Bhagavad Gita: Chapter 11, Verse 8

ନ ତୁ ମାଂ ଶକ୍ୟସେ ଦ୍ରଷ୍ଟୁମନେନୈବ ସ୍ୱଚକ୍ଷୁଷା ।
ଦିବ୍ୟଂ ଦଦାମି ତେ ଚକ୍ଷୁଃ ପଶ୍ୟ ମେ ଯୋଗମୈଶ୍ୱରମ୍ ।।୮।।

ନ - କଦାପି ନୁହେଁ; ତୁ - କିନ୍ତୁ, ମାଂ - ମୋତେ; ଶକ୍ୟସେ - ସମର୍ଥ ହେବ; ଦ୍ରଷ୍ଟୁଂ - ଦେଖିବାକୁ; ଅନେନ - ଏହାଦ୍ୱାରା; ଏବ - ନିଶ୍ଚିତରୂପେ; ସ୍ୱଚକ୍ଷୁଷା - ତୁମର ନିଜ ଆଖିରେ; ଦିବ୍ୟଂ - ବିଶୁଦ୍ଧ; ଦଦାମି - ମୁଁ ଦେଉଛି; ତେ - ତୁମକୁ; ଚକ୍ଷୁଃ - ଚକ୍ଷୁ; ପଶ୍ୟ - ଦେଖ; ମେ - ମୋର; ଯୋଗଂ ଐଶ୍ୱରମ୍ = ଅଚିନ୍ତ୍ୟ ଯୋଗଶକ୍ତି ।

Translation

BG 11.8: କିନ୍ତୁ ମୋର ଏହି ବିଶ୍ୱରୂପର ଦର୍ଶନ ତୁମେ ନିଜ ମାୟିକ ଚକ୍ଷୁରେ କରିପାରିବ ନାହିଁ । ତେଣୁ ମୁଁ ତୁମକୁ ଦିବ୍ୟଦୃଷ୍ଟି ପ୍ରଦାନ କରୁଛି, ମୋ ବିଶାଳ ଐଶ୍ୱର୍ଯ୍ୟର ଅବଲୋକନ କର ।

Commentary

ପରମ ପୁରୁଷ ଭଗବାନ ଯେତେବେଳେ ଧରାପୃଷ୍ଠରେ ଅବତରିତ ହୁଅନ୍ତି, ତାଙ୍କର ଦୁଇଟି ସ୍ୱରୂପ ଥାଏ- ଗୋଟିଏ ଭୌତିକ ସ୍ୱରୂପ ଯାହା ମାୟିକ ଚକ୍ଷୁରେ ଦେଖିହେବ, ଏବଂ ଅନ୍ୟଟି ଦିବ୍ୟ ସ୍ୱରୂପ ଯାହା କେବଳ ଦିବ୍ୟ ଦୃଷ୍ଟି ଦ୍ୱାରା ହିଁ ଦେଖିହେବ । ତେଣୁ ତାଙ୍କର ଅବତାର କାଳରେ, ସାଧାରଣ ମନୁଷ୍ୟ କେବଳ ତାଙ୍କ ମାୟିକ ଶରୀରର ଦର୍ଶନ କରିଥାନ୍ତି । ଭଗବାନଙ୍କର ଦିବ୍ୟ ସ୍ୱରୂପ ସେମାନଙ୍କ ମାୟିକ ଚକ୍ଷୁ ଦ୍ୱାରା ଗ୍ରାହ୍ୟ ନୁହେଁ । ସେଥିପାଇଁ ଭଗବାନ ଯେତେବେଳେ ଏହି ଧରାପୃଷ୍ଠରେ ଅବତାର ନିଅନ୍ତି, ସମସ୍ତେ ତାଙ୍କୁ ଚିହ୍ନିପାରନ୍ତି ନାହିଁ । ଶ୍ରୀକୃଷ୍ଣ ଏହି କଥା ଶ୍ଲୋକ ୯.୧୧ରେ ସୂଚିତ କରିଛନ୍ତି: “ମୁଁ ଯେତେବେଳେ ନିଜ ସାକାର ସ୍ୱରୂପରେ ଅବତାର ନିଏ, ଅଜ୍ଞ ବ୍ୟକ୍ତିମାନେ ମୋତେ ଚିହ୍ନିପାରନ୍ତି ନାହିଁ । ସମସ୍ତ ପ୍ରାଣୀଙ୍କର ଈଶ୍ୱର ଭାବରେ ମୋ ବ୍ୟକ୍ତିତ୍ୱର ଦିବ୍ୟତାକୁ ସେମାନେ ଜାଣିପାରନ୍ତି ନାହିଁ ।” ଲୋକେ ଯାହା ଦେଖନ୍ତି, ତାହା କେବଳ ତାଙ୍କର ଦିବ୍ୟ ଅବତାରର ମାୟିକ ସ୍ୱରୂପ ଅଟେ ।

