Bhagavad Gita: Chapter 7, Verse 24

ଅବ୍ୟକ୍ତଂ ବ୍ୟକ୍ତିମାପନ୍ନଂ ମନ୍ୟନ୍ତେ ମାମବୁଦ୍ଧୟଃ ।
ପରଂ ଭାବମଜାନନ୍ତୋ ମମାବ୍ୟୟମନୁତ୍ତମମ୍ ।।୨୪।।

ଅବ୍ୟକ୍ତଂ - ନିରାକାର; ବ୍ୟକ୍ତିଂ - ବ୍ୟକ୍ତିତ୍ୱ; ଆପନ୍ନଂ - ପ୍ରାପ୍ତ କରି; ମନ୍ୟନ୍ତେ -ମନେ କରନ୍ତି; ମାମ୍ - ମୋତେ; ଅବୁଦ୍ଧୟଃ - ଅଳ୍ପଜ୍ଞ; ପରଂ -ପରମ; ଭାବଂ- ଭାବ; ଅଜାନନ୍ତଃ - ନ ଜାଣି; ମମ- ମୋର; ଅବ୍ୟୟଂ - ଅବ୍ୟୟ; ଅନୁତ୍ତମମ୍ - ଅତି ଉତ୍ତମ ।

Translation

BG 7.24: ସ୍ୱଳ୍ପବୁଦ୍ଧି ସମ୍ପନ୍ନ ବ୍ୟକ୍ତିମାନେ ଏପରି ଭାବିଥାନ୍ତି ଯେ ମୁଁ, ପରଂବ୍ରହ୍ମ ଶ୍ରୀକୃଷ୍ଣ, ପୂର୍ବରୁ ନିରାକାର ଥିଲି, ଏବଂ ବର୍ତ୍ତମାନ ଏହି ସାକାର ସ୍ୱରୂପ ଧାରଣ କରିଛି । ମୋ ସାକାର ସ୍ୱରୂପର “ଅବିନଶ୍ୱର ଓ ଅତ୍ୟୁତ୍ତମ” ଗୁଣ ବିଷୟରେ ସେମାନେ ଜାଣନ୍ତି ନାହିଁ ।

Commentary

କେତେଜଣ ବ୍ୟକ୍ତି ଦୃଢ଼ତାର ସହ ଦାବି କରନ୍ତି ଯେ ଭଗବାନ କେବଳ ନିରାକାର ଅଟନ୍ତି । ପୁଣି ଅନ୍ୟ କେତେ ଜଣ ସେତିକି ଦୃଢ଼ତାର ସହ ବ୍ରହ୍ମ କେବଳ ସାକାର ବୋଲି କହିଥାନ୍ତି । ଉଭୟ ମନ୍ତବ୍ୟ ସୀମିତ ଓ ଅସମ୍ପୂର୍ଣ୍ଣ ଅଟେ । ଭଗବାନ ପରିପୂର୍ଣ୍ଣ ଏବଂ ଦୋଷରହିତ ଅଟନ୍ତି । ସୁତରାଂ, ସେ ଉଭୟ ନିରାକାର ଓ ସାକାର ଅଟନ୍ତି । ଏହା ଶ୍ଲୋକ ୪.୫ ଓ ୪.୬ର ଭାଷ୍ୟରେ ବର୍ଣ୍ଣନା କରାଯାଇଛି ।

ଯେଉଁମାନେ ଭଗବାନଙ୍କ ବ୍ୟକ୍ତିତ୍ୱର ଉଭୟ ଦିଗକୁ ସ୍ୱୀକାର କରନ୍ତି, ସେମାନେ ମଧ୍ୟ ଅନେକ ସମୟରେ ତାଙ୍କର ମୂଳ ସ୍ୱରୂପକୁ ନେଇ ତର୍କ କରିଥଆନ୍ତି । କେଉଁଟି ମୂଳ? ଭଗବାନ ସାକାରରୁ ନିରାକାର ହୋଇଥାଆନ୍ତି ନା ନିରାକାରରୁ ସାକାର? ଶ୍ରୀକୃଷ୍ଣ ଏଠାରେ ଏହି ତର୍କର ସମାଧାନ କରି କହୁଛନ୍ତି ଯେ ଦିବ୍ୟରୂପ ଅନାଦି ଅଟେ - ଏହା ନିରାକାର ବ୍ରହ୍ମଙ୍କ ଠାରୁ ପ୍ରକଟ ହୋଇନାହିଁ । ଭଗବାନ ଅନାଦି କାଳରୁ ତାଙ୍କର ଦିବ୍ୟ ସ୍ୱରୂପରେ ରହିଛନ୍ତି । ନିରାକାର ବ୍ରହ୍ମ ତାଙ୍କ ଦିବ୍ୟ ଶରୀରରୁ ନିର୍ଗତ ହେଉଥିବା ତେଜ ଅଟେ ।

ପଦ୍ମ ପୁରାଣ କହେ:

ଯନ୍ନଖେନ୍ଦୁରୁଚିର୍ ବ୍ରହ୍ମ ଧ୍ୟେୟଂ ବ୍ରହ୍ମାଦିଭିଃ ସୁରୈଃ
ଗୁଣତ୍ରୟମତୀତଂ ତଂ ବନ୍ଦେ ବୃନ୍ଦାବନେଶ୍ୱରମ୍ । (ପାତାଳ ଖଣ୍ଡ ୭୭.୬୦)

“ଭଗବାନଙ୍କ ପାଦର ବୃଦ୍ଧାଙ୍ଗୁଳିର ନଖରୁ ନିର୍ଗତ ତେଜକୁ ଜ୍ଞାନୀମାନେ ବ୍ରହ୍ମ ରୂପରେ ଉପାସନା କରନ୍ତି ।”

ବାସ୍ତବରେ ଭଗବାନଙ୍କର ନିରାକାର ଏବଂ ସାକାର ରୂପ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏମାନଙ୍କ ମଧ୍ୟରୁ କୌଣସି ଗୋଟିଏ ବଡ଼ ଏବଂ ଅନ୍ୟଟି ଛୋଟ, ଏପରି ନୁହେଁ । ନିରାକାର ବ୍ରହ୍ମ ସ୍ୱରୂପରେ, ଭଗବାନଙ୍କର ସମସ୍ତ ଶକ୍ତି ନିହିତ ଥାଏ, କିନ୍ତୁ ତାହା ଅବ୍ୟକ୍ତ ଅବସ୍ଥାରେ ଥାଏ । ତାଙ୍କର ସାକାର ସ୍ୱରୂପରେ, ନାମ, ରୂପ, ଲୀଳା, ଗୁଣ, ଧାମ ଏବଂ ପରିକର ଇତ୍ୟାଦି ସହ ତାଙ୍କର ସମସ୍ତ ଦିବ୍ୟଶକ୍ତି ପ୍ରକଟିତ ହୋଇଥାଏ । ତାହେଲେ, ଲୋକମାନେ ଭଗବାନଙ୍କୁ କାହିଁକି ଜଣେ ସାଧାରଣ ମନୁଷ୍ୟ ମନେ କରିଥାନ୍ତି? ଏହି ପ୍ରଶ୍ନର ଉତ୍ତର ପରବର୍ତ୍ତୀ ଶ୍ଳୋକରେ ଦିଆଯାଇଛି ।