Bhagavad Gita: Chapter 1, Verse 1

ଧୃତରାଷ୍ଟ୍ର ଉବାଚ
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ ।।୧।।

ଧୃତରାଷ୍ଟ ଉବାଚ- ଧୃତରାଷ୍ଟ୍ର କହିଲେ; ଧର୍ମକ୍ଷେତ୍ରେ- ଧର୍ମକ୍ଷେତ୍ର; କୁରୁକ୍ଷେତ୍ରେ- କୁରୁକ୍ଷେତ୍ରରେ; ସମବେତାଃ- ଏକାଠି ହୋଇ; ଯୁଯୁତ୍ସବାଃ- ଯୁଦ୍ଧ କରିବାକୁ ଇଚ୍ଛୁକ;ମାମକାଃ- ମୋ ପୁତ୍ରଗଣ; ପାଣ୍ଡବାଃ-ପାଣ୍ଡୁପୁତ୍ରଗଣ; ଚ- ଏବଂ; ଏବ- ନିଶ୍ଚିତ ଭାବେ; କିମ୍‌- କ’ଣ; ଅକୁର୍ବତ- ସେମାନେ କଲେ; ସଞ୍ଜୟ- ହେ ସଞ୍ଜୟ ।

Translation

BG 1.1: ଧୃତରାଷ୍ଟ୍ର କହିଲେ, “ହେ ସଞ୍ଜୟ! ମୋ ପୁତ୍ରଗଣ ଏବଂ ପଣ୍ଡୁପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରି ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଏକତ୍ରିତ ହୋଇ କ’ଣ କଲେ?

Commentary

ରାଜା ଧୃତରାଷ୍ଟ୍ର, ଜନ୍ମରୁ ଅନ୍ଧ ଥିବା ବ୍ୟତିତ ଆଧ୍ୟାତ୍ମିକ ଜ୍ଞାନରୁ ମଧ୍ୟ ବଞ୍ôଚତ ଥିଲେ । ନିଜ ପୁତ୍ରଙ୍କ ପ୍ରତି ତାଙ୍କର ଆସକ୍ତି, ତାଙ୍କୁ ଧର୍ମ ମାର୍ଗରୁ ବିଚ୍ୟୁତ କରିଥିଲା ଏବଂ ନ୍ୟାୟତଃ ଯେଉଁ ରାଜ୍ୟ ପାଣ୍ଡବମାନଙ୍କର ଥିଲା, ତାହାକୁ ସେ ବଳପୂର୍ବକ ଅଧିକାର କରିଥିଲେ । ସେ ନିଜର ପୁତୁରା, ପାଣ୍ଡୁପୁତ୍ରମାନଙ୍କ ପ୍ରତି କରିଥିବା ଅନ୍ୟାୟ ବିଷୟରେ ସଚେତନ ଥିଲେ । ତାଙ୍କର ଦୋଷୀ ମନୋଭାବ ତାଙ୍କୁ ଯୁଦ୍ଧର ପରିଣାମକୁ ନେଇ ଆଶଙ୍କାଗ୍ରସ୍ଥ କରିଥିଲା, ତେଣୁ ସେ ଯୁଦ୍ଧଭୂମିର ଘଟଣା ବିଷୟରେ ସଞ୍ଜୟଙ୍କୁ ପଚାରୁଛନ୍ତି ।

ଏହି ଶ୍ଳୋକରେ ସେ ସଞ୍ଜୟଙ୍କୁ ପଚାରୁଛନ୍ତି, ଯୁଦ୍ଧ ଭୂମିରେ ଏକତ୍ରିତ ହୋଇ, ତାଙ୍କର ପୁତ୍ରଗଣ ଏବଂ ପାଣ୍ଡୁପୁତ୍ରଗଣ କ’ଣ କରୁଛନ୍ତି? ବର୍ତ୍ତମାନ ଏହା ସ୍ପଷ୍ଟ ଥିଲା ଯେ, ସେଠାରେ ସେମାନେ ଯୁଦ୍ଧ କରିବାର ଏକମାତ୍ର ଉଦ୍ଦେଶ୍ୟ ନେଇ ଏକତ୍ରିତ ହୋଇଛନ୍ତି; ତେଣୁ ସେମାନେ ଯୁଦ୍ଧ କରିବା ସ୍ୱାଭାବିକ । ତେବେ ଧୃତରାଷ୍ଟ୍ର ଏପରି କାହିଁକି ପଚାରୁଛନ୍ତି ଯେ ସେମାନେ କ’ଣ କଲେ?

