Bhagavad Gita: Chapter 7, Verse 23

ଅନ୍ତବତ୍ତୁ ଫଳଂ ତେଷାଂ ତଦ୍‌ଭବତ୍ୟଳ୍ପମେଧସାମ୍ ।
ଦେବାନ୍‌ଦେବୟଜୋ ଯାନ୍ତି ମଦ୍‌ଭକ୍ତା ଯାନ୍ତି ମାମପି ।।୨୩।।

ଅନ୍ତବତ୍ - ସୀମିତ ଏବଂ ଅସ୍ଥାୟୀ;ତୁ - କିନ୍ତୁ; ଫଳଂ -ଫଳ; ତେଷାଂ - ସେମାନଙ୍କର; ତତ୍‌- ତାହା; ଭବତି - ହୁଏ; ଅଳ୍ପମେଧସାମ୍ - ଯେଉଁମାନେ ଅଳ୍ପବୁଦ୍ଧିସମ୍ପନ୍ନ; ଦେବାନ୍‌-ଦେବଲୋକକୁ; ଦେବ ଯଜଃ - ଦେବତାମାନଙ୍କର ଉପାସକ; ଯାନ୍ତି -ପ୍ରାପ୍ତ ହୁଅନ୍ତି; ମତ୍‌-ମୋର; ଭକ୍ତାଃ-ଭକ୍ତଗଣ; ଯାନ୍ତି -ପ୍ରାପ୍ତ ହୁଅନ୍ତି; ମାମ୍‌- ମୋତେ; ଅପି-ନିଶ୍ଚିତଭାବେ ।

Translation

BG 7.23: କିନ୍ତୁ ଏହି ଅଳ୍ପଜ୍ଞ ମାନେ ଯେଉଁ ଫଳ ପ୍ରାପ୍ତ କରିଥାଆନ୍ତି, ତାହା ନଶ୍ୱର ଅଟେ । ସ୍ୱର୍ଗର ଦେବତାମାନଙ୍କୁ ପୂଜା କରୁଥିବା ବ୍ୟକ୍ତି, ସ୍ୱର୍ଗପ୍ରାପ୍ତି କରନ୍ତି, ଏବଂ ମୋର ଭକ୍ତମାନେ ମୋ ପାଖକୁ ଆସନ୍ତି ।

Commentary

ଜଣେ ଛାତ୍ର ପାଇଁ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ କରିବାର ଆବଶ୍ୟକତା ରହିଥିଲେ ମଧ୍ୟ, ଏହା ଆଶା କରାଯାଇ ଥାଏ ଯେ, ଦିନେ ସେ  ସେଠାରୁ ଉତ୍ତୀର୍ଣ୍ଣ ହୋଇ ଆଗକୁ ଯିବ । ଯଦି ସେ ସେଠାରେ ଆବଶ୍ୟକତା ଠାରୁ ଅଧିକ ସମୟ ରହିବାକୁ ଇଚ୍ଛାକରେ, ତା’ର ଶିକ୍ଷକ ତାକୁ ସେହି ଦିଗରେ ଉତ୍ସାହିତ ନ କରି ତାକୁ ଜୀବନରେ ଅଗ୍ରସର ହେବାକୁ ପ୍ରେରିତ କରିଥାଆନ୍ତି । ସେହିପରି ସ୍ୱର୍ଗର ଦେବତାମାନଙ୍କର ପୂଜା କରିବାକୁ ଇଚ୍ଛୁକ ନୂତନ ଭକ୍ତମାନଙ୍କର ଶ୍ରଦ୍ଧାକୁ ଶ୍ରୀକୃଷ୍ଣ ସେହି ଦେବତାଙ୍କ ଠାରେ ସ୍ଥିର କରାଇଦିଅନ୍ତି, ଯେପରି ଶ୍ଲୋକ ୭.୨୧ରେ ବର୍ଣ୍ଣନା କରାଯାଇଛି । କିନ୍ତୁ ଭଗବତ୍ ଗୀତା ପ୍ରାଥମିକ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ, ଏବଂ ସେଥିପାଇଁ ସେ ଅର୍ଜୁନଙ୍କୁ ଆଧ୍ୟାତ୍ମିକ ତତ୍ତ୍ୱ ବୁଝିବାକୁ କହୁଛନ୍ତି: “ଜଣେ ଉପାସକ ତାଙ୍କର ଉପାସ୍ୟଙ୍କୁ ପ୍ରାପ୍ତ କରନ୍ତି । ଯେଉଁମାନେ ଦେବତାଙ୍କର ପୂଜା କରନ୍ତି, ମୃତ୍ୟୁପରେ ସେମାନେ ଦେବଲୋକକୁ ଯାଆନ୍ତି । ଯେଉଁମାନେ ମୋତେ ପୂଜା କରନ୍ତି, ସେମାନେ ମୋ ପାଖକୁ ଆସନ୍ତି ।” ଯେହେତୁ ଦେବତାମାନେ ନଶ୍ୱର ଅଟନ୍ତି, ତାଙ୍କ ପୂଜାର ଫଳ ମଧ୍ୟ ନଶ୍ୱର ଅଟେ । କିନ୍ତୁ ଭଗବାନ ଅବିନଶ୍ୱର, ତେଣୁ ତାଙ୍କ ଉପାସନାର ଫଳ ମଧ୍ୟ ଅବିନଶ୍ୱର ଅଟେ । ଭଗବାନଙ୍କର ଭକ୍ତମାନେ ତାଙ୍କର ନିତ୍ୟ ସେବା ଏବଂ ନିତ୍ୟ ଧାମ ପ୍ରାପ୍ତ କରନ୍ତି ।