Bhagavad Gita: Chapter 7, Verse 30

ସାଧିଭୂତାଧିଦୈବଂ ମାଂ ସାଧିଯଜ୍ଞଂ ଚ ଯେ ବିଦୁଃ ।
ପ୍ରୟାଣକାଳେଽପି ଚ ମାଂ ତେ ବିଦୁର୍ଯୁକ୍ତଚେତସଃ ।।୩୦।।

ସ-ଅଧିଭୂତ- ଭୌତିକ କ୍ଷେତ୍ରର ଶାସନ ବିଧି; ଅଧିଦୈବଂ - ଦେବତାମାନଙ୍କର ନିୟନ୍ତ୍ରଣକାରୀ; ମାଂ- ମୋତେ; ସ-ଅର୍ଧଯଜ୍ଞଂ - ଯଜ୍ଞର ରକ୍ଷକ; ଚ- ଏବଂ; ଯେ -ଯେଉଁମାନେ; ବିଦୁଃ - ଜାଣନ୍ତି; ପ୍ରୟାଣକାଳେ -ମୃତ୍ୟୁ ସମୟରେ; ଅପି -ମଧ୍ୟ; ଚ-ଏବଂ; ମାଂ - ମୋତେ; ତେ-ସେମାନେ; ବିଦୁଃ -ଜାଣନ୍ତି; ଯୁକ୍ତ-ଚେତସଃ -ଯାହାର ଚେତନା ମୋ ସହିତ ଯୁକ୍ତ ।

Translation

BG 7.30: ଯେଉଁମାନେ ମୋତେ ଅଧିଭୂତ (ଭୌତିକବସ୍ତୁ) ଅଧିଦୈବ (ସ୍ୱର୍ଗର ଦେବତାଗଣ) ଏବଂ ଅଧିଯଜ୍ଞ (ସମସ୍ତ ଯଜ୍ଞାଦିକ କର୍ମର ଅଧିଷ୍ଠାତା ଦେବ)ର ସଂଚାଳକ ଭାବରେ ଜାଣନ୍ତି, ସେହିପରି ଜ୍ଞାନଦୀପ୍ତ ଜୀବ ମୃତ୍ୟୁ ସମୟରେ ମଧ୍ୟ ମୋଠାରେ ପୂର୍ଣ୍ଣ ଚେତନା ଯୁକ୍ତ ରହିଥାନ୍ତି ।

Commentary

ପରବର୍ତ୍ତୀ ଅଧ୍ୟାୟରେ, ଶ୍ରୀକୃଷ୍ଣ କହିବେ ଯେ, ଯେଉଁ ମହାତ୍ମାମାନେ ମୃତ୍ୟୁ ସମୟରେ ତାଙ୍କର ସ୍ମରଣ କରନ୍ତି, ସେମାନେ ତାଙ୍କ ଦିବ୍ୟଲୋକ ପ୍ରାପ୍ତ କରନ୍ତି । କିନ୍ତୁ ମୃତ୍ୟୁ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ଅଟେ । କାରଣ ମୃତ୍ୟୁ ଅତ୍ୟନ୍ତ କଷ୍ଟଦାୟକ ଅନୁଭବ ଅଟେ । ଏହାକୁ ୨୦୦୦ ବିଛା ଏକ ସଙ୍ଗେ ଦଂଶନ କରିବାର କଷ୍ଟ ସହିତ ତୁଳନା କରାଯାଇପାରେ । ଏହା ମନ-ବୁଦ୍ଧିର ସହନ ଶକ୍ତିଠାରୁ ଊର୍ଦ୍ଧ୍ୱରେ । ମୃତ୍ୟୁର କଷ୍ଟରେ ମନ ଓ ବୁଦ୍ଧି କାର୍ଯ୍ୟ କରିବା ବନ୍ଦ କରିଦିଅନ୍ତି ଏବଂ ବ୍ୟକ୍ତି ଚେତନା ଶୂନ୍ୟ ହୋଇଯାଏ । ତାହେଲେ ମୃତ୍ୟୁ ସମୟରେ ଜଣେ ଭଗବାନଙ୍କର ସ୍ମରଣ କରିବ କିପରି?

ଯେଉଁ ବ୍ୟକ୍ତି ଆନନ୍ଦ ଓ କଷ୍ଟ ଅନୁଭୂତିର ଊର୍ଦ୍ଧ୍ୱରେ ସ୍ଥିତ, କେବଳ ତାଙ୍କ ପକ୍ଷରେ ହିଁ ଏହା ସମ୍ଭବ ଅଟେ । ଏପରି ବ୍ୟକ୍ତି ସ୍ୱେଚ୍ଛାରେ ଶରୀର ତ୍ୟାଗ କରନ୍ତି । ଶ୍ରୀକୃଷ୍ଣ ଏହି ଶ୍ଲୋକରେ କହୁଛନ୍ତି ଯେ ଯିଏ ତାଙ୍କୁ ଅଧିଭୂତ, ଅଧିଦୈବ ଏବଂ ଅଧିଯଜ୍ଞର ସଂଚାଳକ ରୂପେ ଜାଣନ୍ତି, ସେମାନେ ମୃତ୍ୟୁ ସମୟରେ ମଧ୍ୟ ଭଗବାନଙ୍କ ସହିତ ପୂର୍ଣ୍ଣ ଚେତନାରେ ଯୁକ୍ତ ଥାଆନ୍ତି । ଏହାର କାରଣ ବାସ୍ତବିକ ଜ୍ଞାନ ଦ୍ୱାରା ଭକ୍ତି ପରିପୂର୍ଣ୍ଣତାକୁ ପ୍ରାପ୍ତ ହୋଇଥାଏ - ମନ ଭଗବାନଙ୍କ ଠାରେ ସମ୍ପୂର୍ଣ୍ଣ ଭାବରେ ଆସକ୍ତ ହୋଇଯାଏ । ପରିଣାମତଃ, ଏହା ମାୟିକ ସ୍ଥିିତିର ଲାଳସା ଏବଂ ପଶ୍ଚାତାପ ଆଦିରୁ ମୁକ୍ତ ହୋଇଯାଏ ଏବଂ ଜୀବ ଶାରୀରିକ ଚେତନାର ଉପରକୁ ଉଠିଯାଏ ।

            ଅଧିଭୂତ, ଅଧିଦୈବ ଏବଂ ଅଧିଯଜ୍ଞ ଶବ୍ଦର ବିସ୍ତୃତ ବ୍ୟାଖ୍ୟା ପରବର୍ତ୍ତୀ ଅଧ୍ୟାୟରେ କରାଯିବ ।