Bhagavad Gita: Chapter 7, Verse 16

ଚତୁର୍ବିଧା ଭଜନ୍ତେ ମାଂ ଜନାଃ ସୁକୃତିନୋଽର୍ଜୁନ ।
ଆର୍ତୋ ଜିଜ୍ଞାସୁରର୍ଥାର୍ଥୀ ଜ୍ଞାନୀ ଚ ଭରତର୍ଷଭ ।।୧୬।।

ଚତୁର୍ବିଧା- ଚାରିପ୍ରକାର; ଭଜନ୍ତେ - ଭଜନ କରନ୍ତି (ଭକ୍ତି କରନ୍ତି); ମାଂ - ମୋତେ; ଜନାଃ- ଲୋକମାନେ; ସୁକୃତିନଃ- ଯେଉଁମାନେ ଧାର୍ମିକ; ଅର୍ଜୁନ- ହେ ଅର୍ଜୁନ; ଆର୍ତଃ - ପୀଡ଼ିତ; ଜିଜ୍ଞାସୁଃ - ଜ୍ଞାନ ପିପାସୁ; ଅର୍ଥ-ଅର୍ଥୀ- ଯିଏ ଭୌତିକ ଲାଭ ଇଚ୍ଛାକରେ; ଜ୍ଞାନୀ - ଜ୍ଞାନଯୁକ୍ତ; ଚ- ଏବଂ; ଭରତର୍ଷଭ - ହେ ଭରତଶ୍ରେଷ୍ଠ ।

Translation

BG 7.16: ହେ ଭାରତ ଶ୍ରେଷ୍ଠ! ଚାରି ପ୍ରକାରର ଧର୍ମପରାୟଣ ବ୍ୟକ୍ତି ମୋର ଭକ୍ତି କରନ୍ତି - ଦୁଃଖୀ ବ୍ୟକ୍ତି, ଜ୍ଞାନ ପିପାସୁ, ଭୌତିକ ଲାଭର ଅଭିଳାଷୀ ଏବଂ ଜ୍ଞାନୀ ।

Commentary

କେଉଁ ସ୍ୱଭାବଯୁକ୍ତ ବ୍ୟକ୍ତିମାନେ ତାଙ୍କର ଶରଣାଗତ ହୁଅନ୍ତି ନାହିଁ, ତାହା ବର୍ଣ୍ଣନା କରିବା ପରେ ଶ୍ରୀକୃଷ୍ଣ ବର୍ତ୍ତମାନ କେଉଁ ସ୍ୱଭାବର ବ୍ୟକ୍ତିମାନେ ତାଙ୍କର ଶରଣାଗତ ହୁଅନ୍ତି ତାହା ବର୍ଣ୍ଣନା କରିଛନ୍ତି ।

୧. ଦୁଃଖୀ ବ୍ୟକ୍ତି - କେତେକ ବ୍ୟକ୍ତିଙ୍କ ପାଇଁ ସଂସାରର କ୍ଲେଶ ଯେତେବେଳେ ଅତ୍ୟଧିକ ହୋଇଯାଏ, ସେମାନେ ଅନୁଭବ କରନ୍ତି ଯେ ସଂସାର ପଛରେ ଗୋଡ଼ାଇବା ନିରର୍ଥକ ଅଟେ; ତେଣୁ ଭଗବାନଙ୍କର ଶରଣ ଗ୍ରହଣ କରିବା ଶ୍ରେୟସ୍କର । ସେହିପରି ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ସଂସାର ସେମାନଙ୍କୁ ସୁରକ୍ଷା ପ୍ରଦାନ କରିପାରୁନାହିଁ, ସେମାନେ ସୁରକ୍ଷା ପାଇଁ ଭଗବାନଙ୍କର ଅବଲମ୍ବନ ଗ୍ରହଣ କରିଥାଆନ୍ତି । ଦ୍ରୌପଦୀଙ୍କର ଶରଣାଗତି ଏହାର ଏକ ଉଦାହରଣ ଅଟେ । କୌରବମାନଙ୍କର ସଭାରେ ଯେତେବେଳେ ଦ୍ରୌପଦୀଙ୍କର ବସ୍ତ୍ରହରଣ କରାଯାଉଥିଲା, ସେ ପ୍ରଥମେ ନିଜ ସ୍ୱାମୀମାନଙ୍କର ସହାୟତା ଲୋଡ଼ିଥିଲେ । ସେମାନେ ଯେତେବେଳେ ନୀରବ ରହିଲେ, ସେ ସଭାରେ ଉପସ୍ଥିତ ଗୁରୁଜନ - ଦ୍ରୋଣାଚାର୍ଯ୍ୟ, କୃପାଚାର୍ଯ୍ୟ, ଭୀଷ୍ମ ଏବଂ ବିଦୁର ଆଦିଙ୍କର ସାହାଯ୍ୟ ଭିକ୍ଷା କରିଥିଲେ । ଯେତେବେଳେ ସେମାନେ ମଧ୍ୟ ତାଙ୍କୁ ସୁରକ୍ଷା ପ୍ରଦାନ କଲେ ନାହିଁ, ଦ୍ରୌପଦୀ ତାଙ୍କର ଶାଢ଼ୀକୁ ଦାନ୍ତରେ ଦବାଇ ରଖି, ନିଜେ ନିଜର ରକ୍ଷା କରିବାକୁ ଚେଷ୍ଟା କଲେ । ସେପର୍ଯ୍ୟନ୍ତ, ଦ୍ରୌପଦୀଙ୍କର ରକ୍ଷା କରିବା ପାଇଁ ଶ୍ରୀକୃଷ୍ଣ ଆସି ନ ଥିଲେ । ଶେଷରେ ଯେତେବେଳେ ଦୁଃଶାସନଙ୍କର ଏକ ଝଟକାରେ ଦ୍ରୌପଦୀଙ୍କ ଦାନ୍ତରୁ ବସ୍ତ୍ର ଖସିବାକୁ ଲାଗିଲା, ସେତେବେଳେ ଅନ୍ୟ ସବୁ ଅବଲମ୍ବ ତ୍ୟାଗ କରି ସେ ଶ୍ରୀକୃଷ୍ଣଙ୍କର ପୂର୍ଣ୍ଣ ଶରଣାଗତ ହୋଇଗଲେ । ଶ୍ରୀକୃଷ୍ଣ ଅବିଳମ୍ବେ ତାଙ୍କୁ ସୁରକ୍ଷା ପ୍ରଦାନ କରି ତାଙ୍କ ଶାଢ଼ୀର ଦୈର୍ଘ୍ୟକୁ ବଢ଼ାଇ ଦେଇଥିଲେ । ଦୁଃଶାସନ ଯେତେ ଟାଣିଲେ ମଧ୍ୟ, ଦ୍ରୌପଦୀଙ୍କୁ ଉଲଗ୍ନ କରିବାର ବିଫଳ ହୋଇଥିଲା ।