            ସେହି ସିଦ୍ଧାନ୍ତ ତାଙ୍କ ବିଶ୍ୱରୂପ ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ । ପୂର୍ବର ଦୁଇଟି ଶ୍ଲୋକରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତାଙ୍କର ଦିବ୍ୟ ସ୍ୱରୂପ ଦେଖିବାକୁ କହିଲେ । କିନ୍ତୁ ଅର୍ଜୁନ କିଛି ବି ଦେଖି ପାରିଲେ ନାହିଁ, କାରଣ ତାଙ୍କର ପ୍ରାକୃତ (ଭୌତିକ) ଚକ୍ଷୁ ଥିଲା । ପ୍ରାକୃତ ଚକ୍ଷୁ ତାଙ୍କର ବିଶ୍ୱରୂପ ଦେଖିବାକୁ ସମର୍ଥ ନୁହେଁ ଏବଂ ସାଧାରଣ ବୁଦ୍ଧିର ତାହାକୁ ବୁଝିବାର କ୍ଷମତା ନ ଥାଏ । ସୁତରାଂ, ଶ୍ରୀକୃଷ୍ଣ ବର୍ତ୍ତମାନ କହୁଛନ୍ତି ଯେ ସେ ଦିବ୍ୟ ଦୃଷ୍ଟି ପ୍ରଦାନ କରିବେ, ଯଦ୍ୱାରା ଅର୍ଜୁନ ତାଙ୍କ ଅନନ୍ତ ଐଶ୍ୱର୍ଯ୍ୟଯୁକ୍ତ ବିଶ୍ୱରୂପର ଦର୍ଶନ କରିପାରିବେ ।

            ଦିବ୍ୟଦୃଷ୍ଟି ପ୍ରଦାନ କରିବା ଭଗବାନଙ୍କର ଏକ ବିଶେଷ କୃପା ଅଟେ । ଏହି କୃପାଦ୍ୱାରା ଭଗବାନ ତାଙ୍କର ଦିବ୍ୟ ଚକ୍ଷୁକୁ ଜୀବର ମାୟିକ ଚକ୍ଷୁ ସହିତ, ତାଙ୍କର ଦିବ୍ୟ ମନକୁ ଜୀବର ମାୟିକ ମନ ସହିତ ଏବଂ ତାଙ୍କର ଦିବ୍ୟ ବୁଦ୍ଧିକୁ ଜୀବର ମାୟିକ ବୁଦ୍ଧି ସହିତ ଯୋଡ଼ି ଦିଅନ୍ତି । ତାପରେ ଭଗବାନଙ୍କର ଦିବ୍ୟ ଇନ୍ଦ୍ରିୟ, ମନ ଓ ବୁଦ୍ଧି ସାହାଯ୍ୟରେ, ଜୀବ ତାଙ୍କର ଦିବ୍ୟ ସ୍ୱରୂପର ଦର୍ଶନ ଓ ଚିନ୍ତନ କରିପାରିବ ଏବଂ ତାହାକୁ ବୁଦ୍ଧିରେ ଧାରଣ କରିପାରିବ ।