Bhagavad Gita: Chapter 11, Verse 23

ରୂପଂ ମହତ୍ତେ ବହୁବକ୍ତ୍ରନେତ୍ରଂ
ମହାବାହୋ ବହୁବାହୂରୁପାଦମ୍ ।
ବହୂଦରଂ ବହୁଦଂଷ୍ଟ୍ରାକରାଳମ୍‌
ଦୃଷ୍ଟ୍ୱା ଲୋକାଃ ପ୍ରବ୍ୟଥିତାସ୍ତଥାହମ୍ ।।୨୩।।

ରୂପଂ - ରୂପ; ମହତ୍ - ଅତି ମହାନ; ତେ -ଆପଣଙ୍କର; ବହୁ -ଅନେକ; ବକ୍ତ୍ର-ମୁଖ; ନେତ୍ରଂ -ଚକ୍ଷୁ; ମହାବାହୋ - ହେ ମହାବାହୁ; ବହୁ -ଅନେକ; ବାହୁ - ବାହୁ; ଊରୁ -ଜଙ୍ଘ; ପାଦଂ -ପାଦ; ବହୁ-ଉଦରଂ - ଅନେକ ଉଦର; ବହୁ ଦ୍ରଂଷ୍ଟା - ଅନେକ ଦନ୍ତ; କରାଳଂ -ଭୟଙ୍କର; ଦୃଷ୍ଟ୍ୱା - ଦେଖି; ଲୋକାଃ - ସମସ୍ତଲୋକ; ପ୍ରବ୍ୟଥିତାଃ - ଭୀତତ୍ରସ୍ତ; ତଥା - ସେହିପରି; ଅହଂ-ମୁଁ ।

Translation

BG 11.23: ହେ ସର୍ବଶକ୍ତିମାନ ପ୍ରଭୁ! ଆପଣଙ୍କର ଅନେକ ମୁଖମଣ୍ଡଳ, ଚକ୍ଷୁ, ହସ୍ତ, ଜଙ୍ଘ, ପାଦ, ଉଦର ଏବଂ ଭୟଙ୍କର ଦନ୍ତପଂକ୍ତି ଯୁକ୍ତ ଅଦ୍ଭୁତ ରୂପର ସମ୍ମାନରେ ସମସ୍ତ ଲୋକ ଭୟଭୀତ ଅଟନ୍ତି, ଏପରିକି ମୁଁ ମଧ୍ୟ ।

Commentary

ଭଗବାନଙ୍କର ଅସଂଖ୍ୟ ହସ୍ତ, ପଦ, ମୁଖମଣ୍ଡଳ ଏବଂ ଉଦର ସର୍ବତ୍ର ରହିଛି । ଶ୍ୱେତାଶ୍ୱତର ଉପନିଷଦ କହେ;

ସହସ୍ରଶୀର୍ଷା ପୁରୁଷଃ ସହସ୍ରାକ୍ଷଃ ସହସ୍ରପାତ୍‌
ସ ଭୂମିଂ ବିଶ୍ୱତୋ ବୃତ୍ୱାତ୍ୟତିଷ୍ଠଦ୍ଦଶାଙ୍ଗୁଳମ୍ (୩.୧୪)

“ପରମ ପୁରୁଷଙ୍କର ସହସ୍ର ମସ୍ତକ, ସହସ୍ର ଚକ୍ଷୁ ଏବଂ ସହସ୍ର ପାଦ ଅଛି । ସେ ବିଶ୍ୱକୁ ଆବୃତ କରିଛନ୍ତି, କିନ୍ତୁ ତା’ର ଊର୍ଦ୍ଧ୍ୱରେ ସ୍ଥିତ ଅଟନ୍ତି । ସେ ସମସ୍ତ ମନୁଷ୍ୟଙ୍କର, ନାଭିକେନ୍ଦ୍ରର ଦଶ ଅଙ୍ଗୁଳି ଉପରେ ସ୍ଥିତ ହୃଦୟ ପଦ୍ମରେ ନିବାସ କରନ୍ତି ।” ଯେଉଁମାନେ ଦେଖନ୍ତି ଏବଂ ଯେଉଁମାନେ ଦେଖାଯାଆନ୍ତି; ଯେଉଁମାନେ ଭୟଭୀତ ଏବଂ ଯେଉଁମାନେ ଭୟଙ୍କର, ସେମାନେ ସମସ୍ତେ ଭଗବାନଙ୍କ ବିଶ୍ୱରୂପ ମଧ୍ୟରେ ଅଛନ୍ତି । ପୁଣି କଠୋପନିଷଦ କହୁଛି:

ଭୟାଦସ୍ୟାଗ୍ନିସ୍ତପତି ଭୟାତ୍ ତପତି ସୂର୍ଯ୍ୟଃ
ଭୟାଦିନ୍ଦ୍ରଶ୍ଚ ବାୟୁଶ୍ଚ ମୃତ୍ୟୁର୍ଧାବତି ପଞ୍ଚମଃ (୨.୩.୩.)

            ଭଗବାନଙ୍କ ଭୟରେ ଅଗ୍ନି ଜଳିଥାଏ ଏବଂ ସୂର୍ଯ୍ୟ ପ୍ରକାଶ ଦେଇଥାଏ । ଭଗବାନଙ୍କ ଭୟରେ ବାୟୁ ପ୍ରବାହିତ ହୋଇଥାଏ ଏବଂ ଇନ୍ଦ୍ର ବୃଷ୍ଟି କରିଥାନ୍ତି । ଏପରିକି ମୃତ୍ୟୁର ଦେବତା, ଯମରାଜ ମଧ୍ୟ ତାଙ୍କ ଭୟରେ କମ୍ପିତ ହୁଅନ୍ତି ।