Bhagavad Gita: Chapter 11, Verse 32

ଶ୍ରୀ ଭଗବାନୁବାଚ
କାଳୋଽସ୍ମି ଲୋକକ୍ଷୟକୃତ୍‌ପ୍ରବୃଦ୍ଧୋ
ଲୋକାନ୍‌ସମାହର୍ତୁମିହ ପ୍ରବୃତ୍ତଃ ।
ଋତେଽପି ତ୍ୱାଂ ନ ଭବିଷ୍ୟନ୍ତି ସର୍ବେ
ଯେଽବସ୍ଥିତାଃ ପ୍ରତ୍ୟନୀକେଷୁ ଯୋଧାଃ ।।୩୨।।

ଶ୍ରୀ ଭଗବାନ ଉବାଚ - ଶ୍ରୀ ଭଗବାନ କହିଲେ; କାଳଃ - କାଳ (ସମୟ); ଅସ୍ମି - ଅଟେ; ଲୋକ -ଜଗତ; କ୍ଷୟ-କୃତ୍ -କ୍ଷୟକାରୀ; ପ୍ରବୃଦ୍ଧଃ - ଶକ୍ତିଶାଳୀ; ଲୋକାନ୍ - ସମସ୍ତ ଲୋକ; ସମାହର୍ତୁମ୍ - ବିନାଶ; ଇହ - ଏହି ପୃଥିବୀରେ; ପ୍ରବୃତ୍ତଃ - ନିଯୁକ୍ତ କରିବାକୁ; ଋତେ -ବ୍ୟତିତ;ଅପି -ମଧ୍ୟ; ତ୍ୱାଂ - ତୁମକୁ; ନ- ନାହିଁ; ଭବିଷ୍ୟନ୍ତି - ରହିବେ; ସର୍ବେ - ସମସ୍ତେ; ଯେ - ଯେଉଁମାନେ; ଅବସ୍ଥିତାଃ - ଅବସ୍ଥିତ; ପ୍ରତ୍ୟନୀକେଷୁ - ଅପରପକ୍ଷରେ; ଯୋଧାଃ - ଯୋଦ୍ଧୃବୃନ୍ଦ ।

Translation

BG 11.32: ଶ୍ରୀଭଗବାନ କହିଲେ, ମୁଁ ସର୍ବଶକ୍ତିମାନ କାଳ ଅଟେ । ସଂସାରର ବିଲୟ କରିବା ହେତୁ ବିନାଶକାରୀ ଶକ୍ତିର ଉତ୍ସ ଅଟେ । ତୁମେ ଯୁଦ୍ଧରେ ଅଂଶଗ୍ରହଣ ନ କଲେ ସୁଦ୍ଧା, ବିରୋଧୀ ସେନାର ଯୋଦ୍ଧାମାନେ ଜୀବିତ ରହିବେ ନାହିଁ ।

Commentary

ସେ କିଏ? ଅର୍ଜୁନଙ୍କର ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ, ଶ୍ରୀକୃଷ୍ଣ ପ୍ରକାଶ କରୁଛନ୍ତି ଯେ, ସେ ସର୍ବଶକ୍ତିମାନ କାଳ ଏବଂ ସଂସାରର ବିନାଶକାରୀ ଅଟନ୍ତି । କାଳ ଶବ୍ଦର ଉତ୍ପତ୍ତି କଳୟତି ଶବ୍ଦରୁ ହୋଇଛି, ଯାହାର ସମାର୍ଥକ ଶବ୍ଦ ଗଣୟତି ଅଟେ, ଅର୍ଥାତ୍ ‘ହିସାବ ରଖିବା’ । ପ୍ରକୃତିର ସବୁକିଛି ସମୟ କ୍ରମେ ନଷ୍ଟ ହୋଇଯାଏ । ପ୍ରଥମ ପରମାଣୁ ବୋମା ପ୍ରକଳ୍ପର ଜଣେ ଅଧିକାରୀ ଓପେନହିମର, ହିରୋସୀମା ଓ ନାଗାସାକିର ଧ୍ୱଂସଲୀଳା ଦେଖି, ଶ୍ରୀକୃଷ୍ଣଙ୍କର ଏହି ଶ୍ଲୋକକୁ ସେ ନିମ୍ନ ମତେ ଉଦ୍ଧାର କରିଥିଲେ: “କାଳ ....ମୁଁ ଏ ସଂସାରର ବିଧ୍ୱଂସକ ଅଟେ ।” ସମସ୍ତ ପ୍ରାଣୀଙ୍କର ଜୀବନକାଳର ହିସାବ ଓ ନିୟନ୍ତ୍ରଣ ସମୟ କରିଥାଏ । ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ କର୍ଣ୍ଣଙ୍କ ପରି ବିଖ୍ୟାତ ଯୋଦ୍ଧାମାନେ କେତେବେଳେ ତାଙ୍କର ଗତି ପ୍ରାପ୍ତ ହେବେ, ତାହା ସମୟ ହିଁ ନିର୍ଦ୍ଧାରଣ କରିବ । ଅର୍ଜୁନ ଯୁଦ୍ଧରେ ଅଂଶଗ୍ରହଣ ନକଲେ ସୁଦ୍ଧା, ଯୁଦ୍ଧକ୍ଷେତ୍ରରେ ସଜ୍ଜିତ ବିରୋଧୀ ସେନାକୁ କାଳ ନାଶ କରିବ, କାରଣ ସୃଷ୍ଟି ବ୍ୟାପାରର ବିଶାଳ ଯୋଜନା ଅନ୍ତର୍ଗତ ତାହା ଭଗବାନଙ୍କର ଇଚ୍ଛା ଅଟେ । ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ଯୋଦ୍ଧାମାନେ ଯଦି ଆଗରୁ ମୃତ, ତେବେ ଅର୍ଜୁନ ଯୁଦ୍ଧ କରିବେ କାହିଁକି? ପରବର୍ତ୍ତୀ ଶ୍ଲୋକରେ ଶ୍ରୀକୃଷ୍ଣ ତାହା ସ୍ପଷ୍ଟ କରୁଛନ୍ତି ।