Bhagavad Gita: Chapter 7, Verse 1

ଶ୍ରୀ ଭଗବାନ ଉବାଚ
ମୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନ୍ମଦାଶ୍ରୟଃ ।
ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସି ତଚ୍ଛୃଣୁ ।।୧।।

ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; ମୟି -ମୋ’ଠାରେ; ଆସକ୍ତ-ମନାଃ -ମନକୁ ଆସକ୍ତ କରି; ପାର୍ଥ - ହେ ପୃଥା ପୁତ୍ର; ଯୋଗଂ - ଭକ୍ତିଯୋଗ; ଯୁଞ୍ଜନ୍ -ଅଭ୍ୟାସ କରି; ମତ୍‌-ଆଶ୍ରୟଃ - ମୋ’ର ଶରଣାଗତି କରି; ଅସଂଶୟଂ - ନିଃସନ୍ଦେହରେ; ସମଗ୍ରଂ - ସମ୍ପୂର୍ଣ୍ଣରୂପେ; ମାଂ - ମୋତେ; ଯଥା - ଯେପରି; ଜ୍ଞାସ୍ୟସି -ଜାଣିପାରିବ; ତତ୍ - ତାହା; ଶୃଣୁ -ଶୁଣ ।

Translation

BG 7.1: ଭଗବାନ କହିଲେ, ହେ ଅର୍ଜୁନ! ବର୍ତ୍ତମାନ ଶୁଣ, କେବଳ ମୋଠାରେ ହିଁ ମନକୁ କେନ୍ଦ୍ରିତ କରି, ଭକ୍ତି ଯୋଗର ସାଧନା ଦ୍ୱାରା ମୋର ଶରଣାଗତ ହେଲେ, ଏହା ନିଃସନ୍ଦେହ ଯେ ତୁମେ ମୋତେ ସମ୍ପୂର୍ଣ୍ଣ ଭାବେ ଜାଣିପାରିବ ।

Commentary

୬ଷ୍ଠ ଅଧ୍ୟାୟରେ ଶେଷରେ ଶ୍ରୀକୃଷ୍ଣ ଘୋଷଣା କରିଥିଲେ ଯେ, ଯେଉଁ ବ୍ୟକ୍ତି ମନକୁ କେବଳ ତାଙ୍କଠାରେ କେନ୍ଦ୍ରିତ କରି, ଭକ୍ତି ଭାବପୂର୍ଣ୍ଣ ହୋଇ ତାଙ୍କର ସେବା କରନ୍ତି, ଯୋଗୀମାନଙ୍କ ମଧ୍ୟରେ ସେ ସର୍ବଶ୍ରେଷ୍ଠ ଅଟନ୍ତି । ଭଗବାନଙ୍କର ଏହି ଉକ୍ତି ସ୍ୱତଃ କିଛି ଜିଜ୍ଞାସା ଉତ୍ପନ୍ନ କରିଥାଏ, ଯଥା: ପରମାତ୍ମାଙ୍କୁ ଜାଣିବାର ଉପାୟ କ’ଣ? ଜଣେ ତାଙ୍କର ଧ୍ୟାନ କିପରି କରିବ? ଜଣେ ସାଧକ ଭଗବାନଙ୍କୁ କେମିତି ପୂଜା କରିବ? ଯଦିଓ ଅର୍ଜୁନ ଏସବୁ ପ୍ରଶ୍ନ ପଚାରିନାହାନ୍ତି, ତଥାପି ଭଗବାନ ଦୟାପୂର୍ବକ, ତାହାର ଉତ୍ତର ଦେବାକୁ ଯାଉଛନ୍ତି । ସେ ‘ଶୃଣୁ’ ଶବ୍ଦ ପ୍ରୟୋଗ କରିଛନ୍ତି ଯାହାର ଅର୍ଥ ‘ଶୁଣ’ ଏବଂ ତା’ ସହିତ ବିଶେଷଣ ଲଗାଇଛନ୍ତି ‘ମଦ୍ ଆଶ୍ରୟ’ ଅର୍ଥାତ୍ ‘ମନକୁ ମୋ ଠାରେ କେନ୍ଦ୍ରିତ କରି’ ।