Bhagavad Gita: Chapter 2, Verse 3

କ୍ଳୈବ୍ୟଂ ମା ସ୍ମ ଗମଃ ପାର୍ଥ ନୈତତ୍ତ୍ୱଯ୍ୟୁପପଦ୍ୟତେ
କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୟକ୍ତେ୍ୱାତ୍ତିଷ୍ଠ ପରନ୍ତପ ।।୩।।

କ୍ଳୈବ୍ୟଂ- କ୍ଳୀବତ୍ୱ; ମା ସ୍ମ- ନାହିଁ; ଗମଃ-ଯାଅ ; ପାର୍ଥ- ହେ ପୃଥା ପୁତ୍ର; ନ-ନୁହେଁ; ଏତତ୍‌-ଏପରି; ତ୍ୱୟି- ତୁମ୍ଭଠାରେ; ଉପପଦ୍ୟତେ- ଉପଯୁକ୍ତ; କ୍ଷୁଦ୍ରଂ -କ୍ଷୁଦ୍ର; ହୃଦୟ-ହୃଦୟ; ଦୌର୍ବଲ୍ୟଂ- ଦୁର୍ବଳତା; ତ୍ୟକ୍ତ୍ୱା-ତ୍ୟାଗକରି; ଉତ୍ତିଷ୍ଠ-ଉଠ; ପରନ୍ତପ-ହେ ପରନ୍ତପ (ହେ ଶତ୍ରୁଦମନକାରୀ) !

Translation

BG 2.3: ହେ ପାର୍ଥ! ଏପରି କାପୁରୁଷତା ତୁମ ପକ୍ଷରେ ଶୋଭନୀୟ ନୁହେଁ । ହେ ଶତ୍ରୁଦମନକାରୀ! ହୃଦୟର ଏହି ସଂକୀର୍ଣ୍ଣ ଦୁର୍ବଳତାକୁ ତ୍ୟାଗ କର ଏବଂ ଉଠ ।

Commentary

ଜ୍ଞାନ ପ୍ରାପ୍ତିର ମାର୍ଗରେ ସଫଳତାପୂର୍ବକ ଅଗ୍ରସର ହେବା ପାଇଁ ଉଚ୍ଚ ଭାବନା ଏବଂ ଦୃଢ ମନୋବଳର ଆବଶ୍ୟକତା ରହିଥାଏ । ମାୟିକ ମନର ନକାରାତ୍ମକ ଗୁଣ ଯଥା ଆଳସ୍ୟ, ବଦଭ୍ୟାସ, ଅଜ୍ଞାନ ଓ ଆସକ୍ତିରୁ ମୁକ୍ତି ପାଇବା ପାଇଁ ବ୍ୟକ୍ତି ଆଶାବାଦୀ, ଉତ୍ସାହୀ ଏବଂ ଉଦ୍ୟମୀ ହେବା ଅତ୍ୟନ୍ତ ଆବଶ୍ୟକ । ଶ୍ରୀକୃଷ୍ଣ ଜଣେ ଦକ୍ଷ ଶିକ୍ଷକ ଅଟନ୍ତି, ତେଣୁ ଅର୍ଜୁନଙ୍କୁ ଭର୍ତ୍ସନା କରିବା ପରେ, ସେ ବର୍ତ୍ତମାନ ଅର୍ଜୁନଙ୍କ ଆନ୍ତରିକ ଶକ୍ତିର ବୃଦ୍ଧି କରାଇ ପରିସ୍ଥିତିର ମୁକାବିଲା କରିବାକୁ ତାଙ୍କୁ ଉତ୍ସାହିତ କରୁଛନ୍ତି ।

ଅର୍ଜୁନଙ୍କୁ ପୃଥା (କୁନ୍ତିଙ୍କର ଏକ ଅନ୍ୟ ନାମ) ପୁତ୍ର ଭାବେ ସମ୍ବୋଧନ କରି, ଶ୍ରୀକୃଷ୍ଣ ତାଙ୍କ ମା’ କୁନ୍ତିଙ୍କର ସ୍ମରଣ କରାଇ ଦେଉଛନ୍ତି । ସେ ଦେବରାଜ ଇନ୍ଦ୍ରଙ୍କୁ ପୂଜା କରିଥିଲେ ଏବଂ ତାଙ୍କ ଆଶୀର୍ବାଦରୁ ଅର୍ଜୁନଙ୍କର ଜନ୍ମ ହୋଇଥିଲା । ସେଥିପାଇଁ ଅର୍ଜୁନ ଇନ୍ଦ୍ରଙ୍କ ପରି ଅସାଧାରଣ ଶକ୍ତିସମ୍ପନ୍ନ ଓ ବୀର ଥିଲେ । ଶ୍ରୀକୃଷ୍ଣ ତାଙ୍କୁ ଏହି କଥା ସ୍ମରଣ କରାଇ ନପୁଂସକତା ତ୍ୟାଗ କରିବା ଦିଗରେ ଉତ୍ସାହିତ କରୁଛନ୍ତି, କାରଣ ତାହା ତାଙ୍କର ଯଶସ୍ୱୀ ବଂଶ ପାଇଁ ଉପଯୁକ୍ତ ନୁହେଁ । ପୁନଶ୍ଚ, ଅର୍ଜୁନଙ୍କୁ ପରନ୍ତପ ବା ଶତ୍ରୁଜୟକାରୀ ଭାବେ ସମ୍ବୋଧନ କରି, ସେ ଅର୍ଜୁନଙ୍କୁ କର୍ତ୍ତବ୍ୟ ତ୍ୟାଗର ଇଚ୍ଛାକୁ ଦମନ କରିବାକୁ କହୁଛନ୍ତି, ଯେଉଁ ଇଚ୍ଛା ଜଣେ କ୍ଷତ୍ରିୟ ରାଜପୁତ୍ର ଭାବରେ ତାଙ୍କର ଶତ୍ରୁ ଅଟେ ।

ଶ୍ରୀକୃଷ୍ଣ ଆହୁରି ମଧ୍ୟ ଅର୍ଜୁନଙ୍କୁ ବୁଝାଇ କହୁଛନ୍ତି ଯେ ସେ ଯାହା ଅନୁଭବ କରୁଛନ୍ତି, ତାହା ବାସ୍ତବରେ ନୈତିକତା ନୁହେଁ କି ପ୍ରକୃତ ସଂବେଦନା ନୁହେଁ; ତାହା କେବଳ ତାଙ୍କର ଶୋକ ଏବଂ ମୋହ ଅଟେ । ତାହା ତାଙ୍କ ମନର ଦୁର୍ବଳତାରୁ ଜାତ । ଯଦି ତାଙ୍କର ଆଚରଣ ବାସ୍ତବରେ ଜ୍ଞାନ ବା ଦୟା ଉପରେ ଆଧାରିତ ହୋଇଥାଆନ୍ତା, ତେବେ ସେ ଦ୍ୱନ୍ଦ୍ୱ ବା ଶୋକ ଅନୁଭବ କରନ୍ତେ ନାହିଁ ।

Watch Swamiji Explain This Verse