Bhagavad Gita: Chapter 1, Verse 2

ସଞ୍ଜୟ ଉବାଚ
ଦୃଷ୍ଟ୍ୱା ତୁ ପାଣ୍ଡବାନୀକଂ ବ୍ୟୁଢଂ ଦୁର୍ଯୋଧନସ୍ତଦା ।
ଆଚାର୍ଯ୍ୟମୁପସଙ୍ଗମ୍ୟ ରାଜା ବଚନମବ୍ରବୀତ୍ ।।୨।।

ସଞ୍ଜୟ ଉବାଚ -ସଞ୍ଜୟ କହିଲେ; ଦୃଷ୍ଟ୍ୱା-ଦେଖିଲା ପରେ; ତୁ-କିନ୍ତୁ; ପାଣ୍ଡବଅନୀକଂ-ପାଣ୍ଡବମାନଙ୍କର ସୈନ୍ୟ; ବ୍ୟୁଢ଼ଂ-ବ୍ୟୁହ (ସୈନ୍ୟବିନ୍ୟାସ); ଦୁର୍ଯ୍ୟୋଧନଃ-ରାଜା ଦୁର୍ଯ୍ୟୋଧନ; ତଦା-ସେହି ସମୟରେ; ଆଚାର୍ଯ୍ୟଂ-ଶିକ୍ଷକ; ଉପସଂଗମ୍ୟ-ନିକଟକୁ ଯାଇ; ରାଜା-ରାଜା; ବଚନମ୍‌-ବଚନ; ଅବ୍ରବୀତ୍‌-କହିଲେ ।

Translation

BG 1.2: ସଞ୍ଜୟ କହିଲେ: ପାଣ୍ଡବମାନଙ୍କ ସୈନ୍ୟ ସଜ୍ଜାକୁ ଲକ୍ଷ୍ୟ କରି, ରାଜା ଦୁର୍ଯୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି କଥା କହୁଛନ୍ତି ।

Commentary

ଧୃତରାଷ୍ଟ୍ର ଏକ ସ୍ୱୀକାରୋକ୍ତି ଇଚ୍ଛା କରୁଥିଲେ ଯେ ତାଙ୍କ ପୁତ୍ରମାନେ ଯୁଦ୍ଧ କରିବେ । ଧୃତରାଷ୍ଟ୍ରଙ୍କର ଉଦ୍ଦେଶ୍ୟ ବୁଝିପାରି ସଞ୍ଜୟ ନିଶ୍ଚିତ କରି କହୁଛନ୍ତି ଯେ ପାଣ୍ଡବମାନେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୋଇ ତାଙ୍କର ସୈନ୍ୟ ସଜ୍ଜିତ କରିସାରିଲେଣି, ତେଣୁ ଯୁଦ୍ଧ ଅବଶ୍ୟ ହେବ । ସେ ପୁଣି ବିଷୟ ପରିବର୍ତ୍ତନ କରି ଦୁର୍ଯ୍ୟୋଧନ କ’ଣ କରୁଛନ୍ତି, ତାହା ବିଷୟରେ କହୁଛନ୍ତି ।

ଧୃତରାଷ୍ଟ୍ରଙ୍କର ଜ୍ୟେଷ୍ଠ ପୁତ୍ର, ଦୁର୍ଯ୍ୟୋଧନ ସ୍ୱଭାବରେ ଖଳ ଏବଂ ନିଷ୍ଠୁର ପ୍ରକୃତିର ଥିଲେ । ଯେହେତୁ ଧୃତରାଷ୍ଟ୍ର ଅନ୍ଧ ଥିଲେ, ପ୍ରକୃତ ପକ୍ଷରେ ତାଙ୍କ ପାଇଁ ଦୁର୍ଯ୍ୟୋଧନ ହିଁ ହସ୍ତିନାପୁର ରାଜ୍ୟ ଶାସନ କରୁଥିଲେ । ସେ ପାଣ୍ଡବମାନଙ୍କୁ ଭଲ ପାଉ ନ ଥିଲେ ଏବଂ ନିର୍ବିରୋଧ ରାଜ୍ୟ ଶାସନ କରିବା ପାଇଁ ସେମାନଙ୍କୁ ନିଶ୍ଚିହ୍ନ କରିବାକୁ ବଦ୍ଧ ପରିକର ଥିଲେ । ସେ ଅନୁମାନ କରୁଥିଲେ ଯେ ତାଙ୍କ ସୈନ୍ୟ ବାହିନୀର ମୁକାବିଲା କରିବା ପାଇଁ ପାଣ୍ଡବମାନେ ଏତେ ସୈନ୍ୟ ଏକତ୍ରିତ କରି ପାରିବେ ନାହିଁ । କିନ୍ତୁ ବାସ୍ତବତା ତାଙ୍କ ଧାରଣାର ବିପରୀତ ଥିଲା ଏବଂ ପାଣ୍ଡବମାନଙ୍କର ବିରାଟ ସୈନ୍ୟ ବଳକୁ ଲକ୍ଷ୍ୟ କରି ଦୁର୍ଯ୍ୟୋଧନ ବିବ୍ରତ ଓ ଶଙ୍କିତ ହୋଇଗଲେ ।

ଦୁର୍ଯ୍ୟୋଧନ ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯିବାର ବିଚାର ଏହା ସୂଚିତ କରୁଥିଲା ଯେ ଯୁଦ୍ଧର ପରିଣାମ ବିଷୟରେ ଚିନ୍ତା କରି ସେ ଭୟଭୀତ ଥିଲେ । ସେ ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ସମ୍ମାନ ପ୍ରଦର୍ଶନ ବାହାନାରେ ଯାଇଥିଲେ, କିନ୍ତୁ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ନିଜ ଉଦ୍‌ବେଗକୁ ଶାନ୍ତ କରିବା ଥିଲା । ପରବର୍ତ୍ତୀ ଶ୍ଳୋକଠାରୁ ଆରମ୍ଭ କରି ଦୁର୍ଯ୍ୟୋଧନ ନଅଗୋଟି ଶ୍ଳୋକ କହିଛନ୍ତି ।

Watch Swamiji Explain This Verse