Bhagavad Gita: Chapter 2, Verse 20

ନ ଜାୟତେ ମ୍ରିୟତେ ବା କଦାଚି-
ନ୍ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ ।
ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ
ନ ହନ୍ୟତେ ହନ୍ୟମାନେ ଶରୀରେ ।।୨୦।।

ନ- ନାହିଁ; ଜାୟତେ- ଜନ୍ମହୁଏ; ମ୍ରିୟତେ-ମରେ; ବା-କିମ୍ବା; କଦାଚିତ୍‌-କୌଣସି କାଳରେ (ଭୂତ, ଭବିଷ୍ୟତ କିମ୍ବା ବର୍ତ୍ତମାନ); ନ-ନୁହେଁ; ଅୟଂ- ଏହା; ଭୂତ୍ୱା-ଥିଲା; ଭବିତା-ହେବ; ବା-କିମ୍ବା; ନ-ନୁହେଁ; ଭୂୟଃ-କିମ୍ବା ହୋଇଛି; ଅଜଃ-ଅଜ (ଅଜନ୍ମା); ନିତ୍ୟଃ-ନିତ୍ୟ; ଶାଶ୍ୱତଃ-ଶାଶ୍ୱତ; ଅୟଂ- ଏହି; ପୁରାଣଃ- ପୁରାତନ; ନ ହନ୍ୟତେ- ନଷ୍ଟ ହୁଏନାହିଁ; ହନ୍ୟମାନେ ଶରୀରେ- ଶରୀର ନଷ୍ଟ ହେବା ସହିତ ।

Translation

BG 2.20: ଆତ୍ମାର ଜନ୍ମ ନାହିଁ ବା ତା’ର ମୃତ୍ୟୁ ନାହିଁ । ଏମିତି ସମୟ ନଥିଲା ଯେତେବେଳେ ଏହାର ଅସ୍ତିତ୍ୱ ନଥିଲା ବା ଏମିତି ସମୟ ନାହିଁ ଯେତେବେଳେ ଏହାର ଅସ୍ତିତ୍ୱ ରହିବ ନାହିଁ । ଆତ୍ମାର ଜନ୍ମ ନାହିଁ; ଏହା ଚିରନ୍ତନ, ଅମର ଏବଂ ଶାଶ୍ୱତ ଅଟେ । ଶରୀର ନଷ୍ଟ ହେବା ସହିତ ଏହା ନଷ୍ଟ ହୁଏ ନାହିଁ ।

Commentary

ଏହି ଶ୍ଳୋକରେ ଆତ୍ମାର ଶାଶ୍ୱତ ସ୍ୱରୂପକୁ ସିଦ୍ଧ କରାଯାଇଛି, ଯାହା ନିତ୍ୟ ଏବଂ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱରେ । ତେଣୁ ଏହାର ଛଅ ପ୍ରକାର ପରିବର୍ତ୍ତନ ହୋଇ ନ ଥାଏ - ଅସ୍ତି, ଜାୟତେ, ବର୍ଦ୍ଧତେ, ବିପରିଣମତେ, ଅପକ୍ଷୀୟତେ ଓ ବିନଶ୍ୟତି । ଅର୍ଥାତ୍ ଗର୍ଭବାସ, ଜନ୍ମ, ବୃଦ୍ଧି, ବଂଶବୃଦ୍ଧି, କ୍ଷୟ ଏବଂ ମୃତ୍ୟୁ । ଏସବୁ ଶରୀରର ପରିବର୍ତ୍ତନ ଅଟେ, ଆତ୍ମାର ନୁହେଁ । ଯାହାକୁ ଆମେ ମୃତ୍ୟୁ କହୁ ତାହା କେବଳ ଶରୀରର ବିନାଶ ଅଟେ, କିନ୍ତୁ ଅମର ଆତ୍ମା ଏହି ଶାରୀରିକ ପରିବର୍ତ୍ତନରେ ପ୍ରଭାବିତ ହୁଏ ନାହିଁ । ବେଦରେ ଏହା ସମ୍ବନ୍ଧରେ ବାରମ୍ବାର ଗୁରୁତ୍ୱାରୋପଣ କରାଯାଇଛି । ଗୀତାର ଏହି ଶ୍ଳୋକ ସଦୃଶ କଠୋପନିଷଦରେ ଏକ ଶ୍ଳୋକ ଅଛି ।

ନା ଜାୟତେ ମ୍ରିୟତେ ବା ବିପଶ୍ଚିନ୍ନାୟଂ କୁତଶ୍ଚିନ୍ ନ ବଭୂବ କଶ୍ଚିତ୍‌

ଅଜୋ ନିତ୍ୟଃ ଶାଶ୍ୱତୋଽୟଂ ପୁରାଣୋ ନ ହନ୍ୟତେ ହନ୍ୟମାନେ ଶରୀରେ ।  (୧.୨.୧୮)

“ଆତ୍ମାର ଜନ୍ମ ନାହିଁ କି ଏହାର ମୃତ୍ୟୁ ନାହିଁ । ଏହା କାହାଠାରୁ ଉତ୍ପନ୍ନ ହୋଇ ନ ଥାଏ ବା ଏହାଠାରୁ କେହି ଉତ୍ପତ୍ତି ହୁଅନ୍ତି ନାହିଁ । ଏହା ଅଜନ୍ମା, ଚିରନ୍ତନ, ଅମର ଏବଂ ଚିରାୟୁ ଅଟେ । ଶରୀର ନଷ୍ଟ ହେଲେ ମଧ୍ୟ ଏହା ନଷ୍ଟ ହୁଏ ନାହିଁ ।” ବୃହଦାରଣ୍ୟକ ଉପନିଷଦ କହେ:

ସ ବା ଏଷ ମହାନ୍ ଅଜ ଆତ୍ମାଜରୋଽମରେଽମୃତେଽଭୟଃ ।  (୪.୪.୨୫)

“ଆତ୍ମା ଦୀପ୍ତିମୟ, ଅଜନ୍ମା, ମୃତ୍ୟୁରହିତ, ଜରାରହିତ, ଅମର ଏବଂ ନିର୍ଭୟ ଅଟେ ।”