Bhagavad Gita: Chapter 11, Verse 50

ସଞ୍ଜୟ ଉବାଚ
ଇତ୍ୟର୍ଜୁନଂ ବାସୁଦେବସ୍ତଥୋକ୍ତ୍ୱା
ସ୍ୱକଂ ରୂପଂ ଦର୍ଶୟାମାସ ଭୂୟଃ ।
ଆଶ୍ୱାସୟାମାସ ଚ ଭୀତମେନଂ
ଭୂତ୍ୱା ପୁନଃ ସୌମ୍ୟବପୁର୍ମହାତ୍ମା ।।୫୦।।

ସଞ୍ଜୟ ଉବାଚ- ସଞ୍ଜୟ କହିଲେ; ଇତି - ଏହିପରି; ଅର୍ଜୁନ- ଅର୍ଜୁନଙ୍କୁ; ବାସୁଦେବଃ-କୃଷ୍ଣ; ତଥା- ସେହିପରି; ଉକ୍ତ୍ୱା-କହି; ସ୍ୱକଂ-ନିଜର ସାକାର; ରୂପଂ-ରୂପ; ଦର୍ଶୟାମାସ-ଦେଖାଇଲେ; ଭୂୟଃ-ପୁନର୍ବାର; ଆଶ୍ୱାସୟାମାସ-ଆଶ୍ୱାସନା ଦେଲେ; ଚ- ଏବଂ; ଭୀତମ୍‌-ଭୀତ; ଏନଂ- ତାଙ୍କୁ; ଭୂତ୍ୱା ପୁନଃ- ପୁଣି ହୋଇ; ସୌମ୍ୟ ବପୁଃ-ସୁନ୍ଦର ରୂପ; ମହାତ୍ମା- କୃପାମୟ ।

Translation

BG 11.50: ସଞ୍ଜୟ କହିଲେ: ଏହିପରି କହିବା ପରେ, କୃପାମୟ ବସୁଦେବ ପୁତ୍ର, ତାଙ୍କର ଚତୁର୍ଭୁଜ ମୂର୍ତ୍ତି ପ୍ରଦର୍ଶିତ କଲେ । ପୁନଶ୍ଚ, ସେ ସରସ ରୂପ (ଦୁଇଭୁଜ ବିଶିଷ୍ଟ) ଧାରଣ କରି, ଭୟାତୁର ଅର୍ଜୁନଙ୍କୁ ଆଶ୍ୱାସନା ଦେଲେ ।

Commentary

ଶ୍ରୀକୃଷ୍ଣ ନିଜର ବିଶ୍ୱରୂପକୁ ଲୁକ୍‌କାୟିତ କରି ଅର୍ଜୁନଙ୍କ ସମ୍ମୁଖରେ ଚତୁର୍ଭୁଜ ରୂପରେ ଆବିର୍ଭୂତ ହେଲେ । ସେ ସୁବର୍ଣ୍ଣ ମୁକୁଟ, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଦ୍ୱାରା ସୁସଜ୍ଜିତ ଥିଲେ । ଏହି ସ୍ୱରୂପ ଗରିମା, ସର୍ବଜ୍ଞତା, ସର୍ବଶକ୍ତିମାନ ଇତ୍ୟାଦି ଦିବ୍ୟ ଐଶ୍ୱର୍ଯ୍ୟ ଗୁଣର ଭଣ୍ଡାର ଅଟେ । ଶ୍ରୀକୃଷ୍ଣଙ୍କର ଚତୁର୍ଦ୍ଧା ମୂର୍ତ୍ତି ରୂପ ମନରେ ବିସ୍ମୟ ଓ ସମ୍ମାନ ଭାବ ଉତ୍ପନ୍ନ କରେ, ଯେଉଁ ଭାବ ଗୋଟିଏ ଦେଶର ପ୍ରଜାଙ୍କ ମନରେ ତାଙ୍କ ରାଜାଙ୍କ ପ୍ରତି ଥାଏ । କିନ୍ତୁ ଅର୍ଜୁନ ଶ୍ରୀକୃଷ୍ଣଙ୍କର ସଖା ଥିଲେ ଏବଂ ବିସ୍ମୟ ଓ ସମ୍ମାନଯୁକ୍ତ ଭକ୍ତି ତାଙ୍କୁ ସନ୍ତୁଷ୍ଟ କରିପାରୁ ନଥିଲା । ସେ ଶ୍ରୀକୃଷ୍ଣଙ୍କ ସହିତ ଖେଳୁଥିଲେ, ଖାଉଥିଲେ, ନିଜର ଅନ୍ତରଙ୍ଗ ଗୋପନ କଥା ତାଙ୍କ ଆଗରେ କହୁଥିଲେ ଏବଂ ବ୍ୟକ୍ତିଗତ ଖୁସୀରେ ତାଙ୍କୁ ଭାଗୀଦାର କରୁଥିଲେ । ଏହିପରି ସୁଖମୟ ସଖ୍ୟଭାବ (ଯେଉଁ ଭକ୍ତିରେ ଭଗବାନଙ୍କୁ ମିତ୍ର ଭାବରେ ଦେଖାଯାଏ), ଐଶ୍ୱର୍ଯ୍ୟ ଭକ୍ତିଠାରୁ (ଯେଉଁଠି ଭଗବାନଙ୍କୁ ଦୂରରୁ ସର୍ବଶକ୍ତିମାନ ଭାବରେ ଭକ୍ତି କରାଯାଏ) ଅନନ୍ତ ଗୁଣରେ ମଧୁର ଅଟେ । ଅତଏବ, ଅର୍ଜୁନଙ୍କ ଭକ୍ତିର ଭାବକୁ ସ୍ୱୀକାର କରି, ଶେଷରେ ଶ୍ରୀକୃଷ୍ଣ ତାଙ୍କର ଚତୁର୍ଭୁଜ ରୂପ ତ୍ୟାଗ କରି ମୂଳ ଦ୍ୱିଭୁଜ ରୂପରେ ତାଙ୍କ ସମ୍ମୁଖରେ ଆବିର୍ଭାବ ହେଲେ ।

