Bhagavad Gita: Chapter 11, Verse 38

ତ୍ୱମାଦିଦେବଃ ପୁରୁଷଃ ପୁରାଣ-
ସ୍ତ୍ୱମସ୍ୟ ବିଶ୍ୱସ୍ୟ ପରଂ ନିଧାନମ୍ ।
ବେତ୍ତାସି ବେଦ୍ୟଂ ଚ ପରଂ ଚ ଧାମ
ତ୍ୱୟା ତତଂ ବିଶ୍ୱମନନ୍ତରୂପ ।।୩୮।।

ତ୍ୱଂ - ଆପଣ: ଆଦିଦେବଃ - ଆଦି ପରମେଶ୍ୱର; ପୁରୁଷଃ - ପୁରୁଷ; ପୁରାଣଃ -ସର୍ବ ପୁରାତନ; ତ୍ୱଂ - ଆପଣ; ଅସ୍ୟ - ଏହି; ବିଶ୍ୱସ୍ୟ - ବ୍ରହ୍ମାଣ୍ଡର; ପରଂ - ପରମ; ନିଧାନମ୍ - ଆଶ୍ରୟ ସ୍ଥଳ; ବେତ୍ତା - ଜ୍ଞାତା: ଅସି - ଆପଣ ଅଟନ୍ତି; ବେଦ୍ୟଂ ଚ - ଏବଂ ଜେ୍ଞୟ; ପରଂ ଚ- ଏବଂ ପରମ; ଧାମ-ଧାମ; (ଆଶ୍ରୟ ସ୍ଥଳ); ତ୍ୱୟା - ଆପଣଙ୍କ ଦ୍ୱାରା; ତତଂ - ବ୍ୟାପ୍ତ; ବିଶ୍ୱମ୍ - ବ୍ରହ୍ମାଣ୍ଡ; ଅନନ୍ତ ରୂପ - ଅନନ୍ତ ରୂପ ।

Translation

BG 11.38: ଆପଣ ଆଦି ଦେବ ଅଟନ୍ତି, ଆପଣ ମୂଳ ଦିବ୍ୟ ପୁରୁଷ ଅଟନ୍ତି, ଆପଣ ସଂସାରର ଏକ ମାତ୍ର ଆଶ୍ରୟ ସ୍ଥଳ ଅଟନ୍ତି । ଆପଣ ଜ୍ଞାତା ଏବଂ ଜ୍ଞାନର ବିଷୟ ଅଟନ୍ତି । ଆପଣ ହିଁ ପରମ ଧାମ ଅଟନ୍ତି । ହେ ଅନନ୍ତ ରୂପଧାରୀ! ଆପଣ ଜଣେ ହିଁ ଏ ସମଗ୍ର ବିଶ୍ୱରେ ବ୍ୟାପ୍ତ ରହିଛନ୍ତି ।

Commentary

ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ମୂଳ ଦିବ୍ୟ ପୁରୁଷ, ସବୁ କାରଣର କାରଣ, ଭାବରେ ସମ୍ବୋଧନ କରିଛନ୍ତି । ସମସ୍ତ ବସ୍ତୁ ବା ବ୍ୟକ୍ତିର ଗୋଟିଏ କାରଣ  ବା ଉତ୍ପତ୍ତି ଅଛି, ଯେଉଁଠାରୁ ସେ ଉତ୍ପନ୍ନ ହୋଇ ବର୍ତ୍ତମାନ ସ୍ଥିତିରେ ରହିଛି । ଏମିତିକି ଭଗବାନ ବିଷ୍ଣୁଙ୍କର ମଧ୍ୟ କାରଣ ଅଛି । ଯଦିଓ ସେ ଭଗବାନଙ୍କର ଏକ ସ୍ୱରୂପ ଅଟନ୍ତି, ସେ ଶ୍ରୀକୃଷ୍ଣଙ୍କର ଏକ ବିସ୍ତାର ଅଟନ୍ତି । କିନ୍ତୁ ଶ୍ରୀକୃଷ୍ଣ କୌଣସି ବ୍ୟକ୍ତିତ୍ୱଙ୍କର ବିସ୍ତାର ନୁହନ୍ତି । ସେ ଅକାରଣ ଆଦି କାରଣ ଅଟନ୍ତି । ସେଥିପାଇଁ ବ୍ରହ୍ମା ତାଙ୍କର ସ୍ତୁତି କରୁଛନ୍ତି:

