ଯତତୋ ହ୍ୟପି କୌନ୍ତେୟ ପୁରୁଷସ୍ୟ ବିପଶ୍ଚିତଃ ।
ଇନ୍ଦ୍ରିୟାଣି ପ୍ରମାଥୀନି ହରନ୍ତି ପ୍ରସଭଂ ମନଃ ।।୬୦।।
ଯତତଃ- ଆତ୍ମ-ସଂଯମର ଅଭ୍ୟାସ କରୁଥିବା ବେଳେ; ହି-ନିଶ୍ଚିତ ଭାବେ; ଅପି-ସତ୍ତ୍ୱେ; କୌନ୍ତେୟ-ହେ କୁନ୍ତିପୁତ୍ର!; ପୁରୁଷସ୍ୟ-ବ୍ୟକ୍ତିର; ବିପଶ୍ଚିତଃ-ବିବେକବାନ୍; ଇନ୍ଦ୍ରିୟାଣି- ଇନ୍ଦ୍ରିୟଗୁଡ଼ିକ; ପ୍ରମାଥୀନି-ବିକ୍ଷୁବ୍ଧ; ହରନ୍ତି-ହରଣ କରନ୍ତି; ପ୍ରସଭଂ-ବଳପୂର୍ବକ; ମନଃ-ମନ ।
Translation
BG 2.60: ହେ କୁନ୍ତି ପୁତ୍ର ! ଇନ୍ଦ୍ରିୟମାନେ ଏତେ ଶକ୍ତିଶାଳୀ ଏବଂ ବିକ୍ଷୁବ୍ଧ ଯେ ଜଣେ ବିଚାରଶକ୍ତି ଯୁକ୍ତ ଏବଂ ଆତ୍ମନିୟନ୍ତ୍ରଣ ସାଧନା କରୁଥିବା ବ୍ୟକ୍ତିର ମନକୁ ମଧ୍ୟ ସେମାନେ ବଳପୂର୍ବକ ହରଣ କରିନିଅନ୍ତି ।
Commentary
ଇନ୍ଦ୍ରିୟଗୁଡ଼ିକ ନୂତନ ଲଗାମ ଲଗାଯାଇଥିବା ଜଙ୍ଗଲୀ ଘୋଡ଼ା ସଦୃଶ ଅଟନ୍ତି । ସେମାନେ ସ୍ୱେଚ୍ଛାଚାରୀ ଓ ବିଶୃଙ୍ଖଳ । ତାଙ୍କୁ ଶୃଙ୍ଖଳିତ କରିବା ପାଇଁ ସାଧକମାନଙ୍କୁ ନିଜ ଅନ୍ତର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସଂଘର୍ଷ କରିବାକୁ ପଡ଼ିବ । ଇନ୍ଦ୍ରିୟମାନେ କାମନା ଏବଂ ଲୋଭରେ ମତୁଆଲା ଅଟନ୍ତି । ତେଣୁ ଯେଉଁମାନେ ଆଧ୍ୟାତ୍ମିକ ଉନ୍ନତି ଚାହୁଁଛନ୍ତି, ସେମାନେ ସ୍ୱେଚ୍ଛାଚାରୀ ଇନ୍ଦ୍ରିୟମାନଙ୍କୁ ବଶ କରିବାକୁ ଚେଷ୍ଟାରତ ରହିବା ଉଚିତ । ନଚେତ୍ ଉଚ୍ଚକୋଟୀର ଯୋଗୀମାନଙ୍କର ଆଧ୍ୟାତ୍ମିକ ପ୍ରକ୍ରିୟାକୁ ନଷ୍ଟ-ଭ୍ରଷ୍ଟ କରିବାର ଶକ୍ତି ସେମାନଙ୍କର ଅଛି ।
ଶ୍ରୀମଦ୍ ଭାଗବତମ୍ରେ ଉକ୍ତ ପ୍ରସଙ୍ଗକୁ ବର୍ଣ୍ଣନା କରିବା ପାଇଁ ଏକ ଉପାଖ୍ୟାନ ଅଛି (ସ୍କନ୍ଧ ୯, ଅଧ୍ୟାୟ ୬) । ପୁରାତନ କାଳରେ ସୌଭରି ନାମକ ଜଣେ ପ୍ରସିଦ୍ଧ ଯୋଗୀ ଥିଲେ । ୠଗ୍ବେଦରେ ‘ସୌଭରି ସୂତ୍ର’ ନାମରେ ଏକ ମନ୍ତ୍ର ଅଛି । ସୌଭରି ସଂହିତା ନାମକ ଏକ ଗ୍ରନ୍ଥ ମଧ୍ୟ ଅଛି । ତେଣୁ ସେ ଜଣେ ସାମାନ୍ୟ ମୁନି ନ ଥିଲେ । ସୌଭରି ମୁନିଙ୍କର ନିଜ ଶରୀର ଉପରେ ଏତେ ନିୟନ୍ତ୍ରଣ ଥିଲା