ଏକଦା ବୃନ୍ଦାବନର ଅରଣ୍ୟରେ ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ରସମୟ ଲୀଳା କରିବାକୁ ଯାଇ ହଠାତ୍ ତାଙ୍କ ଗହଣରୁ ଅନ୍ତର୍ଦ୍ଧାନ ହୋଇଗଲେ । ଗୋପୀମାନେ ତାଙ୍କୁ ଫେରି ଆସିବାକୁ ପ୍ରାର୍ଥନା କଲେ । ତାଙ୍କର ବିନତି ଶୁଣି ସେ ଫେରି ଆସିଲେ ସତ, କିନ୍ତୁ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ଆବିର୍ଭୁତ ହେଲେ । ଗୋପୀମାନେ ତାଙ୍କୁ ଭଗବାନ ବିଷ୍ଣୁ ମନେକରି ତାଙ୍କର ସମ୍ମାନ କଲେ । କିନ୍ତୁ ସେମାନେ ତାଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ଇଚ୍ଛା ନ କରି ସେଠାରୁ ଯିବାକୁ ଲାଗିଲେ । ସେମାନେ ଶ୍ରୀକୃଷ୍ଣଙ୍କୁ ତାଙ୍କର ପ୍ରିୟତମ ଭାବରେ ଦେଖିବାରେ ଅଭ୍ୟସ୍ତ ଥିଲେ, ତେଣୁ ତାଙ୍କର ଏହି ବିଷ୍ଣୁରୂପ ସେମାନଙ୍କୁ ଆକର୍ଷିତ କରୁ ନ ଥିଲା । ସେହି ସମୟରେ ରାଧାରାଣୀ ସେଠାରେ ଉପସ୍ଥିତ ହେଲେ ଏବଂ ତାଙ୍କୁ ଦେଖିବା ମାତ୍ରେ, ଶ୍ରୀକୃଷ୍ଣ ତାଙ୍କ ପ୍ରତି ପ୍ରେମରେ ଅଭିଭୂତ ହୋଇ ତାଙ୍କର ଚତୁର୍ଭୁଜ ରୂପକୁ ରକ୍ଷା କରିପାରିଲେ ନାହିଁ । ତାଙ୍କର ଦୁଇଟି ବାହୁ ସ୍ୱୟଂ ଅନ୍ତର୍ଦ୍ଧାନ ହୋଇଗଲା ଏବଂ ସେ ତାଙ୍କର ଦ୍ୱିଭୁଜ ରୂପ ଧାରଣ କଲେ । ଏହି ଶ୍ଳୋକରେ ମଧ୍ୟ, ଶ୍ରୀକୃଷ୍ଣ ତାଙ୍କର ଅତି ଆକର୍ଷଣୀୟ ଦ୍ୱିଭୁଜ ରୂପକୁ ଫେରି ଆସିଛନ୍ତି ।