ସଞ୍ଜୟ ଉବାଚ
ଏବମୁକ୍ତ୍ୱାର୍ଜୁନଃ ସଙ୍ଖ୍ୟେ ରଥୋପସ୍ଥ ଉପାବିଶତ୍ ।
ବିସୃଜ୍ୟ ସଶରଂ ଚାପଂ ଶୋକସଂବିଗ୍ନମାନସଃ ।।୪୭।।
ସଞ୍ଜୟ ଉବାଚ-ସଞ୍ଜୟ କହିଲେ; ଏବଂ-ଏହିପରି; ଉକ୍ତ୍ୱା-କହି; ଅର୍ଜୁନଃ-ଅର୍ଜୁନ; ସଙ୍ଖ୍ୟେ-ଯୁଦ୍ଧ କ୍ଷେତ୍ରରେ; ରଥ ଉପସ୍ଥଃ-ରଥରେ ; ଉପାବିଶତ୍-ବସି ରହିଲେ; ବିସୃଜ୍ୟ-ରଖି ଦେଇ; ସଶରଂ-ଶର ସହିତ; ଚାପଂ-ଧନୁ; ଶୋକ-ଶୋକ (ଦୁଃଖ); ସଂବିଗ୍ନ-ଦୁଃଖିତ; ମାନସଃ-ମନରେ ।
Translation
BG 1.47: ସଞ୍ଜୟ କହିଲେ, ଅର୍ଜୁନ ଏହା କହି ତାଙ୍କର ଧନୁ ଓ ତୀରକୁ ଦୂରେଇ ରଖି ଦେଲେ ଏବଂ ରଥ ଉପରେ ବସିପଡ଼ିଲେ । ତାଙ୍କର ମନ ବ୍ୟଥିତ ଏବଂ ଶୋକରେ ଅଭିଭୂତ ହୋଇଉଠିଲା ।
Commentary
ଅନେକ ସମୟରେ ଲୋକେ କଥା କହୁ କହୁ ଭାବୁକ ହୋଇଉଠନ୍ତି, ସେହିପରି ଅର୍ଜୁନଙ୍କର ନୈରାଶ୍ୟ ଯାହା ୧:୨୮ ଶ୍ଲୋକରେ ସୃଷ୍ଟି ହୋଇଥିଲା, ତାହା ଏବେ ଚରମ ସୀମାରେ ପହଞ୍ôଚଗଲା । ସେ ହତୋତ୍ସାହିତ ହୋଇ ସଂଘର୍ଷ ଛାଡ଼ି ନିଜକୁ ଧାର୍ମିକ କର୍ତ୍ତବ୍ୟରେ ନିୟୋଜିତ କରିବାକୁ ଇଚ୍ଛା କରୁଛନ୍ତି, ଯାହା ଜ୍ଞାନ ଏବଂ ଭକ୍ତିରେ ଭଗବାନଙ୍କ ପ୍ରତି ଆତ୍ମ-ସମର୍ପଣର ସମ୍ପୂର୍ଣ୍ଣ ବିପରୀତ ଅଟେ । ଏଠାରେ ସ୍ପଷ୍ଟ କରିଦେବା ଉଚିତ ଯେ ଅର୍ଜୁନ ଆଧ୍ୟାତ୍ମିକ ଜ୍ଞାନ ରହିତ ଜଣେ ନୂଆ ଶିଖାଳି ନ ଥିଲେ । ସେ ସ୍ୱର୍ଗକୁ ଯାଇ, ସ୍ୱର୍ଗର ରାଜା ଇନ୍ଦ୍ରଙ୍କ ଠାରୁ ଉପଦେଶ ଗ୍ରହଣ କରିଥିଲେ । ପ୍ରକୃତରେ ପୂର୍ବ ଜନ୍ମରେ ସେ ନର ଥିଲେ ଏବଂ ଦିବ୍ୟଜ୍ଞାନରେ ସ୍ଥିତ ଥିଲେ । (ନର-ନାରାୟଣ ଅବତାରରେ ନର ପରିପୂର୍ଣ୍ଣ ଆତ୍ମା ଥିଲେ ଏବଂ ନାରାୟଣ ପରଂବ୍ରହ୍ମ ଥିଲେ ।) ମହାଭାରତ ପୂର୍ବରୁ, ସମ୍ପୁର୍ଣ୍ଣ ଯାଦବ ସେନା ଦୁର୍ଯୋଧନଙ୍କୁ ଦେଇ, ଅର୍ଜୁନ କେବଳ ଶ୍ରୀକୃଷ୍ଣଙ୍କୁ ନିଜର ପକ୍ଷଭୁକ୍ତ କରିବା ଏହାର ଜ୍ୱଳନ୍ତ ପ୍ରମାଣ ଥିଲା । ସେ ଏହା ବିଶ୍ୱାସ କରୁଥିଲେ ଯେ ଯଦି ଭଗବାନ ତାଙ୍କ ପକ୍ଷରେ ଅଛନ୍ତି, ତାହେଲେ ସେମାନେ କେବେହେଲେ ପରାସ୍ତ ହେବେ ନାହିଁ । କିନ୍ତୁ ଆଗକୁ ମାନବ ସମାଜର କଲ୍ୟାଣ ପାଇଁ, ଶ୍ରୀକୃଷ୍ଣ ଭଗବଦ୍ ଗୀତାର ବାର୍ତ୍ତା ଦେବାକୁ ଚାହିଁଥିଲେ ଏବଂ ସେଥିପାଇଁ ଏକ ଉପଯୁକ୍ତ ପରିସ୍ଥିତିରେ ସେ ଜାଣିଶୁଣି ଅର୍ଜୁନଙ୍କ ମନରେ ଏହି ଦ୍ୱନ୍ଦ ଉତ୍ପନ୍ନ କରିଛନ୍ତି ।