ଯେ, ସେ ଯମୁନା ଜଳରେ ବୁଡି ରହି ତପସ୍ୟା କରୁଥିଲେ । ଦିନେ ସେ ଦୁଇଟି ମତ୍ସ୍ୟ ମୈଥୁନ କରୁଥିବାର ଦେଖିଲେ । ଏହି ଦୃଶ୍ୟ ତାଙ୍କର ମନ ଓ ଇନ୍ଦ୍ରିୟକୁ ବିଚଳିତ କରିଦେଲା ଏବଂ ତାଙ୍କର ଯୌନ ସମ୍ଭୋଗର ଇଚ୍ଛା ଜାଗ୍ରତ ହେଲା । ସେହି ଇଚ୍ଛା ପୂର୍ତ୍ତିର ଅଭିଳାଷରେ ସେ ତପସ୍ୟା ପରିତ୍ୟାଗ କରି ଜଳ ମଧ୍ୟରୁ ବାହାରି ଆସିଲେ ।
ସେହି ସମୟରେ ମାନ୍ଧାତା ଅଯୋଧ୍ୟାର ରାଜା ଥିଲେ । ସେ ଜଣେ ଅତ୍ୟନ୍ତ ଯଶସ୍ୱୀ ଏବଂ ଧର୍ମପରାୟଣ ଶାସକ ଥିଲେ । ତାଙ୍କର ପଚାଶ ଜଣ ଏକରୁ ଏକ ବଳି ସୁନ୍ଦରୀ କନ୍ୟା ଥିଲେ । ରାଜାଙ୍କ ପାଖକୁ ଯାଇ ସୌଭରି ମୁନି ସେହି ପଚାଶ ଜଣଙ୍କ ମଧ୍ୟରୁ ଜଣେ ରାଜକନ୍ୟାକୁ ବିବାହ କରିବାର ପ୍ରସ୍ତାବ ଦେଲେ ।
“ଜଣେ ବୃଦ୍ଧ ତପସ୍ୱୀ ବିବାହ କରିବାକୁ ଚାହୁଁଛନ୍ତି !” ଚିନ୍ତା କରି ରାଜା ମାନ୍ଧାତା ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ ଏବଂ ସେ ଭାବିଲେ ଋଷିଙ୍କର ବୁଦ୍ଧି ନିଶ୍ଚିତ ଭାବରେ ଭ୍ରଷ୍ଟ ହୋଇଯାଇଛି । ସୌଭରି ମୁନି ଜଣେ ତେଜସ୍ୱୀ ଋଷି ଥିଲେ, ଏକଥା ରାଜା ମାନ୍ଧାତା ଜାଣିଥିଲେ ଏବଂ ତାଙ୍କର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ସେ ହୁଏତ ଅଭିଶାପ ଦେଇପାରନ୍ତି ଏହା ଚିନ୍ତା କରି ରାଜା ଭୟଭୀତ ହୋଇ ଉଠିଲେ । କିନ୍ତୁ ସେ ଯଦି ପ୍ରସ୍ତାବକୁ ସ୍ୱୀକାର କରନ୍ତି ତାଙ୍କର ଜଣେ କନ୍ୟାଙ୍କର ଜୀବନ ନଷ୍ଟ ହୋଇଯିବ । ସେ କହିଲେ “ହେ ସାଧୁ! ଆପଣଙ୍କ ପ୍ରସ୍ତାବକୁ ମୁଁ ସମ୍ମାନ ଜଣାଉଛି । ଦୟାକରି ଆସନ ଗ୍ରହଣ କରନ୍ତୁ । ମୁଁ ମୋର ପଚାଶଜଣ କନ୍ୟାଙ୍କୁ ଆପଣଙ୍କ ସମ୍ମୁଖକୁ ଆଣୁଛି । ତାଙ୍କ ମଧ୍ୟରୁ ଯିଏବି ଆପଣଙ୍କୁ ବରଣ କରିବ ସେ ଆପଣଙ୍କୁ ବିବାହ କରିବ ।” ରାଜା ନିଶ୍ଚିନ୍ତ ଥିଲେ ଯେ ତାଙ୍କର କୌଣସି କନ୍ୟା ମୁନିଙ୍କୁ ବରଣ କରିବେ ନାହିଁ ଏବଂ ଏହିପରି ଭାବରେ ସେ ମୁନିଙ୍କର ଅଭିଶାପରୁ ରକ୍ଷା ପାଇଯିବେ ।