ତାଙ୍କର ଏହି ସନ୍ଦେହକୁ ସେ ବ୍ୟବହାର କରିଥିବା ଶବ୍ଦ ଧର୍ମକ୍ଷେତ୍ର ବା ଧର୍ମର କ୍ଷେତ୍ର (ଧାର୍ମିକ କର୍ମ)ରୁ ଅନୁମାନ କରାଯାଇ ପାରିବ । କୁରୁକ୍ଷେତ୍ର ଏକ ପବିତ୍ର ଭୂମି ଥିଲା । ଶତପଥ ବ୍ରାହ୍ମଣରେ ଏହାକୁ କୁରୁକ୍ଷେତ୍ରଂ ଦେବ ଯଜନମ୍ ଭାବରେ ବର୍ଣ୍ଣନା କରାଯାଇଛି । “କୁରୁକ୍ଷେତ୍ର ଦେବତାମାନଙ୍କର ତର୍ପଣ କରିବା ସ୍ଥାନ ଅଟେ ।” ଅତଏବ, ଏହା ଧର୍ମକୁ ପରିପୃଷ୍ଟ କରିବାର ଭୂମି ଥିଲା । ଧୃତରାଷ୍ଟ୍ର ଆଶଙ୍କା କରୁଥିଲେ, କୁରୁକ୍ଷେତ୍ରର ପବିତ୍ର ଭୂମି ତାଙ୍କ ପୁତ୍ରମାନଙ୍କର ବିବେକକୁ ଜାଗ୍ରତ କରାଇବ ଏବଂ ସେମାନେ ତାଙ୍କର ସମ୍ପର୍କୀୟ ପାଣ୍ଡବମାନଙ୍କର ହତ୍ୟାକୁ ଅନୁଚିତ ବିଚାର କରିବେ । ସେମାନେ ହୁଏତ ଏକ ଶାନ୍ତିପୁର୍ଣ୍ଣ ସମାଧାନ ପାଇଁ ରାଜି ହୋଇଯାଇ ପାରନ୍ତି । ଏହି ଆଶଙ୍କାରେ ଧୃତରାଷ୍ଟ୍ର ଘୋର ଅସନ୍ତୋଷ ଅନୁଭବ କଲେ । ସେ ଭାବିଲେ, ଯଦି ତାଙ୍କ ପୁତ୍ରମାନେ ଶାନ୍ତି ପାଇଁ ସନ୍ଧି କରନ୍ତି, ତାହେଲେ ପାଣ୍ଡବମାନେ ସବୁଦିନ ପାଇଁ ତାଙ୍କର ପ୍ରତିବନ୍ଧକ ହୋଇ ରହିଯିବେ । ତେଣୁ ଯୁଦ୍ଧ ହେବାକୁ ସେ ପସନ୍ଦ କରୁଥିଲେ । ତା ସହିତ ଯୁଦ୍ଧର ପରିଣତି ବିଷୟରେ ସେ ସନ୍ଦିହାନ ଥିଲେ ଏବଂ ତାଙ୍କର ପୁତ୍ରମାନଙ୍କର ଭାଗ୍ୟ ବିଷୟରେ ଜାଣିବାକୁ ଚାହୁଁଥିଲେ । ତେଣୁ ସେ ସଞ୍ଜୟଙ୍କୁ କୁରୁକ୍ଷେତ୍ରର ଯୁଦ୍ଧଭୂମି, ଯେଉଁଠି ଦୁଇ ପକ୍ଷର ସୈନ୍ୟ ଏକତ୍ରିତ ହୋଇଛନ୍ତି, ତାର ଗତିବିଧି ବିଷୟରେ ପଚାରୁଛନ୍ତି ।

Watch Swamiji Explain This Verse