍ତ ହୋଇଥାଏ ।

Commentary

ଯେଉଁମାନେ ସଂସାରିକ ଲାଭ ଖୋଜନ୍ତି, ସେମାନେ ସ୍ୱର୍ଗର ଦେବତାମାନଙ୍କୁ ପୂଜା କରନ୍ତି ଏବଂ ତାଙ୍କଠାରୁ ବରଦାନ ଚାହିଁଥାନ୍ତି । ଦେବତା ମାନେ ଦେଉଥିବା ବରଦାନ ଭୌତିକ ତଥା କ୍ଷଣସ୍ଥାୟୀ ହୋଇଥାଏ । ସେମାନେ ଭଗବାନଙ୍କ ଠାରୁ ପାଇଥିବା ଶକ୍ତି ବଳରେ ଏହି ବରଦାନ ପ୍ରଦାନ କରିଥାନ୍ତି । ଏହି ବିଷୟରେ ଏକ ମାର୍ମିକ କାହାଣୀ ଅଛି:

ଭାରତ ଇତିହାସର ଜଣେ ଶକ୍ତିଶାଳୀ ରାଜା, ସମ୍ରାଟ ଆକବରଙ୍କ ଦରବାରକୁ ସନ୍ଥ ଫରିଦ ଯାଇଥିଲେ । ସେ ଦରବାରରେ ଅପେକ୍ଷା କରିଥିଲେ, ସେତେବେଳେ ରାଜା ନିକଟସ୍ଥ କକ୍ଷରେ ପୂଜା କରୁଥିଲେ । କକ୍ଷ ଭିତରେ କ’ଣ ହେଉଛି ଜାଣିବା ପାଇଁ ଫରିଦ ଉଙ୍କିମାରି ଦେଖିଲେ । ସେ ଆଶ୍ଚର୍ଯ୍ୟ ହେଲେ ଯେ ରାଜା ଭଗବାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ସେନା, ବହୁତ ବଡ଼ ରାଜକୋଷ ଏବଂ ଯୁଦ୍ଧରେ ବିଜୟ ପ୍ରାର୍ଥନା କରୁଛନ୍ତି । ରାଜାଙ୍କୁ ବାଧା ନ ଦେଇ ସେ ରାଜ ଦରବାରକୁ ଫେରିଆସିଲେ ।

ପୂଜା ସରିବା ପରେ, ଆକବର ଦରବାରକୁ ଆସିଲେ ଏବଂ ପ୍ରଜାମାନଙ୍କୁ ଦାନ ଦେଲେ । ସେ ଫରିଦଙ୍କୁ କ’ଣ ଇଚ୍ଛା କରୁଛନ୍ତି ବୋଲି ପଚାରିବାରୁ ଫରିଦ ଉତ୍ତର ଦେଲେ “ମୁଁ ମୋ ଆଶ୍ରମ ପାଇଁ କିଛି ଜିନିଷ ମାଗିବା ପାଇଁ ସମ୍ରାଟଙ୍କ ପାଖକୁ ଆସିଥିଲି । କିନ୍ତୁ ମୁଁ ଦେଖିଲି ସମ୍ରାଟ ନିଜେ ଭଗବାନଙ୍କ ସମ୍ମୁଖରେ ଜଣେ ଭିକାରୀ ଅଟନ୍ତି । ତେଣୁ କୌଣସି ଅନୁଗ୍ରହ ପାଇଁ ମୁଁ କାହିଁକି ସିଧା ସଳଖ ଭଗବାନଙ୍କୁ ନ ମାଗି, ସମ୍ରାଟଙ୍କୁ ମାଗିବି?

ଭଗବାନଙ୍କଠାରୁ ପାଇଥିବା ଶକ୍ତି ବଳରେ ହିଁ ସ୍ୱର୍ଗର ଦେବତାମାନେ କୌଣସି ବରଦାନ ଦେଇଥାନ୍ତି । ତଥାପି, ସ୍ୱଳ୍ପ ବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ସେମାନଙ୍କ ପାଖକୁ ଯାଇଥାନ୍ତି । କିନ୍ତୁ ଯେଉଁମାନେ ବୁଦ୍ଧିମାନ, ସେମାନେ ବୁଝିପାରନ୍ତି ଯେ କୌଣସି ମଧ୍ୟସ୍ଥିଙ୍କ ପାଖକୁ ଯିବାରେ କିଛି ଲାଭ ନାହିଁ ଏବଂ ନିଜର ଅଭିଳାଷ ପୂରଣ କରିବା ନିମନ୍ତେ ସେମାନେ ଭଗବାନଙ୍କୁ ପ୍ରାର୍ଥନା କରିଥାନ୍ତି । ବିଭିନ୍ନ ଶ୍ରେଣୀର ଲୋକ ଅଛନ୍ତି ଏବଂ ସେମାନଙ୍କର ଲକ୍ଷ୍ୟ ଉଚ୍ଚ ବା ନିମ୍ନ କକ୍ଷର ହୋଇଥାଏ । ଶ୍ରୀକୃଷ୍ଣ ବର୍ତ୍ତମାନ ଚାରିପ୍ରକାର ଗୁଣ ଓ କର୍ମ ବିଷୟରେ ବର୍ଣ୍ଣନା କରୁଛନ୍ତି ।