Bhagavad Gita: Chapter 7, Verse 17

ତେଷାଂ ଜ୍ଞାନୀ ନିତ୍ୟଯୁକ୍ତ ଏକଭକ୍ତିର୍ବିଶିଷ୍ୟତେ ।
ପ୍ରିୟୋ ହି ଜ୍ଞାନିନୋଽତ୍ୟର୍ଥମହଂ ସ ଚ ମମ ପ୍ରିୟଃ ।।୧୭।।

ତେଷାଂ -ସେମାନଙ୍କ ମଧ୍ୟରୁ; ଜ୍ଞାନୀ - ଯିଏ ପୂର୍ଣ୍ଣଜ୍ଞାନ ପ୍ରାପ୍ତ ହୋଇଛି; ନିତ୍ୟ ଯୁକ୍ତଃ -ସର୍ବଦା ମୋଠାରେ ଯୁକ୍ତ; ଏକ - ଅନନ୍ୟ ଭାବରେ; ଭକ୍ତିଃ- ଭକ୍ତି; ବିଶିଷ୍ୟତେ - ପ୍ରଧାନ ଅଟେ; ପ୍ରିୟଃ - ଅତ୍ୟନ୍ତ ପ୍ରିୟ; ହି - ନିଶ୍ଚିତଭାବେ; ଜ୍ଞାନିନଃ - ଜ୍ଞାନୀମାନଙ୍କର; ଅତ୍ୟର୍ଥଂ - ଅତ୍ୟନ୍ତ; ଅହଂ-ମୁଁ; ସଃ -ସେ; ଚ - ଏବଂ; ମମ- ମୋର; ପ୍ରିୟଃ -ପ୍ରିୟ ।

Translation

BG 7.17: ଏମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ଜ୍ଞାନଯୁକ୍ତ ହୋଇ, ନିରନ୍ତର ଓ ଅନନ୍ୟ ଭାବରେ ମୋର ଭକ୍ତି କରନ୍ତି, ମୁଁ ତାଙ୍କୁ ସର୍ବଶ୍ରେଷ୍ଠ ବିଚାର କରିଥାଏ । ମୁଁ ତାଙ୍କର ଅତିପ୍ରିୟ ଏବଂ ସେମାନେ ମଧ୍ୟ ମୋର ଅତିପ୍ରିୟ ଅଟନ୍ତି ।

Commentary

ଯେଉଁମାନେ ଦୁଃଖରେ ସଂତପ୍ତ ହୋଇ, ସାଂସାରିକ ବସ୍ତୁ ପାଇଁ କିମ୍ବା ଉତ୍ସୁକତା ବଶତଃ ଭଗବାନଙ୍କର ଶରଣାଗତ ହୋଇଥାନ୍ତି, ସେମାନେ ସେ ପର୍ଯ୍ୟନ୍ତ ନିଷ୍କାମ ଭକ୍ତି କରି ନ ଥାନ୍ତି । କ୍ରମଶଃ, ଭକ୍ତି ଆଚରଣ ଦ୍ୱାରା, ତାଙ୍କର ଅନ୍ତଃକରଣ ଶୁଦ୍ଧ ହୁଏ ଏବଂ ଭଗବାନଙ୍କ ସହିତ ତାଙ୍କର ନିତ୍ୟ ସମ୍ପର୍କ ବିଷୟରେ ଜ୍ଞାନ ବୃଦ୍ଧି ଲାଭ କରେ । ତାପରେ ଭଗବାନଙ୍କ ପ୍ରତି ତାଙ୍କର ଭକ୍ତି ଏକାଗ୍ର, ଅନନ୍ୟ ଏବଂ ଅବିରଳ ହୋଇଯାଏ । ଯେହେତୁ ସେମାନଙ୍କର ଏହି ଜ୍ଞାନ ହୋଇ ଯାଇଥାଏ ଯେ ସଂସାର ତାଙ୍କର ନୁହେଁ ଏବଂ ସୁଖର ସ୍ରୋତ ମଧ୍ୟ ନୁହେଁ, ସେମାନେ ଅନୁକୁଳ ପରିସ୍ଥିତି ପାଇଁ ଲାଳାୟିତ ହୁଅନ୍ତି ନାହିଁ କିମ୍ବା ପ୍ରତିକୂଳ ପରିସ୍ଥିତିରେ ପଶ୍ଚାତାପ କରନ୍ତି ନାହିଁ । ଏହିପରି ଭାବରେ ସେମାନେ ନିଷ୍କାମ ଭକ୍ତିରେ ସ୍ଥିତ ହୋଇଯାଆନ୍ତି । ଆତ୍ମ ସମର୍ପଣର ଭାବ ନେଇ ସେମାନେ ତାଙ୍କର ଦିବ୍ୟ ପ୍ରିୟତମଙ୍କ ପ୍ରତି ପ୍ରେମର ଅଗ୍ନିରେ ନିଜକୁ ଅର୍ଘ୍ୟରୂପରେ ଅର୍ପଣ କରନ୍ତି । ସେଥିପାଇଁ ଶ୍ରୀକୃଷ୍ଣ କହୁଛନ୍ତି ଯେ ଜ୍ଞାନରେ ସ୍ଥିତ ଏପରି ଭକ୍ତମାନେ ତାଙ୍କର ଅତିପ୍ରିୟ ଅଟନ୍ତି ।