୨. ଜ୍ଞାନ ପିପାସୁ - କେତେକ ବ୍ୟକ୍ତି ଜିଜ୍ଞାସାବଶତଃ ଭଗବାନଙ୍କର ଶରଣାଗତ ହୋଇଥାନ୍ତି । ସେମାନେ ଶୁଣିବାକୁ ପାଆନ୍ତି ଯେ ଅନେକ ବ୍ୟକ୍ତି ଆଧ୍ୟାତ୍ମିକ କ୍ଷେତ୍ରରେ ସ୍ୱର୍ଗୀୟ ସୁଖ ଅନୁଭବ କରିଥାଆନ୍ତି । ଏହା ସେମାନଙ୍କୁ ସେ ବିଷୟରେ ଅଧିକ ଜାଣିବାକୁ ଉତ୍ସୁକ କରେ । ନିଜର ଉତ୍ସୁକତାକୁ ସନ୍ତୁଷ୍ଟ କରିବା ପାଇଁ ସେମାନେ ଭଗବାନଙ୍କ ଅଭିମୁଖରେ ଯାଇଥାନ୍ତି ।

୩. ଭୌତିକ ଲାଭର ଅଭିଳାଷୀ - ଅନ୍ୟ ଏକ ଗୋଷ୍ଠୀର ବ୍ୟକ୍ତି ସେମାନଙ୍କର ଚାହିଦା ବିଷୟରେ ବେଶ୍ ସଚେତନ ଏବଂ ସେମାନେ ଏକଥା ମଧ୍ୟ ଜାଣିଥାନ୍ତି ଯେ କେବଳ ଭଗବାନ ହିଁ ତାଙ୍କୁ ଏସବୁ ପ୍ରଦାନ କରି ପାରିବେ । ତେଣୁ ସେମାନେ ଭଗବାନଙ୍କର ଆଶ୍ରୟ ଇଚ୍ଛାକରନ୍ତି । ଉଦାହରଣ ସ୍ୱରୂପ: ଧ୍ରୁବ, ତାଙ୍କ ପିତା ଉତ୍ତାନପାଦଙ୍କଠାରୁ ଅଧିକ ଶକ୍ତିଶାଳୀ ହେବା ପାଇଁ, ଭକ୍ତି କରିବାକୁ ଆରମ୍ଭ କରିଥିଲେ । ତାଙ୍କର ଭକ୍ତି ଯେତେବେଳେ ପରିପକ୍ୱ ହେଲା ଏବଂ ଶେଷରେ ଭଗବାନ ତାଙ୍କୁ ଦର୍ଶନ ଦେଲେ, ସେ ହୃଦୟଙ୍ଗମ କଲେ ଯେ ସେ ଯାହା ପାଇବାକୁ ଚାହୁଁଛନ୍ତି ତାହା, ଦିବ୍ୟପ୍ରେମରୂପୀ ଅମୂଲ୍ୟ ହୀରାର ଅଧିକାରୀଙ୍କ ଠାରୁ ଏକ କାଚଖଣ୍ଡ ମାଗିବା ସଦୃଶ ଅଟେ । ତାପରେ ତାଙ୍କୁ ବିଶୁଦ୍ଧ ନିଃଷ୍କାମ ଭକ୍ତି ପ୍ରଦାନ କରିବାକୁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ ।

୪. ଜ୍ଞାନୀ - ଶେଷରେ, ସଂସାରରେ ଏପରି ଜୀବ ଅଛନ୍ତି, ଯେଉଁମାନେ ବୁଝି ପାରିଥାଆନ୍ତି ଯେ ସେମାନେ ଭଗବାନଙ୍କର କ୍ଷୁଦ୍ର ଅଂଶ ଅଟନ୍ତି ଏବଂ ଭଗବାନଙ୍କୁ ପ୍ରେମ କରିବା ଏବଂ ଭକ୍ତି କରିବା ସେମାନଙ୍କର ସ୍ୱାଭାବିକ ନିତ୍ୟ ଧର୍ମ ଅଟେ ।

ଶ୍ରୀକୃଷ୍ଣ କହୁଛନ୍ତି ଯେ ଏହିପରି ଚାରି ପ୍ରକାରର ବ୍ୟକ୍ତି ତାଙ୍କର ଭକ୍ତି କରିଥାଆନ୍ତି ।