ଏତଦ୍ୟୋନୀନି ଭୂତାନି ସର୍ବାଣୀତ୍ୟୁପଧାରୟ ।
ଅହଂ କୃତ୍ସ୍ନସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା ।।୬।।
ଏତତ୍ - ଏହି ଦୁଇଟି ଶକ୍ତି; ଯୋନିନୀ - ଜନ୍ମର ମୂଳ; ଭୂତାନି -ପ୍ରାଣୀ; ସର୍ବାଣି - ସମସ୍ତ; ଇତି - ଏହିପରି; ଉପଧାରୟ -ଜାଣ; ଅହଂ -ମୁଁ; କୃତ୍ସ୍ନସ୍ୟ - ସମଗ୍ର; ଜଗତଃ - ଜଗତର; ପ୍ରଭବଃ - ମୂଳ; ପ୍ରଳୟଃ - ପ୍ରଳୟ ବା ଧ୍ୱଂସ; ତଥା -ତଥା ।
Translation
BG 7.6: ସମସ୍ତ ପ୍ରାଣୀ ମୋର ଏହି ଦୁଇ ଶକ୍ତି ଦ୍ୱାରା ପ୍ରକଟିତ ହୋଇଛନ୍ତି । ମୁଁ ସମଗ୍ର ସୃଷ୍ଟିର ଉତ୍ସ ଏବଂ ମୋଠାରେ ଏହାର ପୁନର୍ବାର ବିଲୟ ହୋଇଯିବ ।
Commentary
ଭୌତିକ ଜଗତରେ ସମସ୍ତ ଜୀବଙ୍କର ସୃଷ୍ଟି ଆତ୍ମା ଓ ବସ୍ତୁର ସମ୍ମିଶ୍ରଣରେ ହୋଇଥାଏ । ବସ୍ତୁ ନିଜେ ଜଡ଼ ଅଟେ; ଆତ୍ମା ଶରୀର ରୂପରେ ଏକ ବାହନ ଆବଶ୍ୟକ କରେ । ଏହି ଦୁଇଟିର ସମ୍ମିଶ୍ରଣରେ ପ୍ରାଣୀଙ୍କର ଉତ୍ପତ୍ତି ହୋଇଥାଏ ।
ଭଗବାନ ଏହି ଦୁଇ ଶକ୍ତିର ଉତ୍ସ ଅଟନ୍ତି; ସମସ୍ତ ସୃଷ୍ଟି ତାଙ୍କଠାରୁ ପ୍ରକାଶିତ ହୁଏ । ବ୍ରହ୍ମାଙ୍କର ୧୦୦ବର୍ଷ ଆୟୁ ସମାପ୍ତ ହେଲେ ସୃଷ୍ଟିର ଚକ୍ର ପୂର୍ଣ୍ଣ ହୋଇଥାଏ, ସେତେବେଳେ ଭଗବାନ ସୃଷ୍ଟିର ବିଲୟ କରିଦିଅନ୍ତି । ପଞ୍ଚ ସ୍ତୁଳ ତତ୍ତ୍ୱ ପଞ୍ଚ ସୂକ୍ଷ୍ମ ତତ୍ତ୍ୱରେ ଲୀନ ହୋଇଯାନ୍ତି, ପଞ୍ଚ ସୂକ୍ଷ୍ମ ତତ୍ତ୍ୱ ଅହଂକାରରେ ମିଶିଯାନ୍ତି; ଅହଂକାର ମହାନ୍ରେ ଲୀନ ହୁଏ, ମହାନ ପ୍ରକୃତିରେ ଲୀନ ହୁଏ, ପ୍ରକୃତି ମହାବିଷ୍ଣୁଙ୍କ (ଭଗବାନଙ୍କର ଏକ ସ୍ୱରୂପ) ଶରୀରରେ ସମାହିତ ହୋଇଯାନ୍ତି । ଏହି ସୃଷ୍ଟିଚକ୍ରରେ ଯେଉଁ ଜୀବ ମୁକ୍ତ ହୋଇ ନ ଥାନ୍ତି, ସେମାନେ ମଧ୍ୟ ଅପ୍ରକଟିତ ରୂପରେ ଭଗବାନଙ୍କ ଶରୀରରେ ସମାହିତ ହୋଇ ପରବର୍ତ୍ତୀ ସୃଷ୍ଟି ଚକ୍ରକୁ ଅପେକ୍ଷା କରିଥାନ୍ତି । ପୁଣିଥରେ ଭଗବାନ ଯେତେବେଳେ ସୃଷ୍ଟି କରିବାକୁ ଇଚ୍ଛା ପ୍ରକାଶ କରନ୍ତି, ଏହି ଚକ୍ର ଆରମ୍ଭ ହୋଇଥାଏ (ଶ୍ଲୋକ ୭.୪ରେ ବର୍ଣ୍ଣିତ ହୋଇଥିବା ପରି) ଏବଂ ସଂସାର ସୃଷ୍ଟି ହୋଇଥାଏ । ଅତଏବ, ଭଗବାନ ସମଗ୍ର ସୃଷ୍ଟିର ଉତ୍ସ, ଆଶ୍ରୟ, ଶେଷ ଏବଂ ବିଶ୍ରାମ ସ୍ଥଳ ଅଟନ୍ତି ।