ଈଶ୍ୱରଃ ପରମଃ କୃଷ୍ଣଃ ସଚ୍ଚିଦାନନ୍ଦ ବିଗ୍ରହଃ
ଅନାଦିର୍ରାଦି ଗୋବିନ୍ଦଃ ସର୍ବ କାରଣ କାରଣମ୍ (ବ୍ରହ୍ମ ସଂହିତା ୫.୧)

“ଶ୍ରୀକୃଷ୍ଣ ପରମାତ୍ମାଙ୍କର ମୂଳ ସ୍ୱରୂପ ଅଟନ୍ତି । ତାଙ୍କର ବ୍ୟକ୍ତିତ୍ୱ ଜ୍ଞାନ ଏବଂ ଆନନ୍ଦରେ ପରିପୂର୍ଣ୍ଣ ଅଟେ । ସେ ସମସ୍ତଙ୍କ ଉତ୍ପତ୍ତି ସ୍ଥଳ,କିନ୍ତୁ ସେ ସ୍ୱୟଂ ଉତ୍ପତ୍ତି ରହିତ ଅଟନ୍ତି । ସେ ସର୍ବକାରଣ କାରଣ ଅଟନ୍ତି ।”

ଶ୍ରୀକୃଷ୍ଣ ସର୍ବଜ୍ଞ ଅଟନ୍ତି । ପୁଣି ସେ ସମସ୍ତ ଜ୍ଞାନର ଜ୍ଞାତବ୍ୟ ବିଷୟ ଅଟନ୍ତି । ଶ୍ରୀମଦ୍ ଭାଗବତମ୍‌(୪.୨୯.୪୯)କହେ: ସା ବିଦ୍ୟା ତନ୍‌ମତିର୍ ଯୟା । ଯାହା ଆମକୁ ଭଗବାନଙ୍କୁ ଜାଣିବାକୁ ସାହାଯ୍ୟ କରେ, ତାହାହିଁ ପ୍ରକୃତ ଜ୍ଞାନ ଅଟେ ।

ଜଗଦ୍‌ଗୁରୁ ଶ୍ରୀ କୃପାଳୁଜୀ ମହାରାଜ କହୁଛନ୍ତି:

ଯୋ ହରି ସେବା ହେତୁ ହୋ, ସୋଈ କର୍ମ ବଖାନ ।
ଯୋ ହରି ଭଗତି ବଢ଼ାବେ, ସୋଈ ସମୁଝିୟ ଜ୍ଞାନ । । (ଭକ୍ତି ଶତକ ପଦ: ୬୬)

“ଯେଉଁ କର୍ମ ଭଗବାନଙ୍କ ସେବା ନିମିତ୍ତ କରାଯାଏ, ତାହାକୁ ହିଁ ପ୍ରକୃତ କର୍ମ ବୋଲି ଜାଣ । ଯେଉଁ ଜ୍ଞାନ ଭଗବାନଙ୍କ ପ୍ରତି ଆମର ପ୍ରେମ ବଢ଼ାଏ, ତାହାକୁ ପ୍ରକୃତ ଜ୍ଞାନ ଜାଣ ।” ସୁତରାଂ, ଶ୍ରୀକୃଷ୍ଣ ଉଭୟ ଜ୍ଞାନ ଏବଂ ଜ୍ଞାତବ୍ୟ ଅଟନ୍ତି ।