Bhagavad Gita: Chapter 11, Verse 4

ମନ୍ୟସେ ଯଦି ତତ୍ସକ୍ୟଂ ମୟା ଦ୍ରଷ୍ଟୁମିତି ପ୍ରଭୋ ।
ଯୋଗେଶ୍ୱର ତତୋ ମେ ତ୍ୱଂ ଦର୍ଶୟାତ୍ମାନମବ୍ୟୟମ୍ ।।୪।।

ମନ୍ୟସେ - ଆପଣ ଯଦି ଭାବନ୍ତି; ଯଦି - ଯଦି; ତତ୍ - ତାହା ଶକ୍ୟଂ - ଦେଖିବାକୁ ସକ୍ଷମ; ମୟା -ମୋ’ଦ୍ୱାରା; ଦ୍ରଷ୍ଟୁମ୍ - ଦେଖିବାକୁ; ଇତି - ଏହିପରି; ପ୍ରଭୋ - ହେ ପ୍ରଭୁ; ଯୋଗେଶ୍ୱର - ହେ ଯୋଗେଶ୍ୱର; ତତଃ -ତେବେ; ମେ - ମୋତେ; ତ୍ୱଂ - ଆପଣ; ଦର୍ଶୟ - ଦେଖାନ୍ତୁ; ଆତ୍ମାନଂ - ନିଜକୁ; ଅବ୍ୟୟମ୍ - ଶାଶ୍ୱତ ।

Translation

BG 11.4: ହେ ଯୋଗେଶ୍ୱର! ଆପଣ ଯଦି ମୋତେ ଆପଣଙ୍କର ବିଶ୍ୱରୂପ ଦର୍ଶନ କରିବା ପାଇଁ ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାକରି ମୋ ସମ୍ମୁଖରେ ଆପଣଙ୍କର ସେହି ଅବିନଶ୍ୱର ବିଶ୍ୱରୂପ ପ୍ରକଟ କରନ୍ତୁ ।

Commentary

ପୂର୍ବବର୍ତ୍ତୀ ଶ୍ଲୋକରେ ଅର୍ଜୁନ ଭଗବାନଙ୍କର ବିଶ୍ୱରୂପ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ସେ ତାଙ୍କର ‘ଅନୁମତି ଭିକ୍ଷା କରୁଛନ୍ତି, ।’ ହେ ଯୋଗେଶ୍ୱର ମୁଁ ମୋର ଇଚ୍ଛା ପ୍ରକାଶ କଲି । ଆପଣ ଯଦି ମୋତେ ଏହାର ଯୋଗ୍ୟ ମନେ କରୁଛନ୍ତି, ତାହେଲେ ଦୟାପୂର୍ବକ, ଆପଣଙ୍କର ବିଶ୍ୱରୂପ ପ୍ରକଟ କରନ୍ତୁ, ଏବଂ ମୋତେ ଆପଣଙ୍କ ଯୋଗ ଐଶ୍ୱର୍ଯ୍ୟର ଦର୍ଶନ କରାନ୍ତୁ । ଯୋଗ ଜୀବର ଆତ୍ମାକୁ ପରମାତ୍ମା ସହିତ ମିଳିତ କରିବାର ବିଜ୍ଞାନ ଅଟେ ଏବଂ ଯେଉଁମାନେ ଏହି ସାଧନା କରନ୍ତି ସେମାନଙ୍କୁ ଯୋଗୀ କୁହାଯାଏ । ଯୋଗେଶ୍ୱର ଶବ୍ଦର ଅର୍ଥ “ସମସ୍ତ ଯୋଗୀଙ୍କର ଈଶ୍ୱର” ଅଟେ । ଯେହେତୁ ସମସ୍ତ ଯୋଗୀଙ୍କର ଲକ୍ଷ୍ୟ ପରମାତ୍ମାଙ୍କୁ ପ୍ରାପ୍ତ କରିବା, ତଦନୁସାରେ ମଧ୍ୟ ଶ୍ରୀକୃଷ୍ଣ ସମସ୍ତ ଯୋଗୀଙ୍କର ଈଶ୍ୱର ଅଟନ୍ତି । ପୂର୍ବରୁ ଶ୍ଲୋ ୧୦.୧୭ ରେ ଅର୍ଜୁନ ଭଗବାନଙ୍କୁ ଯୋଗୀ ଭାବେ ସମ୍ବୋଧନ କରିଥିଲେ, ଅର୍ଥାତ୍ “ଯୋଗର ଗୁରୁ” । ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ସମ୍ମାନ ଆହୁରି ବୃଦ୍ଧି ଲାଭ କରିଥିବା ଯୋଗୁଁ, ସେ ତାଙ୍କୁ “ଯୋଗେଶ୍ୱର” କହୁଛନ୍ତି ।