Bhagavad Gita: Chapter 7, Verse 2

ଜ୍ଞାନଂ ତେଽହଂ ସବିଜ୍ଞାନମିଦଂ ବକ୍ଷ୍ୟାମ୍ୟଶେଷତଃ ।
ଯଜ୍‌ଜ୍ଞାତ୍ୱା ନେହ ଭୂୟୋଽନ୍ୟଜ୍‌ଜ୍ଞାତବ୍ୟମବଶିଷ୍ୟତେ ।।୨।।

ଜ୍ଞାନଂ - ଜ୍ଞାନ; ତେ- ତୁମ ଆଗରେ; ଅହଂ-ମୁଁ; ସ - ସହିତ; ବିଜ୍ଞାନଂ -ପ୍ରଜ୍ଞା, ଅନୁଭୂତ ଜ୍ଞାନ; ଇଦଂ - ଏହା; ବକ୍ଷ୍ୟାମି - କହିବି, ବ୍ୟାଖ୍ୟା କରିବି; ଅଶେଷତଃ - ସଂପୂର୍ଣ୍ଣ ଭାବରେ; ଯତ୍ - ଯାହା; ଜ୍ଞାତ୍ୱା - ଜାଣି; ନ - ନାହିଁ; ଇହ - ଏହି ଲୋକରେ; ଭୂୟଃ - ପୁଣି; ଅନ୍ୟତ୍ - ଆଉ କିଛି ଅଧିକ; ଜ୍ଞାତବ୍ୟମ୍ - ଜାଣିବା ଯୋଗ୍ୟ; ଅବଶିଷ୍ୟତେ -ବାକିରହେ ।

Translation

BG 7.2: ବର୍ତ୍ତମାନ ମୁଁ ତୁମ ସମ୍ମୁଖରେ ଏହି ଜ୍ଞାନ ଓ ବିଜ୍ଞାନର ସମ୍ପୂର୍ଣ୍ଣ ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି, ଯାହା ଜାଣିବା ପରେ ଏହି ସଂସାରରେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ ।

Commentary

ଯେଉଁ ବିଦ୍ୟାକୁ ଇନ୍ଦ୍ରିୟ, ମନ ଓ ବୁଦ୍ଧି ଦ୍ୱାରା ଗ୍ରହଣ କରାଯାଏ, ତାହାକୁ ଜ୍ଞାନ କୁହାଯାଏ । ଆଧ୍ୟାତ୍ମିକ ସାଧନା ଦ୍ୱାରା ଅନ୍ତର୍ଦୃଷ୍ଟି ଯୁକ୍ତ ହୋଇ ଯେଉଁ ଜ୍ଞାନର ହୃଦ୍‌ବୋଧ ହୁଏ, ତାହା ବିଜ୍ଞାନ ଅଟେ । ବିଜ୍ଞାନ କେବଳ ବୌଦ୍ଧିକ ଜ୍ଞାନ ନୁହେଁ, ଏହା ପ୍ରତ୍ୟକ୍ଷ ଅନୁଭବାତ୍ମକ ଉପଲବ୍‌ଧି  ଅଟେ । ଉଦାହରଣ ସ୍ୱରୂପ, ଗୋଟିଏ ବୋତଲ ଭିତରେ ରଖାଯାଇଥିବା ମହୁର ମଧୁରତା ସମ୍ପର୍କରେ ଆମେ ଶୁଣିଥିବା, କିନ୍ତୁ ତାହା କେବଳ  ଶାବ୍ଦିକ ଜ୍ଞାନ ଅଟେ । ଯେତେବେଳେ ଆମେ ବୋତଲର ଠିପି ଖୋଲି, ଭିତରେ ଥିବା ମହୁର ଆସ୍ୱାଦନ କରିଥାଏ, ସେତେବେଳେ ଆମେ ତାହାର ମଧୁରତା ସମ୍ପର୍କରେ ଅନୁଭବାତ୍ମକ ଜ୍ଞାନ ପାଇଥାଏ । ସେହିପରି ଗୁରୁଙ୍କ ଠାରୁ ଏବଂ ଶାସ୍ତ୍ର ମାନଙ୍କରୁ ଆମେ ଯେଉଁ ଜ୍ଞାନ ପ୍ରାପ୍ତ କରିଥାଏ, ତାହା ‘ଜ୍ଞାନ’ ଅଟେ । ଯେତେବେଳେ ସେହି ଜ୍ଞାନ ଅନୁସାରେ ଆମେ ସାଧନାର ଅଭ୍ୟାସ କରି ମନକୁ ଶୁଦ୍ଧ କରିଥାଏ, ସେତେବେଳେ ଆମ ଭିତରେ ଉପଲବ୍‌ଧି ଭାବରେ ଯେଉଁ ଜ୍ଞାନର ଉଦ୍ରେକ ହୋଇଥାଏ, ତାହା ହିଁ ‘ବିଜ୍ଞାନ’ ଅଟେ ।