ସୌଭରି ମଧ୍ୟ ରାଜାଙ୍କର ଉଦ୍ଦେଶ୍ୟ ବୁଝିପାରିଲେ । ସେ ପରଦିନ ଆସିବେ କହି ରାଜାଙ୍କ ଠାରୁ ବିଦାୟ ନେଲେ । ସନ୍ଧ୍ୟାବେଳେ ସେ ତାଙ୍କର ଯୋଗଶକ୍ତି ଦ୍ୱାରା ନିଜକୁ ଏକ ସୁନ୍ଦର ଯୁବକରେ ପରିଣତ କଲେ ଏବଂ ତା’ ପରଦିନ ଯେତେବେଳେ ସେ ରାଜପ୍ରାସାଦରେ ଉପସ୍ଥିତ ହେଲେ ରାଜାଙ୍କର ପଚାଶ ଜଣ କନ୍ୟା ତାଙ୍କୁ ପତିରୂପେ ବରଣ କରିନେଲେ । ରାଜା ସତ୍ୟ କରିଥିବା ବାକ୍ୟ ପ୍ରତି ବଚନବଦ୍ଧ ଥିଲେ ତେଣୁ ସେ ସମସ୍ତ କନ୍ୟାଙ୍କୁ ତାଙ୍କ ସହିତ ବିବାହ କରିବାକୁ ବାଧ୍ୟ ହେଲେ ।
ରାଜା ପୁନଶ୍ଚ ଚିନ୍ତିତ ଥିଲେ ଯେ ତାଙ୍କ କନ୍ୟାମାନଙ୍କ ମଧ୍ୟରେ ଏବେ କଳହ ସୃଷ୍ଟି ହେବ ଯେହେତୁ ତାଙ୍କ ସ୍ୱାମୀଙ୍କୁ ଅନ୍ୟମାନଙ୍କ ସହିତ ଭାଗ କରିବାକୁ ପଡ଼ିବ । କିନ୍ତୁ ସୌଭରି ମୁନି ନିଜ ତପଶକ୍ତିର ଉପଯୋଗ କରି ନିଜକୁ ପଚାଶଟି ଶରୀରରେ ରୂପାନ୍ତରିତ କଲେ ଏବଂ ପଚାଶଟି ଭବନ ସୃଷ୍ଟି କରି, ପ୍ରତ୍ୟେକଙ୍କ ସହିତ ଅଲଗା ଅଲଗା ବାସ କଲେ । ଏହିପରି ଭାବରେ ହଜାର ହଜାର ବର୍ଷ ବିତିଗଲା । ପୁରାଣ କହେ ସୌଭରିଙ୍କ ପ୍ରତ୍ୟେକ ସ୍ତ୍ରୀଙ୍କର ଅନେକ ସନ୍ତାନ ଥିଲେ ଏବଂ ସେହି ସନ୍ତାନମାନଙ୍କର ପୁଣି ସନ୍ତାନ ହେଲେ, ଏହିପରି ଭାବରେ ଏକ ବିରାଟ ସହର ଗଢ଼ିଉଠିଲା । ଦିନେ ତାଙ୍କର ବିବେକ ଉଦ୍ରେକ ହେଲା ଏବଂ ସେ କହିଲେ “ଅହୋ ଇମଂ ପଶ୍ୟତ ମେ ବିନାଶମ୍ (ଭାଗବତମ୍ ୯.୬.୫୦) ।” ହେ ମନୁଷ୍ୟଗଣ ! ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ମାୟିକ ବସ୍ତୁରେ ସୁଖର ସନ୍ଧାନ କରୁଅଛ, ସାବଧାନ ହୋଇଯାଅ । ମୋର ପତନକୁ ଲକ୍ଷ୍ୟ କର । ମୁଁ କେଉଁଠି ଥିଲି ଏବଂ ଆଜି କେଉଁଠି ଅଛି । ମୁଁ ଯୋଗଶକ୍ତି ଦ୍ୱାରା ପଚାଶଟି ଶରୀର ସୃଷ୍ଟି କରି ପଚାଶ ଜଣ ସ୍ତ୍ରୀଙ୍କ ସହିତ ହଜାର ହଜାର ବର୍ଷ ଧରି ବାସ କଲି । ତଥାପି ମୋର ଇନ୍ଦ୍ରିୟମାନେ ପରିତୃପ୍ତ ହେଲେନାହିଁ । ସେମାନେ କେବଳ ଅଧିକରୁ ଅଧିକତର ପାଇଁ ଲାଳାୟିତ ରହିଲେ । ମୋର ପତନରୁ ଶିକ୍ଷା ନିଅ ଏବଂ ଏହି ଦିଗରେ ଅଗ୍ରସର ନ ହେବାକୁ ସାବଧାନ ହୁଅ ।