Bhagavad Gita: Chapter 7, Verse 26

ବେଦାହଂ ସମତୀତାନି ବର୍ତମାନାନି ଚାର୍ଜ୍ଜୁନ ।
ଭବିଷ୍ୟାଣି ଚ ଭୂତାନି ମାଂ ତୁ ବେଦ ନ କଶ୍ଚନ ।।୨୬।।

ବେଦ - ଜାଣେ; ଅହଂ-ମୁଁ; ସମ-ସମାନଭାବରେ; ଅତୀତାନି - ଅତୀତ; ବର୍ତ୍ତମାନାନି -ବର୍ତ୍ତମାନ; ଚ -ଏବଂ; ଅର୍ଜୁନ - ହେ ଅର୍ଜୁନ; ଭବିଷ୍ୟାଣି - ଭବିଷ୍ୟତ; ଚ- ଏବଂ; ଭୂତାନି -ଜୀବଗଣ; ମାଂ - ମୋତେ; ତୁ -କିନ୍ତୁ; ବେଦ-ଜାଣନ୍ତି; ନ -ନାହିଁ; କଶ୍ଚନ- କେହି ।

Translation

BG 7.26: ହେ ଅର୍ଜୁନ! ମୁଁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣେ ଏବଂ ମୁଁ ସମସ୍ତ ପ୍ରାଣୀଙ୍କୁ ମଧ୍ୟ ଜାଣେ; କିନ୍ତୁ କେହି ମୋତେ ଜାଣନ୍ତି ନାହିଁ ।

Commentary

ଭଗବାନ ସର୍ବଜ୍ଞ ଅଟନ୍ତି । ସେ ଏଠାରେ ଘୋଷଣା କରୁଛନ୍ତି ଯେ ସେ ତ୍ରିକାଳଦର୍ଶୀ ଅଟନ୍ତି, ଅର୍ଥାତ୍ ସେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଜାଣନ୍ତି । କିଛି ଘଣ୍ଟା ପୂର୍ବରୁ ଆମେ କ’ଣ ଚିନ୍ତା କରୁଥିଲୁ, ତାହା ଆମେ ଭୁଲିଯାଇ ଥାଏ । କିନ୍ତୁ ଭଗବାନ ବ୍ରହ୍ମାଣ୍ଡର ପ୍ରତ୍ୟେକ ଜୀବର,  ଅନନ୍ତ ଜନ୍ମର ପ୍ରତିକ୍ଷଣର ବିଚାର, ବଚନ ଓ କର୍ମକୁ ମନେ ରଖନ୍ତି । ଏସବୁ ପ୍ରତ୍ୟେକ ଜୀବର ସଞ୍ôଚତ କର୍ମ (ଅନନ୍ତ ଜନ୍ମର କର୍ମର ଭଣ୍ଡାର) ଅଟେ । ଭଗବାନଙ୍କୁ ଏହି ହିସାବ ରଖିବାକୁ ପଡ଼ିଥାଏ, ଯଦ୍ୱାରା କର୍ମର ନିୟମ ଅନୁସାରେ ସେ ନ୍ୟାୟ ପ୍ରଦାନ କରିପାରିବେ । ତେଣୁ ସେ କହୁଛନ୍ତି ଯେ ସେ ଜୀବର ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣନ୍ତି । ମୁଣ୍ଡକୋ ଉପନିଷଦ କହେ:

ଯଃ ସର୍ବଜ୍ଞଃ ସର୍ବବିଦ୍ୟସ୍ୟ ଜ୍ଞାନମୟଂ ତପଃ (୧.୧.୯)

“ଭଗବାନ ସର୍ବଜ୍ଞ ଏବଂ ସର୍ବବ୍ୟାପୀ ଅଟନ୍ତି । ତାଙ୍କର ତପସ୍ୟା ଜ୍ଞାନଯୁକ୍ତ ଅଟେ ।”

ଏହି ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ସେ ସମସ୍ତଙ୍କୁ ଜାଣନ୍ତି କିନ୍ତୁ କେହି ତାଙ୍କୁ ଜାଣନ୍ତି ନାହିଁ । ଭଗବାନ ଐଶ୍ୱର୍ଯ୍ୟ, ଯଶ, ଶକ୍ତି, ଗୁଣ ଏବଂ ଆକାରରେ ଅନନ୍ତ ଅଟନ୍ତି । ଆମର ବୁଦ୍ଧି ସୀମିତ ଅଟେ, ତେଣୁ ସର୍ବଶକ୍ତିମାନ ଭଗବାନଙ୍କୁ ଆମେ କୌଣସି ଉପାୟରେ ଜାଣିପାରିବା ନାହିଁ । ସମସ୍ତ ବୈଦିକ ଶାସ୍ତ୍ର କହୁଛନ୍ତି:

ନୈଷା ତର୍କେଣ ମତିରାପନେୟା (କଠୋପନିଷଦ୍ ୧.୨.୯)

“ଭଗବାନ ଆମ ବୌଦ୍ଧିକ ତର୍କ ପରିସରର ବହିର୍ଭୁତ ଅଟନ୍ତି ।”

 ଯତୋ ବାଚୋ ନିବର୍ତନ୍ତେ ଅପ୍ରାପ୍ୟ ମନସା ସହ (ତୈତ୍ତିରୀୟ ଉପନିଷଦ ୨.୯.୧)

“ଆମର ମନ ଓ ବାକ୍ୟ ଭଗବାନଙ୍କ ପାଖରେ ପହଞ୍ôଚ ପାରିବ ନାହିଁ ।”

ରାମ ଅତର୍କ୍ୟ ବୁଦ୍ଧି ମନ ବାନୀ, ମତ ହମାର ଅସ ସୁନହି ସୟାନୀ (ରାମାୟଣ)

“ଭଗବାନଙ୍କ ସ୍ୱରୂପର ବିଶ୍ଲେଷଣ ମନ-ବୁଦ୍ଧି ଦ୍ୱାରା କରାଯାଇ ପାରିବ ନାହିଁ କିମ୍ବା ବର୍ଣ୍ଣନା ବାଣୀ ଦ୍ୱାରା କରାଯାଇ ପାରିବ ନାହିଁ ।”

ଜଣେ ହିଁ ବ୍ୟକ୍ତି ଭଗବାନଙ୍କୁ ଜାଣିଛନ୍ତି ଏବଂ ସେ ହେଉଛନ୍ତି ଭଗବାନ ନିଜେ । କୌଣସି ଜୀବକୁ ସେ ଯଦି ତାଙ୍କର କୃପା ପ୍ରଦାନ କରିବାକୁ ସ୍ଥିର କରନ୍ତି, ତେବେ ସେହି ଭାଗ୍ୟଶାଳୀ ଜୀବକୁ ସେ ତାଙ୍କର ବୁଦ୍ଧି ପ୍ରଦାନ କରିଥାନ୍ତି । ଭଗବାନଙ୍କର ବୁଦ୍ଧି ଯୁକ୍ତ ହୋଇ, ସେ ସହଜରେ ଭଗବାନଙ୍କୁ ଜାଣିପାରେ । ଅତଏବ, ଭଗବାନଙ୍କୁ ଜାଣିବା ପାଇଁ ସର୍ବାଧିକ ମହତ୍ୱପୂର୍ଣ୍ଣ ଆବଶ୍ୟକତା ଭଗବତ୍ କୃପା ଅଟେ । ଏହି ବିଷୟରେ ଆଗକୁ ଶ୍ଲୋକ ୧୦/୧୧ ଏବଂ ୧୮/୫୮ ରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।