ଯେତେବେଳେ ମହର୍ଷି ବେଦବ୍ୟାସ ଭକ୍ତିର ଗୁଣ, ଯଶ, ଓ ଉପାସ୍ୟଙ୍କର ବର୍ଣ୍ଣନା କରି ‘ଶ୍ରୀମଦ୍ ଭାଗବତମ୍‌’ ରଚନା କରିବାକୁ ମନସ୍ଥ କଲେ, ସେ ଜ୍ଞାନର ଆଧାରରେ ତାହାର ରଚନା କରି ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ସେଥିପାଇଁ ସେ ପ୍ରଥମେ ଭକ୍ତି ସାଧନା କରି ଭଗବତ୍ ଅନୁଭୂତି ପ୍ରାପ୍ତ କଲେ ।

ଭକ୍ତି-ଯୋଗେନ ମନସି ସମ୍ୟକ୍ ପ୍ରଣିହିତେଽମଲେ
ଅପଶ୍ୟତ୍ ପୁରୁଷଂ ପୂର୍ବଂ ମାୟାଂ ଚ ତଦ୍‌-ଅପାଶ୍ରୟାମ୍ ।” (ଭାଗବତମ୍‌:୧.୭.୪)

ଭକ୍ତି ଯୋଗଦ୍ୱାରା ବେଦବ୍ୟାସ ତାଙ୍କର ମନକୁ, ମାୟିକ ଭାବନାରୁ ମୁକ୍ତ କରି, ଭଗବାନଙ୍କଠାରେ କେନ୍ଦ୍ରିତ କଲେ ଏବଂ ଏହିପରି ଭାବରେ ପରମ ପୁରୁଷ ଭଗବାନଙ୍କର ପୂର୍ଣ୍ଣ ଦର୍ଶନ ଓ ଅନୁଭବ ପ୍ରାପ୍ତ କରିବା ସହିତ, ସେ ତାଙ୍କର ହିଁ ଅଧୀନସ୍ଥ ତାଙ୍କ ବହିରଙ୍ଗ ମାୟା ଶକ୍ତିର ଦର୍ଶନ ମଧ୍ୟ କରିଥିଲେ ।” ଏହି ଅନୁଭବର ଆଧାରରେ, ସେ ସେହି ପ୍ରସିଦ୍ଧ ଗ୍ରନ୍ଥର ରଚନା କଲେ ।

ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ, ସେ ଅର୍ଜୁନଙ୍କୁ ପରତତ୍ତ୍ୱ ସମ୍ବନ୍ଧୀୟ ସମସ୍ତ ସୈଦ୍ଧାନ୍ତିକ ଦିବ୍ୟ ଜ୍ଞାନ ଦ୍ୱାରା ଉଦ୍‌ଭାସିତ କରିବେ ଏବଂ ଅନୁଭବାତ୍ମକ ଜ୍ଞାନ ପ୍ରାପ୍ତି ଦିଗରେ ମଧ୍ୟ ତାଙ୍କର ସହାୟତା କରିବେ । ସେହି ଜ୍ଞାନ ପ୍ରାପ୍ତ କରି, ତାଙ୍କ ପାଇଁ ଆଉ କିଛି ଜାଣିବା ବାକି ରହିବ ନାହିଁ ।